Unknown

 

 

 

 

 

 

ଦି ’ ଭଉଣୀ

ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର

 

 

 

ଓଡ଼ିଆ ଅନୁବାଦ

ଚିତ୍ତରଞ୍ଜନ ଦାସ

 

ଶର୍ମିଳା

 

ଜଣେ ପଣ୍ଡିତ ଥରେ କହୁଥିଲେ, ନାରୀ ଦୁଇ ଜାତିର ଅଛନ୍ତି । ଗୋଟିଏ ଜାତି ପ୍ରଧାନତଃ ମା’, ଅପରଟି ପ୍ରିୟା ।

 

ଏହି ଦୁଇ ଜାତିକୁ ଋତୁ ସହିତ ତୁଳନା କରି ଦେଖିଲେ, ମା ହେବ ବର୍ଷାରତୁ । ସେ ପାନୀୟ ଦିଅନ୍ତି, ଖାଦ୍ୟ ଦିଅନ୍ତି, ତାପ ନିବାରଣ କରନ୍ତି, ଉର୍ଦ୍ଧ୍ୱଲୋକରୁ ଆପଣାକୁ ବିଗଳିତ କରି ଦିଅନ୍ତି । ଶୁଷ୍କତାରେ ରସ ଭରି ଦିଅନ୍ତି, ସକଳ ଅଭାବ ସେ ପରିପୂର୍ଣ୍ଣ କରନ୍ତି ।

 

ପ୍ରିୟା ହେଉଛି ବସନ୍ତ ଋତୁ । ତା’ର ରହସ୍ୟ ଅତି ଗଭୀର, ତା’ର ମାୟାମନ୍ତ୍ର ଅତି ମଧୁର । ତା’ର ଚାଞ୍ଚଲ୍ୟ ଲହୁ ଭିତରେ ଢେଉ ଖେଳାଇ ଦିଏ । ସେ ଏକାବେଳେକେ ଚିତ୍ତର ମର୍ମସ୍ଥଳରେ ପହୁଞ୍ଚି ଯାଇପାରେ, ଯେଉଁଠି ସର୍ବ ଦେହ ଓ ସର୍ବ ମନରେ ଅନିର୍ବଚନୀୟ ବାଣୀ ବଜାଇ ପାରିବା ଭଳି ଏକ ଝଙ୍କାର ଲାଗି ସ୍ୱର୍ଣ୍ଣବାଣୀର ଏକ ନିଭୃତ ତାର ନୀରବରେ ଅପେକ୍ଷା କରି ରହିଥାଏ ।

 

ଶଶାଙ୍କର ସ୍ତ୍ରୀ ଶର୍ମିଳା ହେଉଛି ମାଆ ଜାତିର ।

 

ଶାନ୍ତ ବଡ଼ ବଡ଼ ଆଖି–ଧୀର ଗଭୀର ସେଇ ଆଖିର ଚାହାଣୀ, ଜଳଗର୍ଭ ନୂତନ ମେଘପରି ଢଳଢଳ ଦେହ, ସ୍ନିଗ୍‌ଧ ଶ୍ୟାମଳ । ସୁନ୍ଥାରେ ସିନ୍ଦୂରର ଅରୁଣ ରେଖା ଝଲକୁଛି, ଶାଢ଼ୀରେ ଓସାରିଆ କଳା ଧଡ଼ୀ, ଦୁଇ ହାତରେ ମଗରମୁହାଁ ବଡ଼ ବାଲା ଦୁଇଟା । ଏଇ ଭୂଷଣର ଭାଷା ପ୍ରସାଧନର ଭାଷା ନୁହେଁ, ଶୁଭସାଧନର ଭାଷା ।

 

ସ୍ୱାମୀର ଜୀବନଲୋକର ସମସ୍ତ ଦେଶରେ ତା’ର ସାମ୍ରାଜ୍ୟ ଶକ୍ତ ପ୍ରଭାବ ବିସ୍ତାର କରିଛି । ସ୍ତ୍ରୀଠାରୁ ଅତିଲାଳନର ସୁଯୋଗ ପାଇ ସ୍ୱାମୀର ମନ ଅସାବଧାନ ହୋଇପଡ଼ିଚି । କୌଣସି ଆକସ୍ମିକ କାରଣ ହେତୁ ଫାଉଣ୍ଟେନ୍ କଲମଟା କ୍ଷଣକ ଲାଗି ଟେବୁଲର କୌଣସି ଅନତିଲକ୍ଷ୍ୟ ଅଂଶରେ ଅଦୃଶ୍ୟ ହୋଇ ପଡ଼ିଲେ, ତାକୁ ପୁଣି ଆବିଷ୍କାର କରି ଆଣିଦେବା କାମ ସ୍ତ୍ରୀର । ଗାଧୋଇବାକୁ ଯିବା ପୂର୍ବରୁ ହାତରୁ ଘଡ଼ି ଫିଟାଇ ଯେ କୋଉଠି ରଖି ଦେଇଥାଏ, ଶଶାଙ୍କ ହଠାତ୍ ସେକଥା ମନେ କରିପାରେ ନାହିଁ; ସ୍ତ୍ରୀ’ର ଆଖି ନିଶ୍ଚୟ ଯାଇ ତା’ଉପରେ ପଡ଼େ । ହୁଏତ ଦୁଇରଙ୍ଗର ଗୋଟାଏ ଲେଖାଁ ମୋଜା ଦୁଇ ପାଦରେ ପିନ୍ଧି ଶଶାଙ୍କ କୁଆଡ଼େ ଯିବାକୁ ବାହାରୁଥାଏ, ତତ୍‌କ୍ଷଣାତ୍‌ ସ୍ତ୍ରୀ ଆସି ସ୍ୱାମୀର ଭୁଲ ସଂଶୋଧନ କରିଯାଏ । ଦେଶୀ ସାଲର ମାସ ସହିତ ଇଂରେଜୀ ମାସର ତାରିଖ ଗୋଳମାଳ କରି ଶଶାଙ୍କ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରେ, ତା’ପରେ ହଠାତ୍ ଦିନେ ଅସମୟରେ ଅପ୍ରତ୍ୟାଶିତ ଅତିଥି-ସମାଗମର ଆକସ୍ମିକ ଦାୟିତ୍ୱ ପଡ଼େ ସେହି ସ୍ତ୍ରୀ ଉପରେ । କାର୍ଯ୍ୟ-ନିର୍ଘଣ୍ଟରେ କୋଉଠି ଏତେ ଟିକିଏ ଭୁଲ ଥିଲେ ମଧ୍ୟ ସ୍ତ୍ରୀ ହାତରେ ପଡ଼ି ଯେ ତା’ର ସଂଶୋଧକ ନିଶ୍ଚୟ ହୋଇଯିବ, ଶଶାଙ୍କ ଏକଥା ଭଲ କରି ଜାଣେ; ବୋଧହୁଏ ସେଇଥିଲାଗି ପ୍ରତ୍ୟେକ କାର୍ଯ୍ୟରେ କିଛି ନା କିଛି ତ୍ରୁଟି ରଖିବା ତା’ର ଅଭ୍ୟାସଗତ ହୋଇ ଯାଇଛି । ସ୍ତ୍ରୀ ସ୍ନେହମିଶା ତିରସ୍କାର କରି କହେ, ‘‘ତୁମକୁ ଆଉ ପାରି ହେବ ନାହିଁ । ଯେତେ କହିଲେ ବି ତୁମେ ଶିଖିଲ ନାହିଁ ?” କିନ୍ତୁ ସ୍ୱାମୀ ସେତକ ଶିଖି ପାରୁଥିଲେ ଶର୍ମିଳାର ଦିନଗୁଡ଼ାକ ଅନାବାଦୀ ଫସଲଜମି ପରି ପଡ଼ି ରହିଥାନ୍ତା ।

 

ହୁଏତ ଶଶାଙ୍କ ତାର କେଉଁ ବନ୍ଧୁଘରକୁ ନିମନ୍ତ୍ରଣ ଖାଇ ଯାଇଛି । ରାତି ଏଗାରଟା ହେଉ ବା ଦିନ ଦି’ପହର ହେଉ, ବ୍ରିଜ୍ ଖେଳ ବନ୍ଦ ହେଉ ନାହିଁ । ହଠାତ୍‌ ବନ୍ଧୁମାନେ ଉଚ୍ଚ ହାସ୍ୟ କରି କହି ଉଠିଲେ “ଆହେ, ଏଣେ ସମନ ଜାରି କରିବାକୁ ପିଆଦା ଆସି ଗଲାଣି । ସମୟ ଅତି ଆସନ୍ନ ।”

 

ସେଇ ସବୁଦିନର ପରିଚିତ ମହେଶ ଚାକର । ପାକଲା ନିଶ, ମୁଣ୍ଡର ବାଳ ପାଚି ନାହିଁ, ଦିହରେ ହୁଗୁଳା ଜାମା, କାନ୍ଧରେ ରଙ୍ଗ ଗାମୁଛା, କାଖରେ ବାଉଁଶ ବାଡ଼ି । ମାଆ ସାଆନ୍ତାଣୀ ପଠାଇଛନ୍ତି ବାବୁ ଅଛନ୍ତି କି ନାହିଁ ଦେଖିଯିବାକୁ । ତାଙ୍କର ଭୟ ଯେ ସେ ଘରକୁ ଲେଉଟିଲା ବେଳେ କାଳେ ଅନ୍ଧାର ରାତିରେ ବାଟରେ ଦୁର୍ଯୋଗ ଘଟିବ । ଚାକର ହାତରେ ଗୋଟାଏ ଲଣ୍ଠନ ବି ପଠାଇଚନ୍ତି ।

 

ଶଶାଙ୍କ ବଡ଼ ବିରକ୍ତ ହୋଇ ତାସ ଫୋପାଡ଼ିଦେଇ ଉଠିଯାଏ । ବନ୍ଧୁମାନେ କହନ୍ତି, ‘ଆହା, କି ଅରକ୍ଷିତ ପୁରୁଷଟିଏ !‘ ଘରେ ପହଞ୍ଚି ଶଶାଙ୍କ ସ୍ତ୍ରୀ ସହିତ ସ୍ନିଗ୍‌ଧ ଭାଷା ଓ ଶାନ୍ତ ଭଙ୍ଗୀରେ କୌଣସି କଥାବାର୍ତ୍ତା କରିପାରେ ନାହିଁ । ଶର୍ମିଳା ତୁନି ତୁନି ସମସ୍ତ ଭର୍ତ୍ସନା ସହିଯାଏ । ସେ କ’ଣ କରିବ, ଆପଣା ସ୍ୱଭାବ ସେ ବଦଳାଇ ନାହିଁ । ସ୍ଵାମୀ ପାଖରେ ନ ଥିଲେ ଯେତେ ପ୍ରକାର ଅସମ୍ଭବ ବିପତ୍ତ ତା'ର ମନ ଭିତରେ ସ୍ୱାମୀ ବାଟରେ ଷଡ଼ଯନ୍ତ୍ର କରୁଥାଏ, ହଜାର ଚେଷ୍ଟା କରି ମଧ୍ୟ ସେ ଏଇ ଆଶଙ୍କା କୌଣସି ପ୍ରକାରେ ମନରୁ ଦୂର କରିପାରେ ନାହିଁ ।

 

ହୁଏତ କୌଣସି କାର୍ଯ୍ୟ–ଉପଲକ୍ଷରେ ସ୍ୱାମୀ ସହିତ ବାହାର ଘରେ କିଏ ଦେଖା କରିବାକୁ ଆସିଛନ୍ତି । ଅନ୍ତଃପୁରରୁ ଛୋଟିଆ କାଗଜ ଖଣ୍ଡରେ ଟିପାମାନ ଆସେ, ‘କାଲି ପରା ତୁମର ଦେହ ଭଲ ନ ଥିଲା ? ଆଜି ଚଞ୍ଚଳ ଚଞ୍ଚଳ ଦି'ଟା ପଥି କରି ପକାଇବ ଆସ ।' ଶଶାଙ୍କର ରାଗ ହୁଏ, କିନ୍ତୁ ହାର ମାନିଯାଏ । ଅତି ଦୁଃଖ କରି ଦିନେ ସେ ସ୍ତ୍ରୀକୁ କହିଥିଲା, “ମୋ’ ରାଣ ପକାଇ କହୁଛି, ଚକ୍ରବର୍ତ୍ତୀ ପରିବାରର ଘରଣୀଙ୍କ ପରି ଗୋଟାଏ ଦେବତାମୂର୍ତ୍ତି ଆଣି ରଖ । ତୁମର ମନୋଯୋଗ ମୁଁ ଏକା ଏକା ସହି ପାରିବି ନାହିଁ । ଦେବତା ସହିତ ସେଇଟା ଅଧାଅଧି କରି ବାଣ୍ଟି ଦେଲେ ବଡ଼ ସହଜ ହୁଅନ୍ତା । ଯେତେ ଅତିରିକ୍ତ ହୋଇପଡ଼ିଲେ ମଧ୍ୟ ଦେବତା କଦାପି ଆପତ୍ତା କରିବେ ନାହିଁ, କିନ୍ତୁ ମଣିଷର ସେତେ ବଳ ନାହିଁ ।”

 

‘ହାୟ ହାୟ’ କରି ଉର୍ମିଳା କହିଲା “ଦାଦିଙ୍କ ସଙ୍ଗରେ ସେଥର ହରିଦ୍ୱାର ଚାଲିଗଲି ବୋଲି ତୁମର ଯେଉଁ ଅବସ୍ଥା ହୋଇଥିଲା, ସେ କଥା କଣ ମୋର ମନେ ନାହିଁ ?”

 

ସେଥରକାର ଅବସ୍ଥାଟା ଯେ ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା, ନିଜେ ଶଶାଙ୍କ ଦିନେ ନାନା ଅଳଙ୍କାର ଦେଇ ସ୍ତ୍ରୀ ଆଗରେ ସେ କଥା ବର୍ଣ୍ଣନା କରିଛି । ସେ ଭଲକରି ଜାଣିଥିଲା ଯେ ଏ କଥା ଶୁଣି ଶର୍ମିଳା ଯେପରି ଅନୁତପ୍ତ ହେବ, ସେହିପରି ଆନନ୍ଦିତ ମଧ୍ୟ ହେବ । ଆଜି ପୁଣି ସେହି ଅମିତ ଭାଷଣର ପ୍ରତିବାଦ ସେ କୋଉ ମୁହଁରେ କରିବାକୁ ଯିବ ? ସୁତରାଂ ସେ ନୀରବ ହୋଇ ସବୁ ମାନିନେଲା; କେବଳ ସେତିକି ନୁହେଁ ସେଦିନ ବଡ଼ି ଭୋରରୁ ଯେପରି ଟିକିଏ ସର୍ଦ୍ଦି ସର୍ଦ୍ଦି ଲାଗୁଛି, ଶର୍ମିଳାର ଏହି କଳ୍ପନା ମୁତାବକ ତାକୁ ଦଶ ଗ୍ରେନ୍ କୁଇନାଇନ ଖାଇବାକୁ ପଡ଼ିଲା । ତୁଳସୀ ପତର ରସ ଦେଇ ଚାହାର ବି ବ୍ୟବସ୍ଥା ହୋଇଥିଲା । ସେ ପଦେ ହେଲେ ଆପତ୍ତ କରି ପାରିଲା ନାହିଁ । କାରଣ ଆଗରୁ ଥରେ ଠିକ୍ ଏମିତି ସର୍ଦ୍ଦି ହୋଇଥିବା ବେଳେ ସେ ଆପତ୍ତି କରି କୁଇନାଇନ୍ ଖାଇ ନ ଥିଲା । ଫଳରେ ସେଥର ତାକୁ ଜର ଭୋଗିବାକୁ ହୋଇଥିଲା । ସେହିଦିନଠାରୁ ବୃତ୍ତାନ୍ତଟି ଶଶାଙ୍କର ଇତିହାସରେ ଅପରିମୋଚନୀୟ ଅକ୍ଷରରେ ଲିପିବଦ୍ଧ ହୋଇ ରହିଛି ।

 

ଘର ଭିତରେ ଆରୋଗ୍ୟ ଓ ଆରାମ ଲାଗି ଶର୍ମିଳାର ସସ୍ନେହ ବ୍ୟଗ୍ରତା ଯେପରି, ଘର ବାହାରେ ସମ୍ମାନ ରଖିବା ଲାଗି ମଧ୍ୟ ତା’ର ସତର୍କତା ସେହିପରି ସହଜ । ଦିନକର କଥାଏ ମନେ ପଡ଼ୁଚି ।

 

ଥରେ ସେ ନୈନିତାଲ ବୁଲି ଯାଇଥିଲା । ଅନେକ ଦିନ ଆଗରୁ ସମସ୍ତ ପଥିଲାଗି ଗାଡ଼ିର ଡବା ରିଜର୍ଭ କରା ଯାଇଥିଲା । କୌଣସି ଜଙ୍କସନରେ ଗାଡ଼ି ବଦଳାଇ ସେ ଖାଇବାକୁ ଗଲା । ସିଆଡୁ ଫେରି ଆସି ଦେଖିଲା ପୋଷାକ ପିନ୍ଧିଥିବା ଦୁଇଟି ମୂର୍ତ୍ତି ସେମାନଙ୍କୁ ଡବାରୁ ବେଦଖଲ କରିବାର ଚେଷ୍ଟା କରୁଛନ୍ତି । ଷ୍ଟେସନମାଷ୍ଟରଙ୍କୁ ଡକରା ହେଲା; ସେ ଜଣେ ବିଶ୍ୱବିଶ୍ରୁତ ଜେନେରାଲଙ୍କର ନାମ କହିଲେ, ଏଇଟା ତାଙ୍କରି ଡବା, ଭୁଲକ୍ରମେ ସେଥିରେ ଅନ୍ୟ ଜଣଙ୍କର ନାମ ଟଙ୍ଗାଇ ଦିଆଯାଇଛି । ଶଶାଙ୍କ ଚକ୍ଷୁ ବିସ୍ଫାରିତ କରି ଅତ୍ୟନ୍ତ ସମ୍ଭମ ସହିତ ଅନ୍ୟତ୍ର ଯିବାର ଉପକ୍ରମ କରୁଛି, ହଠାତ୍‌ ଶର୍ମିଳା ଗାଡ଼ି ଉପରକୁ ଉଠିଯାଇ ଦୁଆରମୁହଁରେ ଠିଆହୋଇ କହିଲା, ‘‘ଦେଖାଯାଉ, କିଏ ମତେ ଏଠୁ ତଳକୁ ଓହ୍ଲାଇ ଦେଇ ପାରିବ । ଡାକିଆଣ ତୁମର ଜେନେରାଲ ।’’ ଶଶାଙ୍କ ସେତେବେଳେ ସରକାରୀ ଚାକିରୀ କରୁଥାଏ । ଯଥୋଚିତ ଭାବେ ଉପବାଲାଙ୍କର ଜ୍ଞାତିଗୋତ୍ର ଏଡ଼ି ନିରାପଦ ପଥରେ ଯିବା ତାର ଅଭ୍ୟାସ । ସେ କେତେ ବ୍ୟସ୍ତ ହୋଇ କହୁଥାଏ, ‘‘ଜିଦ୍‌ କରି କି ଲାଭ, ଆମପାଇଁ କଣ ଆଉ ଗାଡ଼ି ନାହିଁ ?’’ ତଥାପି ଶର୍ମିଳା ତା’ କଥାରେ କାନ ଦେଉ ନ ଥାଏ । ଅବଶେଷରେ ଜେନେରାଲ ସାହେବ ରିଫ୍ରେସ୍‌ମେଣ୍ଟ ରୁମରେ ଆହାର ସମାପନ କରି ଚୁରୁଟ୍‌ ଟାଣୁ ଟାଣୁ ଦୂରରୁ ସ୍ତ୍ରୀ ମୂର୍ତ୍ତିର ଉଗ୍ରତା ଦେଖି ଆପେ ଅପସରି ଗଲେ । ଶଶାଙ୍କ ସ୍ତ୍ରୀକୁ କହିଲା, ‘ଜାଣ, ସେ କେଡ଼େ ବଡ଼ ଲୋକ ?’ ସ୍ତ୍ରୀ ଉତ୍ତର ଦେଲେ ‘ମୋର ଗରଜ ପଡ଼ିଚି ଜାଣିବାକୁ-। ଆମେ ଯୋଉ ଡବାଟା ରିଜର୍ଭ କରିଚୁ, ସେ ଡବାରେ ତୁମଠାରୁ ସିଏ ବଡ଼ ନୁହେଁ ।’

 

ଶଶାଙ୍କ ପଚାରିଲା, ‘ଯଦି ଅପମାନ ଦେଇଥାନ୍ତା ?’

 

ଶର୍ମିଳା ଉତ୍ତର ଦେଲା, ‘ତା’ହେଲେ ତୁମେ କାହିଁକି ରହିଛ ?’

 

ଶଶାଙ୍କ ଶିବପୁର କଲେଜରୁ ଇଞ୍ଜିନିଅରିଂ ପାସ୍ କରିଛି । ଘର ଭିତରର ଜୀବନଯାତ୍ରାରେ ସେ ଯେତେ ଢିଲା କରିଥାଉ ପଛକେ, ଚାକିରୀ କାମରେ ସେ ବିଲ୍‌କୁଲ୍‌ ପକ୍‌କା । ତା’ର ପ୍ରଧାନ କାରଣ ହେଉଛି, କର୍ମକ୍ଷେତ୍ରରେ ଯେ ଏକ ବଡ଼ ଗ୍ରହର ନିର୍ମମ ଦୃଷ୍ଟି ତା’ ଉପରେ ସବୁବେଳେ ପଡୁଛି । ଚଳନ୍ତି କଥାରେ ତାକୁ ବଡ଼ ସାହେବ କହନ୍ତି । ସେ ତ ଆଉ ସ୍ତ୍ରୀ ଗ୍ରହ ନୁହନ୍ତି । ଶଶାଙ୍କ ଯେତେବେଳେ ଅସ୍ଥାୟୀ ଭାବେ ଡିଷ୍ଟ୍ରିକ୍ଟ ଇଞ୍ଜିନିୟର କାମରେ ମୁକରର ହୋଇଛି, ସେତିକିବେଳେ ତାର ଆସନ୍ନ ଉନ୍ନତିର ଗତିଟା ଓଲଟି ପଡ଼ିଲା । ଯୋଗ୍ୟତା କମ୍‌, ଏଣେ ଅଭିଜ୍ଞତା ମଧ୍ୟ ତା’ ତୁଳନାରେ କଞ୍ଚା, ନିଶ ଉଠି ନ ଥିବା ଏହିପରି ଜଣେ ଇଂରେଜ ଯୁବକ ହଠାତ୍ ଦିନେ ତା’ର ଆସନ ଅଧିକାର କଲେ । କର୍ତ୍ତୁପକ୍ଷଙ୍କର ଆହୁରି ଉପରିକର୍ତ୍ତାଙ୍କର ସମ୍ପର୍କୀୟ ହୋଇଥିବାରୁ ଓ ତାଙ୍କଠାରୁ ସୁପାରିଶ ପାଇଥିବାରୁ ହଠାତ୍‌ ତାଙ୍କର ଏହି ଅଭାବନୀୟ ଆବିର୍ଭାବ ସମ୍ଭବ ହୋଇପାରିଲା ।

 

ଏହି ଅର୍ବାଚୀନକୁ ଉପର ଆସନରେ ବସାଇ ତଳ ସ୍ତରରେ ଥାଇ ତାକୁହିଁ ସମସ୍ତ କାମ ଚଳାଇବାକୁ ହେବ, ଏକଥା ଶଶାଙ୍କ ଠିକ ବୁଝିପାରିଲା । କର୍ତ୍ତୃପକ୍ଷ ପୁଣି ପିଠି ଥାପୁଡ଼େଇ କହିଲେ, “ଭେରି ସରି ମଜୁମଦାର, ଯଥାସମ୍ଭବ ଶୀଘ୍ର ତୁମକୁ ଉପଯୁକ୍ତ ସ୍ଥାନରେ ରଖାଇଦେବି ।” କର୍ତ୍ତୃପକ୍ଷ ଆଉ ଉପର ସାହେବ, ଦୁହେଁ ଯେପରି ଏକ ପରସ୍ପର ସାହାଯ୍ୟକୃତ ପରିବାରର ଅନ୍ତର୍ଭୁକ୍ତ ।

 

ନାନା ଆଶ୍ଵାସ ଓ ସାନ୍ତନା ସତ୍ତ୍ୱେ ବ୍ୟାପାରଟା ଶଶାଙ୍କ ପକ୍ଷରେ ଅତି ବିସ୍ୱାଦ କଟୁ ହୋଇପଡ଼ିଲା । ଘରେ ସେଦିନ ସେ ଟିକିଏ ଟିକିଏ କଥାରେ ଖିଟ୍‌ଖିଟ୍‌ ଆରମ୍ଭ କରିଦେଲା । ହଠାତ୍ ଆଖିରେ ପଡ଼ିଗଲା ତା’ର ଅଫିସ ଘରେ ଗୋଟାଏ କଣଯାକ ମାଙ୍କଡ଼ସା ଜାଲ ହୋଇଗଲାଣି, ହଠାତ୍ ମନେ ହେଲା ଖଟ ଉପରେ ପଡ଼ିଥିବା ସବୁଜ ରଙ୍ଗର ଚଦରଟା ତା’ର ମୋଟେ ସହ୍ୟ ହେଉ ନାହିଁ । ବେହେରା ପିଣ୍ଡା ଖରକୁଥିଲା, ଧୂଳି ଉଡୁଛି ବୋଲି ତା’ଉପରେ ଗୋଟାଏ ପ୍ରକାଣ୍ଡ ଗାଳି ଶ୍ରାଦ୍ଧ ହୋଇଗଲା । ଧୂଳି ତ ରୋଜ ଉଡ଼େ, କିନ୍ତୁ ଗାଳିଟା ହେଲା କେବଳ ଆଜି ।

 

ନିଜର ଅସମ୍ମାନର ଏଇ ଖବରଟା ସେ ସ୍ତ୍ରୀ ଆଗରେ କହିଲା ନାହିଁ । ବିଚାରିଲା ସ୍ତ୍ରୀ କାନରେ ବାଜିଲେ ସେ ଚାକିରୀ-ଜାଲରେ ଆଉ ଗୋଟିଏ ଗଣ୍ଠି ପକାଇଦେବ–ଅବା ହୁଏତ ନିଜେ ଯାଇ ଅମଧୁର ଭାଷାରେ କର୍ତ୍ତୃପକ୍ଷଙ୍କ ସଙ୍ଗେ କଜିଆ କରି ଆସିବ । ବିଶେଷତଃ ଏଇ ଡୋନାଲ୍‌ଡସନ୍ ସାହେବଙ୍କ ଉପରେ ତା’ର ଭାରି ରାଗ ଅଛି । ଥରେ ସର୍କିଟ ହାଉସ୍‌ ବଗିଚାରେ ମାଙ୍କଡ଼ଙ୍କର ଉତ୍ପାତ ଦମନ କରିବାକୁ ଯାଇ ଛର୍‌ରା ମାରି ଶଶାଙ୍କର ସୋଲ ଟୋପି କଣାକରି ଦେଇଚି । ଲୋକେ କହନ୍ତି ଏଥିରେ ଶଶାଙ୍କର ହିଁ ପୂରା ଦୋଷ, ଏକଥା ଶୁଣି ଡୋନାଲ୍‌ଡସନ୍ ଉପରେ ତାର ରାଗ ଆହୁରି ବଢ଼ିଯାଏ । ରାଗର ସବୁଠାରୁ ବଡ଼ କାରଣ ହେଉଛି ଯେ ମାଙ୍କଡ଼କୁ ଲକ୍ଷ୍ୟକରି ମରାହୋଇଥିବା ଗୁଳି ଶଶାଙ୍କ ଉପରେ ପଡ଼ିଥିବାରୁ ଶତ୍ରୁପକ୍ଷ ଲୋକେ ଦୁଇ ବ୍ୟାପାରର ସମୀକରଣ କରି ଉଚ୍ଚହାସ୍ୟ କରିଛନ୍ତି ।

 

ଶଶାଙ୍କର ପଦ-ଲାଘବ ଖବରଟା ସ୍ତ୍ରୀ ନିଜେ ଆବିଷ୍କାର କଲା । ସ୍ୱାମୀର ହାବଭାବ ଦେଖି ସେ ଠଉରେଇ ପାରିଥିଲା ଯେ ସଂସାରର କୋଉଠି ନା କୋଉଠି ନିଶ୍ଚୟ ଗୋଟାଏ ବିପଦ ଘଟିଛି । ତା’ପରେ କାରଣଟା ବାହାର କରିବାକୁ ଆଉ ବେଶୀ ବେଳ ଲାଗିନାହିଁ । କନ୍‌ଷ୍ଟିଟ୍ୟୁସନାଲ ଏଜିଟେସନ୍ ବାଟରେ ନ ଯାଇ ସେ ସେଲ୍‌ଫ ଡିଟର୍ମିନେଶନ୍‌ର ବାଟ ଧରି ସ୍ଵାମୀକୁ କହିଲା, “ନା, ଏହିକ୍ଷଣି ଚାକିରୀ ଛାଡ଼ିଦିଅ ।”

 

ଚାକିରୀ ଛାଡ଼ିଦେଲେ ପ୍ରକୃତରେ ଅପମାନର ଜୋକଟା ଛାତି ପାଖରୁ ତଳକୁ ଖସି ପଡ଼ନ୍ତା । କିନ୍ତୁ ଏଣେ ଯେ ଧ୍ୟାନଦୃଷ୍ଟି ସମ୍ମୁଖରେ ବନ୍ଧା ଦରମାର ଅନ୍ନକ୍ଷେତ୍ର ପ୍ରସାରିତ ରହିଛି ଏବଂ ତା’ର ପଶ୍ଚିମ ଦିଗରେ ଟେନ୍‌ସନ୍‌ର ଅବିଚଳିତ ସ୍ଵର୍ଣ୍ଣୋଜ୍ଜ୍ୱଳ ରେଖା ମଧ୍ୟ ଝଲକି ଉଠୁଛି ।

 

ଯେଉଁ ବର୍ଷ ଶଶାଙ୍କମୌଜୀ ଏମ୍.ଏସ୍.ସି. ଡିଗ୍ରୀର ସର୍ବୋଚ୍ଚ ଶିଖରରେ ଅଧିରୁଢ଼ ହେଲେ, ସେଇ ବରଷ ହିଁ ଶ୍ୱଶୁର ଶୁଭନିମିତ୍ତ ବଢ଼ାଇଦେଲେ–ଶର୍ମିଳା ସହିତ ଶଶାଙ୍କର ବିବାହ ହୋଇଗଲା । ଧନୀ ଶ୍ୱଶୁରଙ୍କ ସାହାଯ୍ୟରେ ସେ ଇଞ୍ଜିନିୟରିଂ ପାସ କଲା । ତା'ପରେ ଚାକିରୀରେ ଦ୍ରୁତ ଉନ୍ନତିର ଲକ୍ଷଣ ଦେଖି ରାଜାରାମ ବାବୁ ଜୁଆଁଇର ଭାବୀ ସ୍ୱଚ୍ଛଳତା ଅନୁମାନ କରି ବେଶ୍ ଆଶ୍ୱସ୍ତ ହୋଇଥିଲେ । ଝୁଅ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଅବସ୍ଥାନ୍ତର ଘଟିଛି ବୋଲି ଅନୁଭବ କରିନାହିଁ । କେବଳ ଯେ ସଂସାରରେ ଅଭାବ ନାହିଁ, ତା’ନୁହେଁ, ବାପଘରର ଚାଲିଚଳନରେ ଏପର୍ଯ୍ୟନ୍ତ କୌଣସି ତ୍ରୁଟି ହୋଇନାହିଁ । ତା’ର କାରଣ ହେଉଛି ପରିବାରର ଏହି ଦୋସମାଳି ରାଜ୍ୟରେ ସମସ୍ତ ବ୍ୟବସ୍ଥାବିଧି ଶର୍ମିଳା ମାରଫତ୍ ରହିଛି । ସନ୍ତାନସନ୍ତତି ନାହାନ୍ତି, ହେବାର ଆଶା ମଧ୍ୟ ସେ ବୋଧହୁଏ ଛାଡ଼ି ଦେଇଛି । ସ୍ୱାମୀର ଅଖଣ୍ଡ ଉପାର୍ଜନ ସମସ୍ତ ତାହାରି ହାତକୁ ଆସେ । ଯେକୌଣସି ବିଶେଷ ପ୍ରୟୋଜନ ବେଳେ ଘରର ଅନ୍ନପୂର୍ଣ୍ଣାଙ୍କଠାରୁ ଭିକ୍ଷା ନ ମାଗିଲେ ଶଶାଙ୍କ କିଛି କରିପାରେ ନାହିଁ । ପ୍ରୟୋଜନର ଦାବୀ ଅସଙ୍ଗତ ବୋଲି ମନୋନୀତ ହେଲେ ଶଶାଙ୍କ ଆଙ୍ଗୁଠିରେ ମୁଣ୍ଡ କୁଣ୍ଡାଉ କୁଣ୍ଡାଉ ତାହା ମାନିନିଏ । ହୁଏତ ଆଉ ଅନ୍ୟ କୌଣସି ଦିଗରୁ ତାର ନୈରାଶ୍ୟଟା ମଧୁର ରସରେ ପୂର୍ଣ୍ଣ ହୋଇଯାଏ ।

 

ଶଶାଙ୍କ କହିଲା, ‘ଚାକିରୀ ଛାଡ଼ିଦେଲେ ମୋ’ର କିଛି ଯାଆନ୍ତା ନାହିଁ ଯେ, କେବଳ ତୁମରି କଥା ଭାବିବାକୁ ପଡୁଛି । ତୁମକୁ ଭାରି ହଇରାଣ ହେବାକୁ ପଡ଼ିବ ।”

 

ଶର୍ମିଳା ଉତ୍ତର ଦେଲା, “କିନ୍ତୁ ଅନ୍ୟାୟଟାକୁ ଗିଳିବାକୁ ଯାଇ ତଣ୍ଟିରେ ଲାଖିଥିଲାବେଳେ କଷ୍ଟ କଥା ବସି ବୁଝୁଥିବ ।”

 

ଶଶାଙ୍କ କହିଲା, ‘କିନ୍ତୁ ଯୋଉଠି ହେଲେ ତ ପୁଣି ଚାକିରୀ କରିବାକୁ ହେବ । ଧ୍ରୁବକୁ ଛାଡ଼ି ପୁଣି କୋଉଠିକି ଯିବି ଅଧ୍ରୁବକୁ ଖୋଜିବାକୁ ?’

 

‘ସେ ସ୍ଥାନ ତୁମ ଆଖିକୁ ଦିଶିବ ନାହିଁ । ତୁମେ ଯାହାକୁ ଥଟ୍ଟା କରି କହ ଯେ ତୁମ ଚାକିରୀର ଲୁଚି-ସ୍ଥାନ, ବେଲୁଚି–ସ୍ଥାନ ମରୁଭୂମି ଆରପାଖରେ, ତାର ବାହାରେ ଥିବା ବିଶ୍ୱବ୍ରହ୍ମାଣ୍ଡକୁ ତ ତୁମେ ସ୍ୱୀକାର ସୁଦ୍ଧା କର ନାହିଁ ।

 

‘ସର୍ବନାଶ ! ସେ ବିଶ୍ୱବ୍ରହ୍ମାଣ୍ଡଟା ଯେ ଅତି ପ୍ରକାଣ୍ଡ । ସେଠି ରାସ୍ତାଘାଟ ସର୍ଭେ କରିବାକୁ ମୋର କିଏ ଯିବ ? ଏତେ ବଡ଼ ଦୂରବୀକ୍ଷଣ ଯନ୍ତ୍ର ମୁଁ କେଉଁଠୁ ପାଇବି ?’

 

‘ଖୁବ୍‌ ବଡ଼ ଦୂରବୀକ୍ଷଣ ଯନ୍ତ୍ରର ଦରକାର ନାହିଁ । ମୋର ଜ୍ଞାତି ସମ୍ପର୍କୀୟ ମଥୁରିଭାଇ କଲିକତାରେ ବଡ଼ ନାମଜାଦା କଣ୍ଟ୍ରାକ୍ଟର, ତାଙ୍କ ସଙ୍ଗେ ଭାଗ ହୋଇ କାମ କଲେ ସଂସାର ଚଳିଯିବ-।’

 

‘କିନ୍ତୁ ସେ ଭାଗଟା କଣ ଓଜନରେ ତାଙ୍କର ସମାନ ହୋଇପାରିବ ? ଗୋଟାଏ ପାଖରେ ବଟକରା କମି ହୋଇଯିବ ଯେ, କାମୁଡ଼ି ବିଦାରି ଭାଗୀଦାର ହେବାକୁ ହେଲେ ଶେଷରେ ମାନସମ୍ମାନ ରହିବ ନାହିଁ ।’

 

‘କିନ୍ତୁ ଇଆକୁ ତ କିଛି କମିଯାଇ ନାହିଁ । ତୁମେ ତ ଜାଣ. ବାପା ମୋ ନାଁରେ ବ୍ୟାଙ୍କ୍‌ରେ ଯେଉଁ ଟଙ୍କା ରଖିଥିଲେ, ତା'ର ସୁଧ ଦିନୁ ଦିନ ବଢ଼ୁଛି । ଭାଗୀଦାର ପାଖରେ ତୁମକୁ ଆଉ ଛୋଟ ହେବାକୁ ପଡ଼ିବ ନାହିଁ ।'

 

‘ନା, ସେକଥା ହବ ନାହିଁ । ସେ ତୁମର ଟଙ୍କା', କହି ଶଶାଙ୍କ ଯିବାକୁ ବାହାରିଲା । ବାହାରେ ମଣିଷ ବସିଚନ୍ତି ।

 

ସ୍ୱାମୀର ଲୁଗା ଧରି ଟାଣି ବସାଇଦେଇ ଶର୍ମିଳା କହିଲା, ମୁଁ କଣ ତୁମର ନୁହେଁ ?’

 

ତା’ ପରେ କହିଲା, “ପକେଟରୁ ଫାଉଣ୍ଟେନପେନ୍ ବାହାର କର, ଚିଠିଲେଖା ଜାଗଜ ଦେଉଛି, ନିଅ । ବର୍ତ୍ତମାନ ଇସ୍ତଫା ଚିଠି ଲେଖିଦିଅ । ତାକୁ ଡାକରେ ନ ପକାଇଲାଯାଏ ମୋ’ ମନର ଶାନ୍ତି ନାହିଁ ।”

 

‘‘ବୋଧହୁଏ, ମୋର ମଧ୍ୟ ତା ପୂର୍ବରୁ ଶାନ୍ତି ନାହିଁ ।”

 

ସେହିଦିନ ହିଁ ଇସ୍ତଫାପତ୍ର ଲେଖା ହେଲା ।

 

ତା’ଆରଦିନ ଶର୍ମିଳା କଲିକତା ଗଲା । ମଥୁରିଭାଇଙ୍କ ପାଖରେ ଅଭିମାନ କରି କହିଲା, ଦିନେ ହେଲେ ବି କଣ ଭଉଣୀର ଖବର ବୁଝନ୍ତ ନାହିଁ ?' ପ୍ରତିଦ୍ୱନ୍ଦୀ ନାରୀ ହୋଇଥିଲେ ସଙ୍ଗେ ସଙ୍ଗେ ଜବାବ ଦେଇଥାନ୍ତା ‘ତୁମେ ବି କ'ଣ ମୋ’ ଖବର ବୁଝନ୍ତ ନାହିଁ ? ‘କିନ୍ତୁ ପୁରୁଷ ମୁଣ୍ଡରେ ଏପରି ଏକ ଜବାବ ପଶିପାରିଲା ନାହିଁ । ସଙ୍ଗେ ସଙ୍ଗେ ସେ ଆପଣାର ଅପରାଧ ସ୍ୱୀକାର କରିନେଇ କହିଲେ ’ନିଶ୍ୱାସ ପକାଇବାକୁ ବି ବେଳ ନାହିଁ । ଆପେ ଅଛି କି ନାହିଁ ଜାଣିବାକୁ ମଧ୍ୟ ବାଉଳା ହୋଇଯାଉଛି । ତୁମେସବୁ ତ ସବୁବେଳେ ଦୂରଛଡ଼ା ହୋଇ ବୁଲୁଥାଅ ।'

 

ଶର୍ମିଳା ରତ୍ତର ଦେଲା, 'ଖବର କାଗଜରେ ପଢ଼ିଲି, ମୟୁରଭଞ୍ଜ ନା ମଥୁରିଗଞ୍ଜ କୋଉଠି ଗୋଟାଏ ବ୍ରିଜ୍‌ ତିଆରି କରିବାର କାମ ତୁମେ ହାତକୁ ନେଇଛ । ଶୁଣି ଖୁବ୍‌ ଖୁସି ହେଲି । ଭାବିଲି ନିଜେ ଯାଇ ମଥୁରି ଭାଇକୁ କୃତଜ୍ଞତା ଜଣାଇଦେଇ ଆସେ ।'

 

ଟିକିଏ ରହି ରହି କୃତଜ୍ଞତା କଣାଇବୁ । ତା’ର ସମୟ ହେଉ ।'

 

କଥାଟା ହେଉଛି, ନଗଦ ଟଙ୍କା ଦେବାକୁ ହେବ । ମାରୱାଡ଼ୀ ଧନୀ ଭାଗୀଦାର ସହିତ ଭାଗ ହୋଇ କାମ କରିବା କଥା । ଶେଷକୁ ପୁଣି ଜଣାପଡ଼ିଲା ଯେ ଯେପରି ସର୍ତ୍ତରେ କାମ କରିବାକୁ ପଡ଼ିବ, ସେଥିରେ ମାରୱାଡ଼ୀ ପାଇବ ଶସ ଆଉ ନିଜ ଭାଗକୁ ଖାଲି ଛେଦା ପଡ଼ିବ । ଏଇସବୁ କାରଣରୁ ବର୍ତ୍ତମାନ ଖସି ଆସିବାର ବୁଦ୍ଧି ଖୋଜା ହେଉଛି ।

 

ଶର୍ମିଳା ବ୍ୟସ୍ତ ହୋଇ ପଚାରିଲା, ଏ କଥା କେବେହେଲେ ହୋଇ ପାରିବ ନାହିଁ । ଭାଗୀଦାର ହୋଇ କାମ କରିବାକୁ ହେଲେ ଆମ ସହିତ ଭାଗ ହୋଇ କର । ଏଡ଼େ ବଡ଼ କାମଟାଏ ହାତରୁ ଛଡ଼ାଇଦେଲେ ବଡ଼ ଅନ୍ୟାୟ ହେବ । ତୁମେ ଯାହା କହ ପଛକେ, ମୁଁ ଥାଉ ଥାଉ ଏ କଥା କଦାପି ହୋଇ ପାରିବ ନାହିଁ ।’

 

ଏହିପରି କଥାବାର୍ତ୍ତା ପରେ ଲେଖା ପଢ଼ି ହେବାକୁ ବେଶୀ ଡେରି ଲାଗିଲା ନାହିଁ । ମଥୁରିଭାଇଙ୍କର ହୃଦୟ ମଧ୍ୟ ବିଗଳିତ ହୋଇଗଲା ।

 

ବ୍ୟବସାୟ ଜୋରସୋରରେ ଚାଲିଲା । ଏଥିପୂର୍ବରୁ ଶଶାଙ୍କ କେବଳ ଚାକିରୀର ଦାୟିତ୍ୱରେ କାମ କରିଥିଲା, କିନ୍ତୁ ସେ ଦାୟିତ୍ୱର ସୀମା ପରିମିତ ଥିଲା । ମୁନିବ ବାହାର ମଣିଷ ଥିଲେ, ତେଣୁ ଦାବୀ ଓ ଦେୟ ସମାନ ସମାନ ଓଜନରେ ଚାଲୁଥିଲା । କିନ୍ତୁ ଏବେ ଆପଣାର ପ୍ରଭୁତ୍ୱହିଁ ଆପଣାକୁ ଚଳାଉଛି, ଦାବୀ ଓ ଦେୟ ପରସ୍ପର ମିଳିଯାଇଛି । ଦିନଗୁଡ଼ାକ ଆଉ ଆଗପରି ଛୁଟି ଓ କାମ ଦ୍ୱାରା ଜାଲବୁଣା ନୁହେଁ, ଏଥର ସମୟ ଅତି ଖାଣ୍ଟି ହୋଇଯାଇଛି । ଯେଉଁ ଦାୟିତ୍ୱମାନ ତା’ର ମୁଣ୍ଡ ଉପରକୁ ଆସେ, ସେଗୁଡ଼ିକୁ ଇଚ୍ଛା କଲେ ଏଡ଼ିହେବ ବୋଲି, ସେ ଦାୟିତ୍ୱର ଏତେ ଶକ୍ତି ! ସ୍ତ୍ରୀର ଋଣ ପରିଶୋଧ କରିବାକୁ ହେବ, ତାପରେ ଯାଇ ନିଶ୍ୱାସ ମାରି ସେ ଧୀର ସୁସ୍ଥ ହେବ । ବାଁ ହାତରେ ଘଡ଼ି ବନ୍ଧା, ମୁଣ୍ଡରେ ସୋଲ ଟୋପି, କମିଜର ହାତ ମୋଡ଼ା ହୋଇଛି, ଖାକି ପ୍ୟାଣ୍ଟରେ ପୁଣି ଚମଡ଼ାର କମରବନ୍ଧ ଭିଡ଼ା ହୋଇଛି, ମୋଟା ‘ସୁକତଲା’ ଥିବା ଜୋତା, ଆଖିରେ ଖରାଧାସ ବାଜିବ ବୋଲି ରଙ୍ଗୀନ ଚଷମା,–ଶଶାଙ୍କ ପୂରା ଜୋରସୋର କାମରେ ଲାଗିଗଲା । ସ୍ତ୍ରୀ’ର ଋଣ ଶୋଧ ହେବା ଉପରେ ଆସି ହେଲା ପଛକେ, ତଥାପି ଇଞ୍ଜିନର ଦମ୍ କମିଲା ନାହିଁ, ମନ ସେତେବେଳକୁ ସରଗରମ ହୋଇ ଉଠିଛି ।

 

ସାଂସାରିକ ଆୟବ୍ୟୟର ନାଳୀଟା ଆଗେ ଗୋଟାଏ କିତାରେ ବହୁଥିଲା; ଏଣିକି ଦୁଇ କିତା ହେଲା, ଗୋଟାଏ ଗଲା ବ୍ୟାଙ୍କ ଆଡ଼େ, ଆଉ ଗୋଟାଏ ଘର ଆଡ଼େ । ଶର୍ମିଳାର ଗୋଟିଏ ହେଲେ ଫରମାସ ଊଣା ହୋଇ ନାହିଁ, ସେ ବାବତରେ ଯାହା ଦେଣା ପାଉଣା ଚାଲିଛି ତାହାର ରହସ୍ୟ ଶଶାଙ୍କକୁ ଅଗୋଚର । ପୁଣି ବ୍ୟବସାୟର ଚମଡ଼ା –ବନ୍ଧାଇ ହିସାବ–ଖାତାଟା ଶର୍ମିଳା ଲାଗି ଦୁର୍ଗମ ଦୁର୍ଗ ପରି ରହିଛି । ସେଥିରେ କ୍ଷତି କଣ ? କିନ୍ତୁ ସ୍ୱାମୀର ବ୍ୟାବସାୟିକ ଜୀବନର କକ୍ଷପଥ ଶର୍ମିଳାର ସଂସାର-ଚକ୍ରର ବାହାରେ ପଡ଼ିଯାଇ ଥିବାରୁ ଅନ୍ତତଃ ସେହି ଦିଗରୁ ତା’ର ବିଧିବିଧାନ ବେଳେବେଳେ କାଏମ୍ ରହି ପାରୁ ନାହିଁ । ସେ ଭାରି ମିନତି କରି କହେ, “ଏତେ ଖଟିଲେ ଦେହ ରହିବ ନା ?” ଶଶାଙ୍କ ସେଥିକୁ କାନ ଦିଏ ନାହିଁ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଦେହ ମଧ୍ୟ ଠିକ୍ ସେମିତି ପୂରି ରହିଛି । ସ୍ୱାସ୍ଥ୍ୟ-ବିଷୟକ ଉଦ୍‌ବେଗ, ବିଶ୍ରାମର ଅଭାବ, ବିଷୟରେ ଆକ୍ଷେପ, ଆରାମ ଫୁରସତର ନାନା ଟିକିନିଖି କଥା ନେଇ ବ୍ୟସ୍ତତା ପ୍ରଭୃତି ଦାମ୍ପତ୍ୟିକ ଉତ୍କଣ୍ଠାକୁ ସବେଗେ ଉପେକ୍ଷା କରି ନିତି ସକାଳେ ଶଶାଙ୍କ ସେକେଣ୍ଡ–ହାଣ୍ଡ ଫୋର୍ଡ଼ ଗାଡ଼ି ନିଜେ ଚଳାଇ ହର୍ଣ୍ଣ ଦେଇ ବାହାରିପଡ଼େ । ପ୍ରାୟ ଦିନ ଦୁଇଟା ସାଢ଼େ ଦୁଇଟା ବେଳକୁ ଘରକୁ ଫେରି ସ୍ତ୍ରୀ’ଠାରୁ ଗାଳି ଖାଏ ଏବଂ ତରତର ହୋଇ ଅନ୍ୟାନ୍ୟ ଖାଇବା ମଧ୍ୟ ଶେଷ କରେ ।

 

ଥରେ ତାର ମଟରଗାଡ଼ି ସଙ୍ଗେ ଆଉ ଗୋଟାଏ କାହାର ମଟରର ଧକ୍‌କା ଲାଗିଲା । ନିଜେ ବଞ୍ଚିଗଲା କିନ୍ତୁ ଗାଡ଼ିଟା ଜଖମ ହୋଇଗଲା । ବାଧ୍ୟହୋଇ ଶଶାଙ୍କ ତାକୁ ମରାମତି ଲାଗି ପଠାଇ ଦେଲା । ଶର୍ମିଳା ଅତି ବ୍ୟତିବ୍ୟସ୍ତ ହୋଇପଡ଼ିଲା । ବାଷ୍ପାକୁଳ କଣ୍ଠରେ ଯାଇ କହିଲା, ନିଜ ହାତରେ ତୁମକୁ ଆଉ ଦିନେହେଲେ ଗାଡ଼ି ଚଳାଇବାକୁ ଦେବି ନାହିଁ ।

 

କଥାଟାକୁ ଉଡ଼ାଇଦେଇ ହସି ହସି ଶଶାଙ୍କ ଉତ୍ତର ଦେଲା, ’ପରହାତର ବିପଦ ମଧ୍ୟ ସେଇ ଏକା ଜାତିର ଶତ୍ରୁ’ ।

 

ଆଉ ଥରେ ଗୋଟାଏ ମରାମତି କାମ ତଦନ୍ତ କରିବାକୁ ଯାଇ ଯୋତା ଫଟାଇ ତାର ପାଦରେ ଗୋଟାଏ କିରାସିନୀ କଣ୍ଟା ପଶିଲା । ଅଗତ୍ୟା ଡାକ୍ତରଖାନା ଯାଇ ପଟି ବାନ୍ଧି ଧନୁଷ୍ଟଙ୍କାରର ଟୀକା ନେବାକୁ ହେଲା । ସେଦିନ ଶର୍ମିଳା କାନ୍ଦି କାନ୍ଦି କହିଲା, ’ଅଇଛା କିଛିଦିନ କେବଳ ଶୋଇ ରହି ଥାଅ ।’

 

ଅତି ସଂକ୍ଷେପରେ ଉତ୍ତର ଦେଲା ‘କାମ’ । ଏହାଠାରୁ ଅଧିକ ସଂକ୍ଷିପ୍ତ ବାକ୍ୟ ଆଉ କଣ ହୋଇପାରିଥାନ୍ତା ?

 

ଶର୍ମିଳା କହିଲା, ’କିନ୍ତୁ’ -ଏଥର ଶଶାଙ୍କ କୌଣସି ଉତ୍ତର ନ ଦେଇ ପଟିବନ୍ଧା ଗୋଡ଼ରେ କାମକୁ ବାହାରିଗଲା ।

 

ବିଶେଷ ଜିଦ କରି କହିବାକୁ ଶର୍ମିଳାର ସାହସ ପାଏ ନାହିଁ । ପୁରୁଷର ଆପଣା କ୍ଷେତ୍ରରେ ତାର ଜୋର ଦେଖା ଦେଇଛି । ସମସ୍ତ ଯୁକ୍ତିତର୍କ କାକୁତି ମିନତି ଆଗରେ ତାର ସେଇ ଗୋଟାଏ କଥା ‘କାମ ଅଛି ।’ ଶର୍ମିଳା ଅକାରଣଟାରେ ଉଦ୍‌ବିଗ୍ନ ହୋଇ ବସିରହେ । କୋଉଦିନ ଡେରି ହେଲେ ଭାବେ ନିଶ୍ଚୟ ମଟର ଦୁର୍ଘଟଣା ଘଟିଛି । ଦିନେ ଦିନେ ଖରାତାପରେ ସ୍ୱାମୀର ମୁହଁ ରଙ୍ଗା ଦିଶୁଥିଲେ ଭାବେ ନିଶ୍ଚୟ ଇନ୍‌ଫ୍ଲୁଏଞ୍ଜା ହୋଇଛି । ଡରି ଡରି ଡାକ୍ତର-ପରାମର୍ଶ କରିବାର ଇଙ୍ଗିତ ଦିଏ, କିନ୍ତୁ ସ୍ୱାମୀର ହାବଭାବ ଦେଖି ଶଙ୍କିଯାଏ । ମନଖୋଲି ନିଜର ଉଦ୍‌ବେଗ ପ୍ରକାଶ କରିବାଲାଗି ମଧ୍ୟ ଆଜିକାଲି ତା’ର ସାହସ ହୁଏ ନାହିଁ ।

 

ଦିନୁ ଦିନ ଶଶାଙ୍କ ଖରାସିଝା ଖଡ଼ ଖଡ଼ ଦିଶିଲାଣି । ଛୋଟିଆ କଷି ହେଉଥିବା ଲୁଗା, କଷାକଷି ଛୁଟି, ଦ୍ରୁତ ଚାଲିଚଳଣ, କଥାବାର୍ତ୍ତା ସ୍ଫୁଲିଙ୍ଗ ପରି ସଂକ୍ଷିପ୍ତ । ଶର୍ମିଳାର ସେବା ସ୍ୱାମୀର ଏହି ଦ୍ରୁତ ଲୟ ସହିତ ତାଳରଖି ଚାଲିବାର ଚେଷ୍ଟା କରେ । ସଦାସର୍ବଦା ଷ୍ଟୋଭ ପାଖରେ କିଛି ଖାଇବା ଜିନିଷ ଗରମ ରଖିବାକୁ ହୁଏ, ହଠାତ ଅସମୟରେ ସ୍ୱାମୀ ଆସି କହିବେ, ‘ବାହାରିଲି, ଆଜି ଫେରିବାକୁ ଡେରି ହେବ ।’ ମଟରଗାଡ଼ିରେ ସବୁବେଳେ ସୋଡ଼ା ଓ ଶୁଖିଲା ଖାଇବା ସାମଗ୍ରୀଭରା ଛୋଟିଆ ଟିଣମାନ ମହଜୁଦ୍ ଥାଏ । ହଠାତ୍ କାଳେ ମୁଣ୍ଡ ଧରିପାରେ, ସେଥିଲାଗି ଆଖି ପଡ଼ିଲାଭଳି ଜାଗାଟିରେ ଶିଶିଏ ଓଡ଼ିକଲୋନ ରଖା ହୋଇଥାଏ । ଗାଡ଼ି ଫେରି ଆସିଲେ ଶର୍ମିଳା ଯାଇ ପରୀକ୍ଷା କରି ଦେଖେ, କୌଣସିଟାହିଁ କାମରେ ଲାଗି ନାହିଁ । ମନଟା ବଡ଼ ଖରାପ ହୋଇଯାଏ । ଶୋଇବା ଘରେ ଆଖି ପାଖରେ ସବୁଦିନେ ବାସୀ ଲଗା ଭଙ୍ଗା ହୋଇ ରହିଥାଏ, ତଥାପି ସ୍ଵାମୀଙ୍କର ସପ୍ତାହକେ ଅନ୍ତତଃ ଚାରିଥର ଲୁଗା ବଦଳାଇବାର ଅବକାଶ ଘଟେ ନାହିଁ । ଘରକରଣାର ପରାମର୍ଶ ସମସ୍ତ ଶର୍ମିଳା ଅତି ଛୋଟ କରି ଦେଇଛି,–ଜରୁରୀ ଟେଲିଗ୍ରାମର ଠୋକର–ଦିଆ ଭାଷା ପରି–ସ୍ଵାମୀର ପଛେ ପଛେ ଯାଉ ଯାଉ ଡାକି ଡାକି କହୁଥିବ ‘ଗୋଟାଏ କଥା ଶୁଣିଯାଅ’ । ବ୍ୟବସାୟ ସହିତ ଶର୍ମିଳାର ଯାହା ଟିକିଏ ହେଲେ ସମ୍ପର୍କ ଥିଲା, କ୍ରମେ ସେତକ ମଧ୍ୟ କଟିଗଲା ତା’ର ଟଙ୍କାଟାର ସମୂଳସୁଧ ପରିଶୋଧ ହୋଇଗଲା । ସୁଧ ମଧ୍ୟ ପରିଷ୍କାର ଟିକିନିଖି ହିସାବ କରି ରସିଦ କାଟି ଦିଆଯାଇଛି । ଶର୍ମିଳା ଭାବେ, ‘ବାପ୍‌ରେ, ଭଲପାଇବାରେ ମଧ୍ୟ ପୁରୁଷ ଆପଣାକୁ ପୁରାପୁରି ମିଳାଇଦେଇ ପାରେ ନାହିଁ । ଆପଣାର ପୁରୁଷୋଚିତ ଅଭିଯାନ ଖଟାଇବାକୁ ସେ ଯେପରି ହେଲେ ଟିକିଏ ଫାଙ୍କ ରଖିଥାଏ ।’

 

ଲାଭ ଟଙ୍କା ଖରଚ କରି ଶଶାଙ୍କ ଭବାନୀପୁରରେ ମନମୁତାବକ କୋଠାଘର ତିଆରି କରିଛି । କୋଠା ଉପରେ ଭାରି ସକ୍ । ମୁଣ୍ଡ ଭିତରେ ସ୍ୱାସ୍ଥ୍ୟ, ଆରାମ ଓ ଶୃଙ୍ଖଳାର ନାନା ଯୋଜନା ଖେଳୁଛି । ଶର୍ମିଳାକୁ କେବଳ ଅବାକ୍ କରିଦେବାର ଚେଷ୍ଟା । ଶର୍ମିଳା ମଧ୍ୟ ବିଧିମତେ ଆଶ୍ଚର୍ଯ୍ୟ ହେବାରେ ତ୍ରୁଟି କରେ ନାହିଁ । ଇଞ୍ଜିନିୟର ଗୋଟାଏ ଲୁଗାକଚା କଳ ବସାଇଛନ୍ତି, ସବୁଆଡ଼ ଚିନ୍ତାକରି ଦେଖି ଶର୍ମିଳା ଖୁବ୍ ତାରିଫ୍ କଲା । ଭାବିଲା, ’ଆଜି ଯେମିତି ଲୁଗା ଧୋବାଘରେ ପଡୁଛି, କାଲି ବି ଠିକ୍ ସେହି ପରି ପଡ଼ିବ । ମଇଳା ଲୁଗାର ଗଧ ବାହାନଙ୍କୁ ବୁଝିଛି; କେବଳ ତା’ର ବିଜ୍ଞାନ ବାହାନଟାକୁ ମୁଁ ସହଜରେ ବୁଝିପାରେ ନାହିଁ ।’ ଆଳୁରୁ ଚୋପା ଛଡ଼ାଇବାର ଯନ୍ତ୍ରଟା ଦେଖି ଅବାକ୍‌ ହୋଇ କହିଲା, “ଆଳୁଦମ୍ ରାନ୍ଧିବାର ବାରଅଣା ଦୁଃଖ ଏଥରକ କଟିଯିବ ।’ ପରେ ଖବର ନେବାରେ ଜଣାଯାଇଛି ଯେ ଫଟା ଡେକଚି, ଭଙ୍ଗା କଡ଼େଇ ପ୍ରଭୃତି ସହିତ ସେହି ଯନ୍ତ୍ରଟା ମଧ୍ୟ ବିସ୍ମୃତି ଶଯ୍ୟାରେ ନୈଷ୍କର୍ମ୍ୟ ଲାଭ କରିଛି ।

 

ଘରତୋଳା ସରିବା ପାଖେଇ ଆସିବା ବେଳକୁ ଏହି ସ୍ଥାବର ପଦାର୍ଥଟି ପ୍ରତି ଶର୍ମିଳାର ରୁଦ୍ଧ ସ୍ନେହ ଉନ୍ମୋଚିତ ହୋଇଗଲା । ଅବଶ୍ୟ ଏଥିରେ ଗୋଟାଏ ସୁବିଧା ଅଛି ଯେ ଇଟା ଓ କଡ଼ିରେ ଗଢ଼ା ବପୁଟାର ଧୈର୍ଯ୍ୟ ଅଟଳ ସଜାସଜି ରଖାରଖିର ଉଦ୍ୟମରେ ଦୁଇ ଦୁଇଟା ଚାକର ବେଦମ୍ ହୋଇଗଲେ, ଜଣେ ତ କାମରୁ ଇସ୍ତଫା ଦେଇ ଚାଲିଗଲା । ଶଶାଙ୍କକୁ ଲକ୍ଷ୍ୟ କରିହିଁ ଘରର ସାଜସଜା ଚାଲିଛି । ଆଜିକାଲି ସେ ବୈଠକଖାନା ଘରେ ପ୍ରାୟ ବସେ ନାହିଁ, ତେଣୁ ତା’ର କାନ୍ତ ମେରୁଦଣ୍ଡ ଲାଗି ନାନା ଫେଶନ୍‌ର କୁଶନ୍ ନିବେଦନ କରାଯାଉଛି । ଫୁଲଦାନୀ ଅସଂଖ୍ୟ, ଟେବୁଲ ତିପାଇମାନ ଝାଲେରୀଲଗା ଫୁଲକଟା ଆବରଣଦ୍ୱାରା ସଜ୍ଜିତ । ଆଜିକାଲି ଶଶାଙ୍କ ଦିନବେଳେ ସାଧାରଣତଃ ଶୋଇବା ଘରକୁ ଯାଏ ନାହିଁ, କାରଣ ତା’ର ନୂତନ ପଞ୍ଜିକାରେ ରବିବାରଟା ସୋମବାରର ଯାଆଁଳା ଭାଇ ହୋଇଯାଇଛି । ଅନ୍ୟ ଛୁଟିମାନଙ୍କରେ ଯେଉଁଦିନ କାମ ବନ୍ଦ ରହେ, ସେଦିନ ନାନା ଦଉଡ଼ ଧାପଡ଼ର କାମ ସେ ଖୋଜି ବାହାର କରେ, ଅଫିସ ଘରକୁ ଯାଇ ନକ୍‌ସା କାଟିବାର ତେଲିଆ କାଗଜ ବା ଖାତାପତ୍ର ଧରି ବସେ । ତଥାପି ସେଇ ଆଗର ନିୟମମାନ ଏବେ ମଧ୍ୟ ଚାଲିଛି । ମୋଟା ଗଦିଦିଆ ସୋଫା ପାଖରେ ପଶମର ଚଟି ପ୍ରସ୍ତୁତ ରହିଥାଏ, ପାନ ଡିବାରେ ଆଗପରି ପାନ ଭର୍ତ୍ତି ହୋଇ ରହିଥାଏ, ଅଲଗୁଣୀରେ ପତଳା ସିଲ୍‌କ୍ ପଞ୍ଜାବୀ, କୁଞ୍ଚ କରା ଲୁଗା । ଅଫିସ ଘରେ କୌଣସି ପ୍ରକାର ହସ୍ତକ୍ଷେପ କରିବା ଲାଗି ଅବଶ୍ୟ ସାହସ ଦରକାର, ତଥାପି ଶଶାଙ୍କ ଘରେ ନ ଥିବା ବେଳେ ଶର୍ମିଳା ଝାଡ଼ଣ ହାତରେ ସେଠିକୁ ମଧ୍ୟ ଯାଏ । ସେଇ ଘରର ରକ୍ଷଣୀୟ ଓ ବର୍ଜନୀୟ ବସ୍ତୁବ୍ୟୂହ ମଧ୍ୟରେ ସଜ୍ଜା ଶୃଙ୍ଖଳାର ସମନ୍ୱୟ ସାଧନ କରିବାକୁ ସେ ଅଦମ୍ୟ ଅଧ୍ୟବସାୟରେ ଲାଗିଥାଏ ।

 

ଶର୍ମିଳା ସେବା କରୁଛି, କିନ୍ତୁ ଆଜିକାଲି ସେବାର ବେଶୀ ଭାଗ ଅଗୋଚରରେ ଚାଲିଛି-। ତା’ର ଆତ୍ମନିବେଦନର ପ୍ରୟୋଗ ପ୍ରତ୍ୟକ୍ଷରୁ ପ୍ରତୀକକୁ ସ୍ଥାନାନ୍ତରିତ ହୋଇଛି । ଘରଦୁଆର ସଜାଇବା, ବଗିଚା କରିବା, ଶଶାଙ୍କ ବସୁଥିବା ଚଉକିଟାକୁ ରେଶମବନ୍ଧା କରିଦେବା, ତକିଆ ଖୋଳରେ ଫୁଲ ପକାଇବା, ଅଫିସଘର ଟେବୁଲ ଉପରେ ନୀଳବର୍ଣ୍ଣ କାଚର ଫୁଲଦାନୀରେ ରଜନୀଗନ୍ଧାର ଗୁଚ୍ଛ ସଜାଇ ରଖିବାରେ ସେ ସବୁବେଳେ ବ୍ୟସ୍ତ ଥାଏ ।

 

ଅନେକ ଦୁଃଖ ସହିତ ଆପଣାର ଅର୍ଘ୍ୟକୁ ସେ ପୂଜାବେଦୀଠାରୁ ଅନେକ ଦୂରକୁ ଅପସରାଇ ନେଇଛି । ଅଳ୍ପଦିନ ତଳେ ସେ ଯେଉଁ ଆଘାତ ପାଇଛି, କେବଳ ଆଖିରୁ ଲୁହ ଗଡ଼ାଇ ସେ ଆଘାତର ଚିହ୍ନକୁ ଲିଭାଇ ପାରିଛି । ସେଦିନ କାର୍ତ୍ତିକ ମାସର ଅଣତିରିଶ, ଶଶାଙ୍କର ଜନ୍ମଦିନ । ଶର୍ମିଳାର ଜୀବନରେ ସବୁଠାରୁ ବଡ଼ ପର୍ବ ସେଦିନ । ଯଥାରୀତି ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରାଗଲା, ଘର ବାହାର ଫୁଲ ପତରରେ ଭଲକରି ସଜାଇ ଦିଆଗଲା ।

 

ସକାଳ କାମ ଶେଷ କରି ଶଶାଙ୍କ ଘରକୁ ଆସି କହିଲା, ‘ଏସବୁ କାଣ୍ଡକାରଖାନା କାହାପାଇଁ ? କଣ କଣ୍ଢେଇ ବାହାଘର ହେଉଛି ନା କଣ ?’

 

‘‘ହାୟରେ କପାଳ, ଆଜି ତୁମର ଜନ୍ମଦିନ, ସେ କଥାଟା ବି ମନେ ନାହିଁ ? ତୁମେ ଯାହା କହି ପଛକେ, ଆଜି ଉପରଓଳି ତୁମେ ଆଉ ଘରୁ କୋଉଁଠିକି ଯିବ ନାହିଁ ।”

 

“ମୃତ୍ୟୁଦିନ ବ୍ୟତୀତ ବିଜିନେସ୍ ଆଉ କାହା ପାଖରେ ମୁଣ୍ଡ ନୁଆଁଏ ନାହିଁ ।"

 

‘‘ଆଉ କୋଉଦିନ ପଛେ ନ କହିବି, ଆଜି ପରା ଲୋକବାକଙ୍କୁ ନିମନ୍ତ୍ରଣ କରି ସାରିଛି-!”

 

“ଦେଖ ଶର୍ମିଳା, ମୋତେ ଖେଳନା ପରି କରି ଭୁବନଯାକ ମଣିଷ ଡାକି ତୁମେ ଆଉ ଖେଳିବାର ଚେଷ୍ଟା କରନା ।” ଏତକ କହି ଦେଇ ଶଶାଙ୍କ ସଙ୍ଗେ ସଙ୍ଗେ ବାହାରି ଚାଲିଗଲା । ଶର୍ମିଳା ଶୋଇବା ଘରର କବାଟ କିଳି କେତେବେଳ ଯାଏ କାନ୍ଦିଲା ।

 

ଉପରବେଳା ଅତିଥିମାନେ ଆସିଲେ । ବିଜିନେସ୍‌ ସର୍ବୋଚ୍ଚ ଦାବୀଟା ସେମାନେ ଅତି ସହଜରେ ବୁଝିଗଲେ । ଆଜି ହୁଏତ କାଳିଦାସଙ୍କର ଜନ୍ମଦିନ ହୋଇଥିଲେ ତା’ହେଲେ ଶକୁନ୍ତଳାର ତୃତୀୟ ଅଙ୍କ ଲେଖିବାର ତାଙ୍କର ସକଳ ଆପତ୍ତିକୁ ସମସ୍ତେ ଅତି ବାଜେ ବୋଲି କହି ଉଡ଼ାଇ ଦେଇଥାଆନ୍ତେ । କିନ୍ତୁ ବିଜିନେସ୍ ! ସେ ଦିନ ବେଶ୍ ଆମୋଦ ପ୍ରମୋଦ ହେଲା । ନାଲୁ ବାବୁ ଥିଏଟରର ନକଲ କରି ସମସ୍ତଙ୍କୁ ଭାରି ହସାଇଲେ, ଶର୍ମିଳା ମଧ୍ୟ ସେ ହସରେ ଯୋଗ ଦେଇଥିଲା-। ଶଶାଙ୍କ–ବିରହିତ ଶଶାଙ୍କର ଜନ୍ମଦିନ ଶଶାଙ୍କ ଅଧିଷ୍ଠିତ ବିଜିନେସ୍ ପାଖରେ ସାଷ୍ଟାଙ୍ଗ ପ୍ରଣିପାତ କଲା ।

 

ମନ ଅବଶ୍ୟ ଭାରି କଷ୍ଟ ହେଲା, ତଥାପି ଶଶାଙ୍କର ଏହି ଧାବମାନ କାର୍ଯ୍ୟର ଥଟ୍ଟାକୁ ଶର୍ମିଳାର ମନ ଦୂରରୁ ପ୍ରଣିପାତ ଜଣାଇଲା । ସ୍ତ୍ରୀର ମିନତି, ବନ୍ଧୁର ନିମନ୍ତ୍ରଣ, ଆପଣାର ଆରାମ କାହାରି ପ୍ରତି ଖାତିର ନ କରୁଥିବା ଶଶାଙ୍କର କାମ ଶର୍ମିଳାର ଅଧିଗମ୍ୟ ହୋଇପାରିଲା ନାହିଁ । କାର୍ଯ୍ୟ ପ୍ରତି ଏହି ଶ୍ରଦ୍ଧା ଦ୍ୱାରା ପୁରୁଷ ଆପଣାକୁହିଁ ଶ୍ରଦ୍ଧା କରେ, ଏହାରି ଦ୍ୱାରା ସେ ଆପଣା ଶକ୍ତି ପାଖରେ ଆପଣାକୁ ନିବେଦନ କରିଦିଏ । ଆପଣା ଘରକରଣାର ପ୍ରାତ୍ୟହିକ କର୍ମଧାରାର ଏ ତୀରରେ ଠିଆ ହୋଇ ଶର୍ମିଳା ଅପର ତୀରରେ ଶଶାଙ୍କର କାର୍ଯ୍ୟକୁ ଅନାଇ ଦେଖେ । ତାର ସତ୍ତା ବହୁବ୍ୟାପକ, ଘରର ସୀମା ଡେଇଁ ଅନେକ ଦୂରରେ ଦୂର ସମୁଦ୍ର ସେପାଖରେ ତା’ର ସୀମା–ଜଣା ଅଜଣା କେତେ ଲୋକଙ୍କୁ ତାହା ଆପଣା ଶାସନର ଜାଲ ଭିତରକୁ ଟାଣି ନେଇ ଆସେ । ପ୍ରତିଦିନ ପୁରୁଷ ତା’ର ଅଦୃଷ୍ଟ ସହିତ ସଂଗ୍ରାମ କରେ, ଏହି ବନ୍ଧୁର ଯାତ୍ରାପଥରେ ନାରୀର କୋମଳ ବାହୁବନ୍ଧନ ବାଧା ଦେବାକୁ ଆସିଲେ ପୁରୁଷ ତାକୁ ନିର୍ମମ ଭାବେ ଛିନ୍ନ କରି ଚାଲିଯାଏ । ଶର୍ମିଳା ଏହି ନିର୍ମମତାକୁ ଭକ୍ତିଭରେ ସ୍ୱୀକାର କରିନେଲା । ବେଳେବେଳେ ଧୈର୍ଯ୍ୟ ରହେ ନାହିଁ; ସବେଗ ହୃଦୟର ବଳରେ ତା’ର ସକରୁଣ ଉତ୍କଣ୍ଠା ନେଇ ସେ ବେଳେ ବେଳେ ଅନଧିକାର ପ୍ରବେଶ କରେ, ଫଳରେ ଆଘାତ ପାଏ, ସେହି ଆଘାତକୁ ପ୍ରାପ୍ୟ ଗଣ୍ୟ ବୋଲି ଆଦରି ନେଇ ବ୍ୟଥିତ ଚିତ୍ତରେ ବାଟ ଛାଡ଼ି ଦେଇ ଫେରି ଆସେ । ଯେଉଁ ସ୍ଥାନ ଲାଗି ତା’ର ଆପଣାର ଗତିବିଧି ଅବରୁଦ୍ଧ ହୋଇଗଲା, ସେଠି ଦୃଷ୍ଟି ରଖିଥିବା ଲାଗି ଦେବତାକୁ ଜଣାଉଥାଏ ।

Image

 

Unknown

‘‘ନୀରଦ’’

 

ବ୍ୟାଙ୍କରେ ଜମା ରହିଥିବା ଟଙ୍କା ଉପରେ ଘୋଡ଼ା ଚଢ଼ି ଛଅ ସଂଖ୍ୟାବିଶିଷ୍ଟ ଅଙ୍କ ଆଡ଼କୁ ଯେତେବେଳେ ଏହି ପରିବାରର ସମୃଦ୍ଧି ଧାଇଁ ଚାଲିଛି, ଠିକ୍‌ ସେତିକିବେଳେ ଶର୍ମିଳାକୁ ଗୋଟାଏ କଣ ଦୁର୍ବୋଧ୍ୟ ରୋଗ ଧରିଲା, ସେ ଆଉ ବିଛଣାରୁ ଉଠିପାରିଲା ନାହିଁ । ଏହି ରୋଗ ବିଷୟରେ ଯେ ଏତେ ଦୁର୍ଭାବନା କରିବାର କାରଣ କଣ, ସେ କଥାଟା ଟିକିଏ ବିସ୍ତୃତ କରି କହିବା ଉଚିତ ।

ଶର୍ମିଳାର ବାପ ରାଜାରାମ ବାବୁଙ୍କର ବରିଶାଲ ଓ ଗଙ୍ଗାର ମୁହାଣ ଅଞ୍ଚଳରେ ଏକ ମସ୍ତ ଜମିଦାରୀ ଥିଲା । ତା’ ଛଡ଼ା ଶଲିମାର ଘାଟଠାରେ ଜାହାଜ ତିଆରି ବ୍ୟବସାୟରେ ମଧ୍ୟ ସେ ଅଂଶୀଦାର ହୋଇଛନ୍ତି । ମରହଟ୍ଟୀ ଯୁଗର ଶେଷ ଆଉ ଏ ଯୁଗର ଆରମ୍ଭ, ଏହିପରି ଏକ ସମୟରେ ତାଙ୍କର ଜନ୍ମ । କୁସ୍ତି, ଶିକାର ଆଉ ଲାଠି ଖେଳରେ ସେ ଭାରି ଓସ୍ତାଦ ଥିଲେ । ପଖଉଜ ବଜାଳୀ ହିସାବରେ ଖୁବ୍ ନାଁ ଥିଲା । ମର୍ଚାଣ୍ଟ ଅଫ୍ ଭେନିସ୍, ଜୁଲିୟସ ସିଜର ଓ ହାମଲେଟ୍ ବହିରୁ ସେ ଦୁଇଚାରି ପୃଷ୍ଠା ଲେଖାଏଁ ମୁହେଁ ମୁହେଁ କହିଯାଇ ପାରୁଥିଲେ, ମ୍ୟାକଲେଙ୍କର ଇଂରାଜୀ ଭାଷା ତାଙ୍କର ଆଦର୍ଶ ଥିଲା, ବର୍କଙ୍କର ବାଗ୍ମିତାରେ ସେ ମୁଗ୍‌ଧ ହୋଇ ଯାଉଥିଲେ, ବଙ୍ଗଳା ଭାଷାରେ ତାଙ୍କର ଶ୍ରଦ୍ଧାର ସୀମା ଥିଲା ମେଘନାଦବଧ କାବ୍ୟ ପର୍ଯ୍ୟନ୍ତ । ମଧ୍ୟ-ବୟସରେ ସେ ମଦ ଓ ନିଷିଦ୍ଧ ଖାଦ୍ୟକୁ ଆଧୁନିକ ଚିତ୍ତୋତ୍କର୍ଷ ଲାଗି ଏକ ଆବଶ୍ୟକ ଅଙ୍ଗ ବୋଲି ବିଶ୍ୱାସ କରୁଥିଲେ, ବୁଢ଼ାକାଳକୁ ଛାଡ଼ି ଦେଇଛନ୍ତି । ପରିଚ୍ଛଦ ଅତି ସଯତ୍ନ, ମୁଖଶ୍ରୀ ସୁନ୍ଦର ଓ ଗମ୍ଭୀର, ଦେହ ଦୀର୍ଘ ଓ ବଳିଷ୍ଠ, ମେଜାଜ୍‌ଟା ଭାରି ମଉଜୀ ଧରଣର, କୌଣସି ପ୍ରାର୍ଥୀ ଆସି ଜୁଟିଲେ ସେ ନାହିଁ କରିପାରୁ ନଥିଲେ । ପୂଜା ଅର୍ଚ୍ଚନାଦିରେ ତାଙ୍କର ଆଦୌ ବିଶ୍ୱାସ ନଥିଲା, ତଥାପି ଘରେ ପ୍ରତ୍ୟେକ ବର୍ଷ ସେସବୁ ଅତି ସମାରୋହରେ ସମାହିତ ହେଉଥିଲା । ସମାରୋହ ଦ୍ୱାରା କୁଳମର୍ଯ୍ୟାଦା ପ୍ରକାଶ ପାଏ, ପୂଜାଟା କେବଳ ସ୍ତ୍ରୀଲୋକ ଓ ଅନ୍ୟମାନଙ୍କ ଲାଗି ହୁଏ । ଇଚ୍ଛା କରିଥିଲେ ସେ ନିଶ୍ଚୟ ‘ରାଜା’ ଉପାଧି ପାଇପାରିଥାନ୍ତେ । ଏଥିପ୍ରତି ସେ ଏତେ ଉଦାସ କାହିଁକି ବୋଲି କେହି ପଚାରିଲେ ରାଜାରାମ ହସି ହସି ଜବାବ ଦିଅନ୍ତି, ଯେତେବେଳେ ପିତୃଦତ୍ତ ରାଜଉପାଧିଟା ଭୋଗ କରୁଛନ୍ତି, ସେତେବେଳେ ତା’ ଉପରେ ଅନ୍ୟ ଉପାଧିକୁ ବସାଇ ସମ୍ମାନ ଖର୍ବ କରିବେ କାହିଁକି ? ଗଭର୍ଣ୍ଣମେଣ୍ଟ ହାଉସ ଭିତରେ ତାଙ୍କର ସମ୍ମାନିତ ପ୍ରବେଶାଧିକାର ଥିଲା, କର୍ତ୍ତୃପକ୍ଷୀୟ ପଦସ୍ଥ ଇଂରେଜ ତାଙ୍କ ଘରକୁ ଚିରପ୍ରଚଳିତ ଜଗଦ୍ଧାତ୍ରୀ ପୂଜାରେ ଯୋଗଦେବାକୁ ଆସି ଶାମ୍ପେନ ପ୍ରସାଦ ପ୍ରଚୁର ପରିମାଣରେ ଅନ୍ତରସ୍ଥ କରୁଥିଲେ ।

ଶର୍ମିଳାର ବିବାହ ହୋଇଗଲା ପରେ ତାଙ୍କର ପତ୍ନୀହୀନ ପରିବାରରେ ବାକୀ ରହିଲେ ବଡ଼ ପୁଅ ହେମନ୍ତ ଓ ସାନଝିଅ ଉର୍ମିମାଳା । ଅଧ୍ୟାପକମାନେ ପୁଅଟିକୁ ଦୀପ୍ତିମାନ ବୋଲି କହି ପ୍ରଶଂସା କରୁଥିଲେ, ଯାହାକୁ ଇଂରାଜୀରେ ବ୍ରିଲିଆଣ୍ଟ୍ କହନ୍ତି । ତା’ର ଚେହେରା ଦେଖିଲେ ବାର ବାର ମୁହଁ ବୁଲାଇ ଦେଖିବାକୁ ଇଚ୍ଛା ହେବ । ଏପରି କୌଣସି ବିଷୟ ନ ଥିଲା ଯେଉଁଥିରେ କି ସେ ପରୀକ୍ଷାମାନର ଉର୍ଦ୍ଧ୍ୱତମ ମାର୍କ୍‌ ପର୍ଯ୍ୟନ୍ତ ଉଠିପାରି ନ ଥିଲା । ବ୍ୟାୟାମର ଉତ୍କର୍ଷ ଦେଖିଲେ ବି ସେ ବାପର ନାଁ ରଖିବ ବୋଲି ବିଶ୍ୱାସ ହୋଇଯାଉଥିଲା । ତା’ର ଚତୁର୍ଦ୍ଦିଗରେ ଯେ ଉତ୍‌କଣ୍ଠିତ କନ୍ୟାମଣ୍ଡଳୀର ସବେଗ କକ୍ଷ ପ୍ରଦକ୍ଷିଣ ଚାଲିଥିଲା, ସେକଥା କହିବା ବାହୁଲ୍ୟ, କିନ୍ତୁ ସେତେବେଳେ ତା’ର ମନଟା ବିବାହ ପ୍ରତି ଉଦାସୀନ ଥିଲା । କୌଣସି ଇଉରୋପୀୟ ବିଶ୍ୱବିଦ୍ୟାଳୟରେ ଉପାଧି ସଂଗ୍ରହ କରିବାକୁହିଁ ସେ ନିଜର ଉପସ୍ଥିତ ଲକ୍ଷ୍ୟ କରି ରଖିଥିଲା । ସେହି ମତଲବରେ ମନୋଯୋଗ ସହକାରେ ଫରାସୀ ଓ ଜର୍ମାନୀ ଭାଷା ଶିଖିବା ମଧ୍ୟ ଆରମ୍ଭ କରିଥିଲା-

ଅନ୍ୟ କିଛି ସୁବିଧା ନ ପାଇ ଅନାବଶ୍ୟକ ହେଲେ ମଧ୍ୟ ଶେଷରେ ସେ ଆଇନ ପଢ଼ା ଆରମ୍ଭ କରିଦେଲା । ହଠାତ୍ ଏତିକିବେଳେ ତା’ର ଅନ୍ତ୍ରରେ ବା ଶରୀରର ଆଉ କେଉଁ ଯନ୍ତ୍ରରେ କଣ ଗୋଟାଏ ବିକାର ଘଟିଲା । ଡାକ୍ତରମାନେ କିଛି ବାରି ଠିକ୍ କରିପାରିଲେ ନାହିଁ । ଗୋପନଚାରୀ ରୋଗଟା ସବଳ ଦେହ ଭିତରେ ଯେପରି ଦୁର୍ଗପରି ଆଶ୍ରୟ ପାଇଲା, ତାକୁ ଖୋଜି ବାହାର କରିବା ବା ତାକୁ ଆକ୍ରମଣ କରିବା ଅସମ୍ଭବ ହୋଇ ପଡ଼ିଲା । ସେହି ସମୟର କଣେ ଇଂରେଜ ଡାକ୍ତରଙ୍କ ଉପରେ ରାଜାରାମଙ୍କର ଅବିଚଳିତ ବିଶ୍ୱାସ ଥିଲା । ଯେକୌଣସି ଅସ୍ତ୍ରଚିକିତ୍ସାରେ ତାଙ୍କର ଭାରି ନାମ । ସେଇ ଶେଷରେ ରୋଗୀର ରୋଗ ସନ୍ଧାନ କରିବାରେ ଲାଗିପଡ଼ିଲେ । ଅସ୍ତ୍ର ବ୍ୟବହାରର ଅନେକ ଅଭ୍ୟାସ ଥିବାରୁ ସେ ଅନୁମାନ କଲେ ଯେ ଦେହର ଏକ ଦୁର୍ଗମ ଗହନରେ ବିପଦ ବଦ୍ଧମୂଳ ରହିଛି, ସେଇଟାକୁ ଉତ୍ପାଟିତ କରି ଦେବାକୁ ହେବ । ଅସ୍ତ୍ରର ସୁକୌଶଳ ସାହାଯ୍ୟରେ ଶରୀର ଭେଦ କରି ଦେହର ଯେଉଁ ଅଂଶଟା ଖୋଲି ଦେଖା ହେଲା, ସେଠାରେ କଳ୍ପିତ ଶତ୍ରୁ ବା ତା’ର ଅତ୍ୟାଚାରର କୌଣସି ଚିହ୍ନ ମିଳିଲା ନାହିଁ । ଭୁଲଟା ଆଉ ସୁଧୁରି ପାରିଲା ନାହିଁ, ପୁଅର ମୃତ୍ୟୁ ହେଲା । ବାପଙ୍କର ବିଷମ ଦୁଃଖ ଶାନ୍ତ ହେଉଛି କେତେକେ ? ଗୋଟାଏ ସଜୀବ ସୁନ୍ଦର ବଳିଷ୍ଠ ଦେହକୁ ଏପରି ଖଣ୍ଡିତ କରି କାଟିବାର ସ୍ମୃତିଟା ତାଙ୍କୁ ପୁଅର ମୃତ୍ୟୁଠାରୁ ବେଶୀ ଆଘାତ ଦେଲା, ଏକ ହିଂସ୍ର କୃଷ୍ଣ ପକ୍ଷୀ ପରି ତାହା ତୀକ୍ଷଣ ନଖରେ ତାଙ୍କର ହୃଦୟକୁ ବିଦାରି ଧରି ରହିଲା । ମର୍ମଶୋଷଣ କରି କ୍ରମେ ତାଙ୍କୁ ମୃତ୍ୟୁମୁଖକୁ ଟାଣିନେଲା ।

ଡାକ୍ତର ନୀରଦ ମୁଖାର୍ଜୀ ଶୁଶ୍ରୂଷାରେ ସାହାଯ୍ୟ କରୁଥିଲା; ନୂଆ ଡାକ୍ତରୀ ପାସ୍ କରିଛି, ଆଗେ ହେମନ୍ତର ସହାଧ୍ୟାୟୀ ଥିଲା । ସେଇ କିନ୍ତୁ ପ୍ରଥମରୁ କହିଆସିଛି ଯେ ଚିକିତ୍ସାରେ ଭୁଲ ହେଉଛି । ନିଜେ ସେ ବେମାରୀର ଅନ୍ୟ ପ୍ରକାର ଏକ ସ୍ୱରୂପ ନିର୍ଣ୍ଣୟ କରିଥିଲା, ବେଶ୍ କିଛିଦିନ ପାଇଁ କୌଣସି ଶୁଖିଲା ଯାଗାକୁ ନେଇ ହାୱା ପରିବର୍ତ୍ତନ କରାଇବାର ପରାମର୍ଶ ମଧ୍ୟ ଦେଇଥିଲା । କିନ୍ତୁ ରାଜାରାମ ପୈତୃକ ଯୁଗର ସଂସ୍କାରଟା ମନରୁ ଦୂର କରି ପାରିଲେ ନାହିଁ । ସେ ଭଲ କରି ଜାଣିଥିଲେ ଯେ ଯମ ସଙ୍ଗରେ ଦୁଃସହ ଯୁଦ୍ଧ କରିବାକୁ ହେଲେ କେବଳ ଇଂରେଜ ଡାକ୍ତରହିଁ ସମକକ୍ଷ ହୋଇପାରିବ । କିନ୍ତୁ ବ୍ୟାପାରଟା ଯେପରି ଘଟିଲା, ସେଥିରେ ନୀରଦ ପ୍ରତି ତାଙ୍କର ସ୍ନେହ ଓ ଶ୍ରଦ୍ଧା ଅତିଶୟ ମାତ୍ରାରେ ବଢ଼ିଗଲା । ଛୋଟ ଝୁଅ ଉର୍ମିର ହଠାତ୍ ମନେହେଲା ଯେ ଏ ଲୋକଟାର ପ୍ରତିଭା ଅତି ଅସାମାନ୍ୟ । ବାପାଙ୍କୁ କହିଲା, “ଦେଖିଲ ବାପା, ଏତେ ଅଳ୍ପ ବୟସରେ ନିଜ ଉପରେ ତାଙ୍କର ବିଶ୍ୱାସ କେତେ ବେଶୀ; ସେପରି ସାହସ ନଥିଲେ କଣ ଏଡ଼େ ବଡ଼ ଲମ୍ବା ଚଉଡ଼ା ବିଲାତୀ ଡାକ୍ତରଙ୍କର ମତ ବିରୁଦ୍ଧରେ ଆପଣା ମନକୁ ନିଃସଙ୍କୋଚ ଓ ନିଃସଂଶୟରେ ପ୍ରଚାର କରି ପାରିଥାନ୍ତେ ?”

ବାପା ଉତ୍ତର ଦେଲେ, “ଖାଲି ବହି ପଢ଼ି କଣ ଡାକ୍ତରବିଦ୍ୟା ଶିଖନ୍ତି ? ଜଣ ଜଣଙ୍କଠାରେ ଆଗରୁ ସେଥିପ୍ରତି ଏକ ଦୈବ ସଂସ୍କାର ରହିଥାଏ । ନୀରଦର ଦେଖୁଛି ତାହାହିଁ ଅଛି-।’’

ଗୋଟାଏ ଛୋଟ ପ୍ରମାଣ ନେଇ, ଶୋକର ଆଘାତ ଓ ପରିତାପର ବେଦନାରେ ଏମାନଙ୍କର ଭକ୍ତିର ଉଦ୍ରେକ ହେଲା । ତା’ପରେ ଅଧିକ ପ୍ରମାଣର ଅପେକ୍ଷା ନ ରଖି ତାହା ଆପେ ବଢ଼ିବାରେ ଲାଗିଲା ।

ଦିନେ ରାଜାରାମ କନ୍ୟାକୁ ଡାକି କହିଲେ, “ଉର୍ମି, ମୋତେ ଖାଲି ଶୁଭୁଛି ଯେପରି ହେମନ୍ତ ଅନବରତ ମୋତେ ଡାକି କହୁଛି, ମଣିଷର ରୋଗଦୁଃଖ ଦୂର କର । ତା’ନାଁରେ ଗୋଟାଏ ଡାକ୍ତରଖାନା ଖୋଲିବି ବୋଲି ମୁଁ ସ୍ଥିର କରିଛି ।’’

ଉର୍ମି ତାର ସ୍ଵଭାବସିଦ୍ଧ ଉତ୍ସାହରେ ଉଚ୍ଛ୍ୱସିତ ହୋଇ କହିଲା, ‘‘ଭାରି ଭଲ କଥା । ମୋତେ ଇଉରୋପ ପଠାଇ ଦିଅ, ସେଇଆଡ଼ୁ ମୁଁ ଡାକ୍ତରୀ ଶିଖି ଆସି ଏଇ ଡାକ୍ତରଖାନାର ଭାର ନେବି ।’’

 

କଥାଟା ରାଜାରାମଙ୍କ ହୃଦୟରେ ବାଜିଗଲା । କହିଲେ “ଡାକ୍ତରଖାନାଟାକୁ ମୁଁ ଦେବୋତ୍ତର ସମ୍ପତ୍ତି କରିଦେବି, ତୁ ସେଥିରେ ସେବାଏତ ହେବୁ । ହେମନ୍ତ ଗଲାବେଳକୁ ଭାରି ଦୁଃଖ ଭୋଗିଛି, ତୋତେ ସେ ଭାରି ଭଲ ପାଉଥିଲା, ତୋର ଏହି ପୁଣ୍ୟକାର୍ଯ୍ୟଦ୍ୱାରା ସେ ପରଲୋକରେ ଶାନ୍ତି ପାଇବ । ତା’ର ରୋଗଶଯ୍ୟା ପାଖରେ ବସି ତୁ ଦିନରାତି ସେବା କରିଛୁ, ସେହି ସେବା ତୋରି ହାତରେ ଆହୁରି ମହାନ୍‌ ହୋଇ ଉଠିବ ।” ବୁନିଆଦୀ ଘରର ଝୁଅ ଡାକ୍ତର ହେବା ଯେ ଗୋଟାଏ ସୃଷ୍ଟିଛଡ଼ା କଥା, ଏକଥା ବୁଢ଼ା ସେତେବେଳେ ଭାବି ପାରିଲେ ନାହିଁ । କୌଣସି ମଣିଷକୁ ରୋଗ ହାତରୁ ବଞ୍ଚାଇ ଆଣିବାର ମୂଲ୍ୟ ଯେ କେତେ ବେଶୀ, ଆଜି ସେକଥା ସେ ମର୍ମେ ମର୍ମେ ବୁଝିଛନ୍ତି । ଅବଶ୍ୟ ତାଙ୍କର ପୁଅ ବଞ୍ଚିପାରିଲା ନାହିଁ, କିନ୍ତୁ ଅନ୍ୟମାନଙ୍କର ପୁଅମାନେ ବଞ୍ଚି ପାରିଲେ ହୁଏତ ତାହାର କ୍ଷତିପୂରଣ ହୋଇଯିବ, ଶୋକର ଲାଘର ହୋଇପାରିବ-। ଝିଅକୁ କହିଲେ, ଏଠିକା ବିଶ୍ୱବିଦ୍ୟାଳୟରେ ଆଗ ବିଜ୍ଞାନ ପଢ଼ା ଶେଷ ହୋଇଯାଉ, ତା’ପରେ ଇଉରୋପ ପଠାଇଦେବି ।”

 

ଏତିକିବେଳୁ ରାଜାରାମଙ୍କ ମଥା ଭିତରେ ଗୋଟାଏ କଥା ପଶି ସାରିଲାଣି । ନୀରଦକୁ ସେ ସୁନାମୁଣ୍ଡାଏ ପରି ମନେ କରୁଥାନ୍ତି । ଯେତେ ବେଶୀ ଦେଖନ୍ତି ସେତେ ଚମତ୍କାର ଲାଗେ । ପାସ୍ କରିଛି ସତ, କିନ୍ତୁ ପରୀକ୍ଷାର ଗହୀରପାଟ ପାର ହୋଇ ଡାକ୍ତରୀବିଦ୍ୟାର ମହୋଦଧିରେ ସେ ଅହରହ ସନ୍ତରଣ କରି ବୁଲୁଛି । ବୟସ ଅଳ୍ପ, ତଥାପି ଆମୋଦ ପ୍ରମୋଦ ଆଡ଼କୁ ଆଦୌ ମନ ନାହିଁ । ଏବେ ଯେଉଁଠି ଯାହା ସବୁ ନୂଆ ନୂଆ ଆବିଷ୍କାରମାନ ହୋଇଛି, ସେହି ଗୁଡ଼ାକ ମନ୍ଥି ମନ୍ଥି ଆଲୋଚନା କରୁଛି, ପରୀକ୍ଷା କରୁଛି; ଏଣେ ଆପଣା ବ୍ୟବସାୟର କ୍ଷତି ମଧ୍ୟ କରୁଛି । ଯେଉଁମାନେ ଡାକ୍ତରୀ ବ୍ୟବସାୟରେ ଗୁଡ଼ାଏ ରୋଜଗାର କରୁଛନ୍ତି, ସେମାନଙ୍କର ତୀବ୍ର ନିନ୍ଦା କରୁଛି । କହେ, ମୂର୍ଖମାନେ ଉନ୍ନତି କରନ୍ତି, କିନ୍ତୁ ଯୋଗ୍ୟଲୋକେ ହିଁ ଗୌରବ ଲାଭ କରନ୍ତି । କୌଣସି ଗୋଟାଏ ବହିରୁ ସେ ଏଇ କଥାଟା ପଇଟେଇ ଆଣିଛି ।

 

ଶେଷରେ ଦିନେ ରାଜାରାମ ଉର୍ମିକୁ ଡାକି କହିଲେ, ‘‘ଅନେକ ଭାବିଚିନ୍ତି ମୁଁ ଦେଖୁଛି ଯେ ଆମ ନୂଆ ଡାକ୍ତରଖାନାରେ ନୀରଦର ସଙ୍ଗିନୀ ହୋଇ କାମ କଲେ କାମଟା ସଂପୂର୍ଣ୍ଣ ହୋଇପାରିବ, ଆଉ ମୁଁ ମଧ୍ୟ ନିଶ୍ଚିନ୍ତ ହେବି । ତା’ପରି ଗୋଟାଏ ପିଲା ଆଉ କେଉଁଠୁ ମିଳିବ ?”

 

ଆଉ ଯାହା କରନ୍ତୁ ପଛକେ, ହେମନ୍ତର ଇଚ୍ଛାକୁ ଅଗ୍ରାହ୍ୟ କରିବାର ଟାଣ ରାଜାରାମଙ୍କର ନ ଥିଲା । କନ୍ୟାର ଇଚ୍ଛାକୁ ଉପେକ୍ଷା କରି ବାପା ମା'ଙ୍କର ଇଚ୍ଛାମତେ ବିବାହ ଠିକ୍ କରିବାକୁ ହେମନ୍ତ ବର୍ବରତା ବୋଲି କହୁଥିଲା । ଥରେ ରାଜାରାମ ତା’ ସହିତ ତର୍କ କରିଥିଲେ ଯେ ବିବାହ ବ୍ୟାପାରଟା କେବଳ ବ୍ୟକ୍ତି ଗତ ନୁହେଁ, ତାହା ସହିତ ସଂସାର ଜଡ଼ିତ ରହିଛି । ତେଣୁ ବିବାହ-ପ୍ରସଙ୍ଗରେ କେବଳ ଇଚ୍ଛା ଦ୍ୱାରା ନୁହେଁ, ଅଭିଜ୍ଞତା ଦ୍ଵାରା ମଧ୍ୟ ଚାଳିତ ହେବାର ଆବଶ୍ୟକତା ରହିଛି । କିନ୍ତୁ ଯେତେ ଯାହା ତର୍କ କଲେ ମଧ୍ୟ, ଆପଣାର ଅଭିରୁଚି ଯେଉଁ ଦିଗରେ ଥିଲେ ମଧ୍ୟ ପୁଅ ପ୍ରତି ତାଙ୍କର ସ୍ନେହ ଏତେ ଦୂର ଗଭୀର ଥିଲା ଯେ ଶେଷରେ ହେମନ୍ତର ଇଚ୍ଛାହିଁ ପରିବାରରେ ଜୟଲାଭ କଲା ।

 

ନୀରଦ ମୁଖାର୍ଜୀର ଏ ପରିବାରକୁ ବେଶ୍‌ ଯିବାଆସିବା ଥିଲା । ହେମନ୍ତ ତାକୁ ଆଉଲ ଅର୍ଥାତ୍ ପେଚା ବୋଲି ଡାକୁଥିଲା । ଶବ୍ଦଟାର ଅର୍ଥ ବୁଝାଇବାକୁ ପଡ଼ିଲେ କହୁଥିଲା ଯେ ସେ ଲୋକଟା ପୌରାଣିକ, ମାଇଥଲଜିକାଲ; ତା’ର ବୟସ ନାହିଁ, ଖାଲି ବିଦ୍ୟାହିଁ ଅଛି, ସେଥିପାଇଁ ମୁଁ ତାକୁ ମିନର୍ଭା (ଲକ୍ଷ୍ମୀ)ଙ୍କର ବାହନ ବୋଲି ଡାକେ ।

 

ନୀରଦ ବେଳେବେଳେ ୟାଙ୍କ ଘରେ ଚାହା ପିଇଛି, ହେମନ୍ତ ସହିତ ତୁମୁଳ ତର୍କ କରିଛି, ମନେ ମନେ ଉର୍ମିକୁ ଅବଶ୍ୟ ଅନେକ ବାର ଲକ୍ଷ୍ୟ କରିଛି; କିନ୍ତୁ ବ୍ୟବହାରରେ କରିପାରି ନାହିଁ । ତାର କାରଣ ହେଉଛି ଯେ ଏ କ୍ଷେତ୍ରର ଯଥୋଚିତ ବ୍ୟବହାରଟା ତା’ ସ୍ଵଭାବର ବହିର୍ଭୁତ । ସେ ଆଲୋଚନା ଯେତେ କରୁ ପଛକେ, ଆଳାପ ଜମାଇବାର ବିଦ୍ୟା ତାକୁ କଣା ନାହିଁ । ତା’ ଭିତରେ ଯୌବନର ଉତ୍ତାପ ଥାଇପାରେ, କିନ୍ତୁ ଆଲୋକ ନାହିଁ । ଏହି କାରଣରୁ ଯେଉଁ ଯୁବକମାନଙ୍କ ମଧ୍ୟରେ ଯୌବନ ଯଥେଷ୍ଟ ପରିମାଣରେ ପ୍ରକାଶିତ ହୋଇପାରିଛି, ସେମାନଙ୍କୁ ଅବଜ୍ଞା କରି ନୀରଦ ଆତ୍ମପ୍ରସାଦ ଲାଭ କରେ । ସେଥିଲାଗି ତାକୁ ଉର୍ମିର ପ୍ରାର୍ଥୀଦଳ ମଧ୍ୟରେ ଜଣେ ବୋଲି ଧରିବାକୁ କେହି ସାହସ କରନ୍ତି ନାହିଁ । ଅଥଚ ନୀରଦର ସେହି ପ୍ରତୀୟମାନ ନିରାସକ୍ତିହିଁ ଉପସ୍ଥିତ କାରଣ ସହିତ ଯୁକ୍ତ ହୋଇ ତା’ ପ୍ରତି ଜନ୍ମିଥିବା ଉର୍ମିର ଶ୍ରଦ୍ଧାକୁ ସମ୍ଭ୍ରମର ସର୍ବୋଚ୍ଚ ସୀମାରେ ଆଣି ଉପନୀତ କରାଇଥିଲା ।

 

ଦିନେ ରାଜାରାମ ଖୋଲାଖୋଲି କହି ପକାଇଲେ ଯେ କନ୍ୟାର ମନରେ କୌଣସି ପ୍ରକାର ଦ୍ୱିଧା ନଥିଲେ ସେ ନୀରଦ ସହିତ ତାହାର ବିବାହ ଦେବାକୁ ଚାହାନ୍ତି । ସେତେବେଳେ ଉର୍ମି ଅନୁକୂଳ ଇଙ୍ଗିତଦେଇ ମୁଣ୍ଡ ହଲାଇଥିଲା । କେବଳ ଏତିକି କହିଥିଲା ଯେ ଏ ଦେଶରେ ଓ ବିଲାତରେ ଶିକ୍ଷାଟା ପ୍ରଥମେ ସମାପ୍ତ କରି ତା’ପରେ ସେ ବିବାହ କରିବ । ବାପା କହିଲେ, “ଭଲ କଥା, କିନ୍ତୁ ଦୁଇଜଣଙ୍କର ସମ୍ମତି ଦ୍ଵାରା ସମ୍ବନ୍ଧଟାକୁ ପକ୍‌କା କରିନେଲେ ପଛକୁ ଆଉ କୌଣସି ଭାବନା ନ ଥିବ ।”

 

ନୀରଦର ରାଜିନାମା ପାଇବାକୁ ଆଦୌ ଡେରି ହେଲା ନାହିଁ । ଅବଶ୍ୟ ତା’ର ଭାବରୁ ପ୍ରକାଶ ପାଇଥିଲା ଯେ ଜଣେ ବୈଜ୍ଞାନିକ ପକ୍ଷରେ ବିବାହ ବନ୍ଧନକୁ ସେ ଏକ ତ୍ୟାଗସ୍ୱୀକାର, ଏପରିକି ଆତ୍ମଘାତ ପ୍ରାୟ ମନେକରେ । ବୋଧହୁଏ ଏହି ଦୁର୍ଯୋଗକୁ ଈଷତ୍‌ ପରିମାଣରେ ଲଘୁ କରିବା ଲାଗି ସର୍ତ୍ତ ରହିଲା ଯେ ପଢ଼ାଶୁଣା ଏବଂ ଅନ୍ୟ ସକଳ ବିଷୟରେ ନୀରଦ ଉର୍ମିର ତତ୍ତ୍ୱାବଧାନ କରିବ; ଅର୍ଥାତ୍‌ ଆପଣା ହାତରେ ଉର୍ମିକୁ ସେ କ୍ରମେ ନିଜର ଭାବୀ ପତ୍ନୀ ରୂପେ ତିଆରି କରିବ । ସେହି କାର୍ଯ୍ୟଟା ଶୁଦ୍ଧ ବୈଜ୍ଞାନିକ ଉପାୟରେ ଦୃଢ଼ ନିୟମିତ ନିୟମରେ ଠିକ୍ ଲାବୋରେଟରୀର ଅଭ୍ରାନ୍ତ ପ୍ରକ୍ରିୟା ପରି ଚାଲିବ ।

 

ଥରେ ନୀରଦ ଉର୍ମି ଆଗରେ କହିଲା, ‘‘ପ୍ରକୃତିର କାରଖାନାରେ ତିଆରି ହୋଇ ପଶୁପକ୍ଷୀ ବାହାରିଛନ୍ତି । କିନ୍ତୁ ମଣିଷ ଏକାବେଳକେ କଞ୍ଚା କାଦୁଅ । ତାକୁ ତିଆରି କରିବାର ଦାୟିତ୍ୱ ଏହି ମଣିଷ ଉପରେ ।”

 

ଉର୍ମି ନମ୍ର ଭାବେ ଜବାବ ଦେଲା “ଆଚ୍ଛା, ପରୀକ୍ଷା କରନ୍ତୁ । ମୁଁ କୌଣସି ବାଧା ଦେବି ନାହିଁ ।” ନୀରଦ କହିଲା, ତୁମ ଭିତରେ ନାନାବିଧ ଶକ୍ତି ରହିଛି । ତୁମ ଜୀବନର ପ୍ରଧାନତମ ଏକମାତ୍ର ଲକ୍ଷ୍ୟର ଚତୁର୍ଦ୍ଦିଗରେ ସେ–ସକଳ ଶକ୍ତିକୁ ବାନ୍ଧି ରଖିବାକୁ ହେବ । ତା’ହେଲେ ଯାଇ ଜୀବନର ମୂଲ୍ୟ ପ୍ରକାଶ ପାଇବ । କୌଣସି ଏକ ଅଭିପ୍ରାୟ ଉପରେ ଦୃଷ୍ଟିରଖି ବିକ୍ଷିପ୍ତକୁ ସଂକ୍ଷିପ୍ତ କରିବାକୁ ପଡ଼ିବ, ଦୃଢ଼ହେବ; ଗତିଶୀଳ ହେବ, ତେବେ ଯାଇ ସେହି ଏକତ୍ଵକୁ ମରାଲ୍ ଅର୍ଗାନିଜମ୍ (Moral Organism) ବୋଲି କୁହାଯାଇ ପାରିବ ।”

 

ଉର୍ମି ପୁଲକିତ ହୋଇ ଭାବିବାକୁ ଲାଗିଲା, ଅନେକ ଯୁବକ ତାଙ୍କ ଘରକୁ ଚାହା ଖାଇବାକୁ, ଟେନିସ୍‌ ଖେଳିବାକୁ ଆସିଛନ୍ତି, କିନ୍ତୁ କାହାରିଠାରୁ ସେ ଏପରି ଓଜନଦାର କଥା ଶୁଣି ନାହିଁ, ଯାହା ତାକୁ ଚିନ୍ତାସଚଳ କରିପାରିଛି । ଆଉ କେହି ସେପରି କିଛି କହି ବସିଲେ ସେହି ଯୁବକମାନଙ୍କୁ ସେ ହାଇ ମାରିବାର ଦେଖିଛି । ପ୍ରକୃତରେ ନିରତିଶୟ ଗଭୀର ଭାବେ କଥା କହିବାର ଧରଣ ନୀରଦର ପୂରାପୂରି ଅଛି । ସେ ଯାହା କିଛି କହୁ ପଛକେ, ଉର୍ମି ତାହା ଶୁଣିବାମାତ୍ରକେ ଧରିନିଏ ଯେ ସେହି କଥା ମଧ୍ୟରେ ନିଶ୍ଚୟ ଏକ ଆଶ୍ଚର୍ଯ୍ୟ ତାତ୍ପର୍ଯ୍ୟ ଦୃଢ଼ ହୋଇ ରହିଛି । ତାର ସମସ୍ତ କଥା ତା’ ଆଗରେ ଅତି ବେଶି ବୁଦ୍ଧି-ପ୍ରଖର ।

 

ରାଜାରାମ ମଝିରେ ମଝିରେ ବଡ଼ ଜୁଆଁଇକୁ ଡାକିଆଣି ଦୁହିଁଙ୍କ ଭିତରେ ଭଲକରି ପରିଚୟ କରାଇଦେବାର ଚେଷ୍ଟା କଲେ; ଶଶାଙ୍କ ଶର୍ମିଳା ଆଗରେ କହେ, “ପିଲାଟା ତା’ର ଜ୍ଞାନ ବିଷୟରେ ବାହାଦୂରୀ କରେ । ଅନ୍ତତଃ ଭାବେ ଆମେ ସବୁ ତା’ର ଛାତ୍ର, ଯେପରି ଶେଷ ବେଞ୍ଚର ଶେଷ କୋଣରେ କୋଉଠି ଯାଇ ପଡ଼ିଛୁ ।”

 

ହସି ହସି ଶର୍ମିଳା ଉତ୍ତର ଦିଏ, “ତୁମେ ସହି ନ ପାରି ଏପରି କହୁଛ । ମତେ କିନ୍ତୁ ପିଲାଟି ଭାରି ଭଲ ଲାଗେ ।’’

 

ଶଶାଙ୍କ ପଚାରେ, “ସାନ ଭଉଣୀକୁ ଏଠି ବଦଳ ରଖିଗଲେ, କେମିତି ହୁଅନ୍ତା ?” ଶର୍ମିଳା କହେ, “ତେବେ ତୁମେ ତ ନିଶ୍ଚିନ୍ତ ହୁଅନ୍ତ, ମୋ’ କଥା ସ୍ଵତନ୍ତ୍ର ।”

 

ଶଶାଙ୍କ ପ୍ରତି ନୀରଦର ଭ୍ରାତୃଭାବ କ୍ରମେ ବଢୁଛି ବୋଲି ମନେ ହୁଏ ନାହିଁ । ମନେ ମନେ ନୀରଦ ଭାବେ, “ଚାକିରି କରିଛନ୍ତି; ବୈଜ୍ଞାନିକ ତ ନୁହନ୍ତି ! ହାତ ଅଛି କିନ୍ତୁ ମଥା ନାହିଁ ।”

 

ନୀରଦର ଉଲୁଗୁଣା ଦେଇ ଶଶାଙ୍କ ଶାଳୀକୁ ସବୁବେଳେ ଥଟ୍ଟା କରେ । କହେ, ‘ଏଥର ପୁରୁଣା ନାଁଟା ବଦଳାଇ ଦେବାର ସମୟ ହୋଇଗଲା ।’

 

‘ଇଂରେଜ ରୀତିରେ ?'

 

‘ନା, ବିଶୁଦ୍ଧ ସଂସ୍କୃତ ମତରେ ।’

 

‘ନୂଆ ନାଁଟା କଣ ଟିକିଏ ଶୁଣିଥାଏ !’

 

‘ବିଦ୍ୟୁତ୍‌ଲତା । ନୀରଦ ମନକୁ ବେଶ୍ ପାଇବ । ଲାବୋରେଟରୀରେ ଯେଉଁ ପଦାର୍ଥ ସହିତ ତା’ର ବେଶୀ ସମ୍ବନ୍ଧ, ସେ ଏଥର ଘରପଘାରେ ବନ୍ଧା ହେବ ।’

 

ମନେ ମନେ ଭାବେ, “ପ୍ରକୃତରେ ନାଁଟା ଉର୍ମିକୁ ଅନାଇ ଠିକ୍ ହୋଇଛି ।’’ କିନ୍ତୁ ଭିତରେ ଯେପରି କିଏ ଛୁଞ୍ଚି ମାରିଦେଲା ପରି ଲାଗେ । ‘ହାୟ ହାୟ, ଶେଷରେ ଏପରି ଗୋଟାଏ ଗର୍ବୀଟାର ହାତରେ ଯାଇ ଏଭଳି ଝିଅ ପଡ଼ିବ ।’ କିପରି ଲୋକ ହାତରେ ପଡ଼ିଥିଲେ ଯେ ଶଶାଙ୍କର ରୁଚିକୁ ଖାପ ଖାଇଥାନ୍ତା, ସେକଥା କହିବା ବଡ଼ କଷ୍ଟକର ।

 

କିଛିଦିନ ପରେ ରାଜାରାମଙ୍କର କାଳ ହୋଇଗଲା । ଉର୍ମିର ଭାବୀ ସତ୍ୱାଧିକାରୀ ନୀରଦନାଥ ଏକାଗ୍ରମନରେ ତା ପରିଣତି-ସାଧନର ଭାର ଗ୍ରହଣ କଲେ ।

 

ଉର୍ମିର ରୂପ ଯେଡ଼େ ସୁନ୍ଦର, ତାଠାରୁ ଅଧିକ ସୁନ୍ଦର କରି ତାକୁ ତା’ର ରୂପଟା ମାନେ । ତା’ର ଚଞ୍ଚଳ ଦେହ ଉପରେ ମନର ଉଜ୍ଜ୍ୱଳତା ଝଲମଲ କରୁଥାଏ । ସବୁ ବିଷୟରେ ତା’ର ଭାରି ଉତ୍ସାହ । ବିଜ୍ଞାନରେ ଯେମିତି ମନ, ସାହିତ୍ୟରେ ତାଠାରୁ ବରଂ ବେଶୀ, କମ୍ ନୁହେଁ । ଖେଳ ପଡ଼ିଆରେ ଫୁଟବଲ ଖେଳ ଦେଖିଯିବାକୁ ତା’ର ଭାରି ଆଗ୍ରହ, ସିନେମା ଦେଖିବାଟାକୁ ମଧ୍ୟ ସେ କଦାପି ଅବଜ୍ଞା କରେ ନାହିଁ । ବିଦେଶରୁ ପଦାର୍ଥ ବିଜ୍ଞାନ ବିଷୟରେ କେହି ବଡ଼ ଜଣେ ବ୍ୟାଖ୍ୟାକର୍ତ୍ତା ପ୍ରେସିଡେନ୍ସି କଲେଜକୁ ଆସିଛନ୍ତି, ସେଠାରେ ମଧ୍ୟ ଉର୍ମି ଯାଇ ଉପସ୍ଥିତ । ରେଡ଼ିଓ ପାଖରେ କାନଦେଇ ସେ ସବୁ ଶୁଣେ, ବେଳେବେଳେ ହୁଏତ ଛି’ ବୋଲି ଚିତ୍କାର କରେ । କିନ୍ତୁ ମନର କୌତୁହଳ କେତେବେଳେ କମ୍ ନଥାଏ । ରାସ୍ତାରେ ବର ଅନୁକୂଳର ଶୋଭାଯାତ୍ରା ଯାଉଛି, ବାଜା ଶୁଣି ସେ ବାରଣ୍ଡାକୁ ଦଉଡ଼ିଆସେ । ଜୁଲୋଜିକାଲ ଉଦ୍ୟାନକୁ କେତେ ଥର ବୁଲିଯାଏ, ଖୁବ୍ ଭଲ ଲାଗେ ତାକୁ । ବିଶେଷତଃ ମାଙ୍କଡ଼ଗୁଡ଼ାଙ୍କର ଆଗରେ ଠିଆ ହେବାରେ ସେ ଭାରି ଆମୋଦ ପାଏ । ଆଗେ ବାବା ବନସୀ ନେଇ ମାଛ ଧରି ବସିଲେ ସେ ତା’ ପାଖରେ ଯାଇ ବସୁଥିଲା । ଉର୍ମି ଟେନିସ୍‌ ଖେଳେ, ବାଡ଼ମିଣ୍ଟନ୍‌ରେ ସେ ଓସ୍ତାଦ୍‌ । ଏସବୁ ସେ ଭାଇଙ୍କଠାରୁ ଶିଖିଛି । ସଞ୍ଚାରିଣୀ ଲତାର ତନୁ ପରି ତାର ତନୁ ଟିକିଏ ପବନ ବି ଦୋହଲି ଉଠେ । ସାଜସଜା ଅତି ସହଜ ଓ ମାର୍ଜିତ-। ଶାଢ଼ୀଟାକୁ ଏଠି ସେଠି ଖୋସିଖାସି ଟାଣିଟୁଣି ଦେଲେ କିପରି ଅଙ୍ଗର ଶୋଭା ବଢେ, ସେ ବିଦ୍ୟା ତାକୁ ଜଣା, କିନ୍ତୁ ସେ ବିଦ୍ୟାର ରହସ୍ୟ ଭେଦ କରି ହୁଏ ନାହିଁ । ଗୀତ ଗାଇ ନ ପାରିଲେ ମଧ୍ୟ ସିତାର ବଜାଏ । ସେହି ସଙ୍ଗୀତର ଦେଖିବା ଦିଗ ଓ ଶୁଣିବା ଦିଗ ଭିତରେ କୋଉଟା ପ୍ରଧାନ କେଜାଣି ? ମନେହୁଏ ଯେପରି ତାର ନିପୁଣ ଅଙ୍ଗୁଳିଗୁଡ଼ିକ କୋଳାହଳ କରିଉଠୁଛି । କଥା କହିବାଲାଗି ତାକୁ କେତେବେଳେ ବିଷୟ ଖୋଜିବାକୁ ପଡ଼େନା, ହସିବାଲାଗି ସେ କୌଣସି କାରଣର ଅପେକ୍ଷା ରଖେନା । ସାହଚର୍ଯ୍ୟ ଦେବାରେ ତାର କ୍ଷମତା ଅଜସ୍ର । ଯେଉଁଠି ଥାଏ, ସେଠାକାର ଶୂନ୍ୟ ସେ ଏକୁଟିଆ ପୂର୍ଣ୍ଣ କରିଦିଏ । କେବଳ ନୀରଦ ପାଖରେ ସେ ଆଉଜଣେ ହୋଇଯାଏ, ପାଲଟଣା ଡଙ୍ଗାରେ ହଠାତ୍ ପବନ ବନ୍ଦ ହୋଇଯାଏ, କେବଳ ନମ୍ରମନ୍ଥର ଗତିରେ ଚାଲିବାକୁ ଲାଗେ ।

 

ସମସ୍ତେ କହନ୍ତି ଉର୍ମିର ସ୍ୱଭାବ ତା’ ଭାଇପରି ପ୍ରାଣପରିପୂର୍ଣ୍ଣ । ଉର୍ମି ଜାଣେ ଯେ କେବଳ ଭାଇ ତା’ର ମନକୁ ମୁକ୍ତ କରି ଦେଇଛନ୍ତି । ହେମନ୍ତ ବେଳେବେଳେ କହେ, ‘ଆମ ଘରଗୁଡ଼ାକ ଗୋଟାଏ ଗୋଟାଏ ମଣିଷ ଗଢ଼ିବା ଛାଞ୍ଚ । ସେଇଥିଲାଗି ତ ଏତେ ଦିନଯାଏ ବିଦେଶୀ ଯାଦୁକର ଏତେ ସହଜରେ ତେତିଶକୋଟି ଲୋକଙ୍କୁ ଖେଳନା କରି ନଚାଉଛି ।’ ସେ କହେ, ‘ମୋର ସମୟ ଆସିଲେ ଏହିସବୁ ସାମାଜିକ ପୌତ୍ତଳିକତାକୁ ମୁଁ କଳାପାହାଡ଼ ହୋଇ ଭାଙ୍ଗି ବାହାରିବି ।’ ସେ ସମୟ ଆଉ ଆସିପାରିଲା ନାହିଁ, କିନ୍ତୁ ସେହି କଥାଗୁଡ଼ାକ ଉର୍ମିର ମନକୁ ବେଶ୍ ସଜୀବ କରି ରଖିଦେଇଗଲା ।

 

ଏଇଥିଯୋଗୁଁ ହିଁ ବଡ଼ ଅଡ଼ୁଆରେ ପଡ଼ିବାକୁ ହେଲା । ନୀରଦର କାର୍ଯ୍ୟପ୍ରଣାଳୀ ଅତ୍ୟନ୍ତ ବିଧିବଦ୍ଧ । ଉର୍ମି ସକାଶେ ସେ ପାଠକ୍ରମର ବନ୍ଧା ନିୟମ ତିଆରି କରିଦେଲା । ତାକୁ ଉପଦେଶ ଦେଇ କହିଲା, ଉର୍ମି, ବାଟ ଚାଲୁ ଚାଲୁ ମନଟାକୁ କେବଳ ଚହଲାଇ ପକାଇଲେ ଚଳିବ ନାହିଁ, ବାଟଚଲା ସରିଲେ ପୁଣି ପାତ୍ରରେ କିଛି ବାକୀ ଥିବା ତ ଦରକାର !

 

ବେଳେବେଳେ ନୀରଦ କହେ, “ତୁମେ ପ୍ରଜାପତି ପରି ଖାଲି ଚଞ୍ଚଳ ହୋଇ ଉଡ଼ି ବୁଲିବାରେ ଅଭ୍ୟସ୍ତ, କିଛି ସଂଗ୍ରହ କରି ଆଣିପାର ନାହିଁ । ମହୁମାଛି ପରି ଆପଣାକୁ ଗଢିଶିଖ । ପ୍ରତ୍ୟେକ ମୁହୂର୍ତ୍ତର ମୂଲ୍ୟ ଅଛି । ଜୀବନଟା ତ କେବଳ ବିଳାସିତା ନୁହଁ ।”

 

ଏବେ ନୀରଦ ଇମ୍ପିରିଆଲ୍‌ ଲାଇବ୍ରେରିରୁ ଶିକ୍ଷାତତ୍ତ୍ୱ ସମ୍ବନ୍ଧରେ ବହିମାନ ଆଣି ପଢ଼ିବାକୁ ଆରମ୍ଭ କରିଛି, ସେହି ବହିରୁ ଏହିସବୁ କଥା ସେ ପଢ଼ିଛି । ତା’ର ଭାଷାଟା ମଧ୍ୟ ସେହି ବହିର ଭାଷା, ଆପଣା ଭାଷା ସେ କହିପାରେନା । ନିଜକୁ ଅପରାଧୀ ବୋଲି ଉର୍ମି ଭଲକରି ବୁଝି ପାରିଲା । ତାର ବ୍ରତ ମହତ୍, ଅଥଚ କ୍ଷଣେ କ୍ଷଣେ ତା’ର ମନ ଏଣେତେଣେ ବିସ୍ମୃତ ହୋଇ ଯାଉଛି, ସେ ଖାଲି ନିଜକୁ ଲାଞ୍ଛନା ଦେବାରେ ଲାଗେ । ଆଖି ଆଗରେ ନୀରଦର ଦୃଷ୍ଟାନ୍ତ ରହିଛି । କି ଆଶ୍ଚର୍ଯ୍ୟ ଦୃଢ଼ତା, କି ଏକାଗ୍ର ଲକ୍ଷ୍ୟ, ସକଳ ଆମୋଦ ଆହ୍ଲାଦ ପ୍ରତି କି କଠୋର ବିରୁଦ୍ଧତା । ଉର୍ମିର ଟେବୁଲ ଉପରେ ଗପ ବା ମନଖୁସୀ କରାଇବା ଭଳି ହାଲୁକା ସାହିତ୍ୟର କୌଣସି ବହି ଦେଖିଲେ ନୀରଦ ସଙ୍ଗେ ସଙ୍ଗେ ତାହା ବାଜ୍ୟାପ୍ତ କରିନିଏ । ଦିନେ ହଠାତ୍ ଉର୍ମିର ତଦାରଖ କରିବାକୁ ଆସି ଶୁଣିଲା ଯେ ସେ ଇଂରାଜୀ ନାଟ୍ୟଶାଳାରେ ସାଲିଭ୍ୟାନ୍‌ଙ୍କର ମିକାଡ଼ୋ ଅପେରାର ଅପରାହ୍ମ ଅଭିନୟ ଦେଖି ଯାଇଛି । ଭାଇ ଥିଲାବେଳେ ଉର୍ମି କେବେହେଲେ ଏପରି ସୁଯୋଗ ହରାଇ ନାହିଁ । ସେଦିନ ନୀରଦର ଅନେକ ତିରସ୍କାର ସହିବାକୁ ହେଲା । ଗୁରୁଗମ୍ଭୀର କଣ୍ଠରେ ଇଂରେଜୀ ଭାଷାରେ ନୀରଦ କହିଲା, “ମନେଅଛି, ସମସ୍ତ ଜୀବନ ଦେଇ ତୁମ ଭାଇର ମୃତ୍ୟୁକୁ ସାର୍ଥକ କରିବାର ଭାର ତୁମେ ନିଜେ ବହନ କରିଛ । ଏତେ ଚଞ୍ଚଳ ସେ କଥା ଭୁଲିଗଲ ?”

 

ଉର୍ମି ଅତ୍ୟନ୍ତ ପରିତୃପ୍ତ ହୋଇପଡ଼ିଲା । ଭାବିଲା, ‘ଲୋକଟାର ଅନ୍ତର୍ଦୃଷ୍ଟି କି ଅସାଧାରଣ । ଶୋକସ୍ମୃତିର ପ୍ରବଳତା ପ୍ରକୃତରେ କମ୍ ହୋଇ ଆସୁଛି, ମୁଁ ନିଜେ ସେ କଥା ବୁଝିପାରି ନାହିଁ । ଧିକ୍, ଏଡ଼େ ଚପଳ ମୋର ଚରିତ୍ର !’ ଉର୍ମି ଆପଣାକୁ ବଡ଼ ସତର୍କ କରିନେଲା, ଲୁଗାପଟାଠାରୁ ଆରମ୍ଭକରି ଶୋଭନୀୟତାର ଯାବତୀୟ ଆଭାସ ଦୂର କରିଦେଲା । ରଙ୍ଗୀନ ଶାଢ଼ୀ ବାଦ୍ ଯାଇ ମୋଟା ଶାଢ଼ୀ ପିନ୍ଧା ହେଲା । ବାକ୍‌ସ ଭିତରେ ଜମା ହୋଇ ରହିଥିଲେ ମଧ୍ୟ ଚକୋଲେଟ ଖାଇବାର ଲୋଭକୁ ଛାଡ଼ିଦେଲା । ଅବାଧ୍ୟ ମନଟାକୁ ଭିଡ଼ି କଷି ଶୁଷ୍କ କର୍ତ୍ତବ୍ୟର କଣ୍ଟା ମରିଥିବା ଏକ ସଂକୀର୍ଣ୍ଣ ଗଣ୍ଡିରେ ବାନ୍ଧିଦେଲା । ଏଥିଲାଗି ବଡ଼ଭଉଣୀର ତିରସ୍କାର ମଧ୍ୟ ସହିବାକୁ ହୁଏ; ଶଶାଙ୍କ ନୀରଦ ଉଦେଶ୍ୟରେ ପରଦେଶୀ ଭାଷାରେ ଯେଉଁ ଅଭିଧାନ ବହିର୍ଭୁତ ଉଗ୍ର ପ୍ରଖର ବିଶେଷଣମାନ ବ୍ୟବହାର କରେ, ସେଗୁଡ଼ାକ ମଧ୍ୟ ଆଦୌ ସୁଶ୍ରାବ୍ୟ ଲାଗେ ନାହିଁ ।

 

ଗୋଟାଏ ବିଷୟରେ ନୀରଦ ସହିତ ଶଶାଙ୍କର ତାଳ ମିଳେ । ଗାଳି ଦେବାର ଆବେଗ ତୀବ୍ର ହୋଇ ଉଠିଲେ ଶଶାଙ୍କର ମୁହଁରୁ କେବଳ ଇଂରାଜୀ ଭାଷା ବାହାରେ, ନୀରଦର ଉପଦେଶଗୁଡ଼ାକ ଅତ୍ୟନ୍ତ ଉଚ୍ଚଶ୍ରେଣୀୟ ହୋଇପଡ଼ିଲାବେଳେ ସେ ମଧ୍ୟ ଇଂରାଜୀ ଭାଷା ବ୍ୟବହାର କରେ । କୌଣସି ନିମନ୍ତ୍ରଣ ଡାକରାରେ ଉର୍ମି ଭଉଣୀ ଘରକୁ ଗଲେ ନୀରଦ ସବୁଠାରୁ ବେଶୀ ବିରକ୍ତ ହୁଏ । ଯିବାଲାଗି ଉର୍ମିର ଆଗ୍ରହ ମଧ୍ୟ କମ୍‌ ନୁହେଁ । ସେମାନଙ୍କ ସହିତ ଥିବା ଉର୍ମିର ଆତ୍ମୀୟ ସମ୍ବନ୍ଧ ନୀରଦର ସମ୍ବନ୍ଧକୁ ଖଣ୍ଡିତ କରିପକାଏ ।

 

ଦିନେ ଉର୍ମି ପାଖରେ ମୁହଁଟାକୁ ଭାରି ଗମ୍ଭୀର କରି ନୀରଦ କହିଲା, “ଗୋଟାଏ କଥା କହିବି, ମନରେ କିଛି ଭାବିବ ନାହିଁ । ନ କହି ଚଳୁନାହିଁ ବୋଲି କହୁଛି । ତୁମ ସମ୍ବନ୍ଧରେ ମୋର ଦାୟିତ୍ୱ ରହିଛି ବୋଲି କେବଳ କର୍ତ୍ତବ୍ୟ ଅନୁରୋଧରେ ଅପ୍ରିୟ କଥାଟା କହିବାକୁ ହେଉଛି । ମୁଁ ତୁମକୁ ସତର୍କ କରି ଦେଉଛି, ଶଶାଙ୍କବାବୁ ପ୍ରଭୃତିଙ୍କ ସହିତ ସବୁବେଳେ ମିଳାମିଶା କରିବାଟା ତୁମର ଚରିତ୍ର ଲାଗି ଅସ୍ୱାସ୍ଥ୍ୟକର । ହୁଏତ ଆତ୍ମୀୟତାର ମୋହରେ ତୁମେ ଅନ୍ଧ ହୋଇଯାଇଛ, କିନ୍ତୁ ମୁଁ ଦୁର୍ଗତିର ସମସ୍ତ ସମ୍ଭାବନା ସ୍ପଷ୍ଟକରି ଦେଖିପାରୁଛି ।”

 

ଉର୍ମିର ଚରିତ୍ର ବୋଇଲେ ଯେଉଁ ପଦାର୍ଥକୁ ବୁଝାଏ ଅନ୍ତତଃ ତାର ପ୍ରଥମ ବନ୍ଧକୀ ଦଲିଲ ନୀରଦର ସିନ୍ଦୂକରେ ରହିଛି, ସେହି ଚରିତ୍ରରେ କୋଉଠି ଟିକିଏ ଏପାଖ ସେପାଖ ହେଲେ କେବଳ ନୀରଦ ହିଁ ଲୋକସାନରେ ପଡ଼ିବ । ନାନା ନିଷେଧ ଫଳରେ ଭବାନୀପୁର ଅଞ୍ଚଳରେ ଉର୍ମିର ଗତିବିଧି କ୍ରମେ ବିରଳ ହୋଇଯାଇଛି । ତାର ଏହି ଆତ୍ମଶାସନ ଅନେକ ପରିମାଣରେ ଗୋଟାଏ ଋଣ ଶୁଝିଲା ପରି । ତା’ ଜୀବନର ଦାୟିତ୍ୱ ହାତକୁ ନେଇ ନୀରଦ ଯେ ସବୁଦିନ ପାଇଁ ଆପଣାର ସାଧନାକୁ ଭାରାକ୍ଳାନ୍ତ କରିରଖିଛି, କୌଣସି ବିଜ୍ଞାନ-ତପସ୍ୱୀ ପକ୍ଷରେ ଏହାଠାରୁ ଅଧିକ ଆତ୍ମତ୍ୟାଗ ଆଉ କଣ ହୋଇପାରେ ?

 

ନାନା ଆକର୍ଷଣରୁ ମନକୁ ପ୍ରତିସଂହାର କରି ଆଣିବାର ଦୁଃଖଟା କ୍ରମେ ଉର୍ମିର ଦେହସୁହା ହୋଇଗଲାଣି । ତଥାପି ମଧ୍ୟେ ମଧ୍ୟେ ଗୋଟାଏ ଦୁର୍ବାର ବେଦନା ତାର ମନକୁ କାମୁଡ଼ି ଧରେ । ସେଇଟାକୁ ଚଞ୍ଚଳତା ବୋଲି ଉଡ଼ାଇଦେଇ ସେ ଚାପିରଖି ପାରେ ନାହିଁ । ନୀରଦ କେବଳ ତାର ଚାଳନା ହିଁ କରେ, ଅଥଚ ମୁହୁର୍ତ୍ତକ ପାଇଁ ମଧ୍ୟ ତାର ସାଧନା କରେନା କାହିଁକି ? ଏହି ସାଧନା ଲାଗି ଉର୍ମିର ମନ ଅନାଇ ବସିଥାଏ । ଏହି ସାଧନାର ଅଭାବରୁ ତାର ହୃଦୟର ମାଧୁର୍ଯ୍ୟ ପୂର୍ଣ୍ଣ ବିକଶିତ ହୋଇପାରେ ନାହିଁ । ତାର ସମସ୍ତ କର୍ତ୍ତବ୍ୟ ନିର୍ଜୀବ ନୀରସ ହୋଇପଡ଼େ । ଦିନେ ଦିନେ ହଠାତ୍ ମନେହୁଏ ଯେପରି ନୀରଦର ଆଖିରେ ଗୋଟାଏ ଆବେଶ ଦେଖା ଦେଇଛି, ଆଉ ଡେରି ନାହିଁ, ଏ ତା’ ପ୍ରାଣର ଗଭୀରତମ ରହସ୍ୟ, ଏଥର ନିଶ୍ଚୟ ଧରା ପଡ଼ିଯିବ । କିନ୍ତୁ ସବୁ ସେଇ ଅନ୍ତର୍ଯ୍ୟାମୀ ଜାଣନ୍ତି; ପ୍ରାଣର ଗଭୀରତମ ବେଦନା ଯଦି କେଉଁଠି ଥାଏ, ତେବେ ସେ ଜାଗା ନୀରଦକୁ ଜଣା ନାହିଁ । ସେ ଖୋଲି କହିପାରେ ନାହିଁ ବୋଲି କହିବାର ଇଚ୍ଛାଟାକୁ ଦୋଷ ଦିଏ । ବିଚଳିତ ଚିତ୍ତକୁ ମୁକ ରଖି ଚାଲିଆସି ଏଇଟାକୁ ସେ ଆପଣା ଶକ୍ତିର ପରିଚୟ ବୋଲି ଭାବି ମନେ ମନେ ଗର୍ବ ଅନୁଭବ କରେ । କହେ, ଭାବ କାତର ହେବା ମୋର କାମ ନୁହେଁ । ଉର୍ମି ହୁଏତ ସେଦିନ ମନେ ମନେ କାନ୍ଦକାନ୍ଦ ହୋଇଯାଏ, ତଥାପି ଭକ୍ତି ସହକାରେ ନୀରଦର ଆଚରଣକୁ ସେ ବୀରତ୍ୱ ବୋଲି ମନେକରେ, କେବଳ ନିଷ୍ଣୁର ହୋଇ ଆପଣାର ଦୁର୍ବଳ ମନକୁ ନିର୍ଯାତନା ଦେଉଥାଏ । ଯେତେ ଚେଷ୍ଟାକଲେ ମଧ୍ୟ ବେଳେବେଳେ ଏକଥା ସେ ଭଲକରି ବୁଝିପାରେ ଯେ ଦିନେ ପ୍ରବଳ ଶୋକର ଚାପରେ ସେ ସ୍ୱତଃପ୍ରବୃତ୍ତ ହୋଇ ଯେଉଁ କଠିନ କର୍ତ୍ତବ୍ୟ ଗ୍ରହଣ କରିଥିଲା, କାଳକ୍ରମେ ଆପଣାର ଇଚ୍ଛା ଦୁର୍ବଳ ହୋଇ ପଡ଼ିବାରୁ ସେ ଇଚ୍ଛା ବର୍ତ୍ତମାନ କେବଳ ଅନ୍ୟ ଜଣକର ଇଚ୍ଛାକୁ ଜାବୁଡ଼ି ଧରିଛି ।

 

ନୀରଦ ତାକୁ ପରିଷ୍କାର କହିଦିଏ, “ଜାଣି ରଖିଥାଅ ଉର୍ମି, ସାଧାରଣତଃ ନାରୀ ପୁରୁଷମାନଙ୍କଠାରୁ ଯେଉଁସବୁ ସ୍ତବସ୍ତୁତି ପ୍ରତ୍ୟାଶା କରିଥାନ୍ତି, ମୋ’ଠାରୁ ତାହା ପାଇବାର କୌଣସି ସମ୍ଭାବନା ନାହିଁ । ମୋର କଳ୍ପିତ ଦାନ ତୁମର ଏସବୁ ଭଡ଼ା କଥାଠାରୁ ଅଧିକ ସତ୍ୟ, ଢେର ମୂଲ୍ୟବାନ୍ ।”

 

ଉର୍ମି ମୁଣ୍ଡ ପୋତିଦେଇ ଚୁପ୍ ରହିଯାଏ । ମନକୁ ମନ ଭାବେ, ୟାଙ୍କଠାରୁ କଣ କୌଣସି କଥା ଅଛପା ରହିପାରିବ ନାହିଁ ?

 

କୌଣସି ପ୍ରକାରେ ମନକୁ ସମ୍ଭାଳି ରଖି ହୁଏ ନାହିଁ । କୋଠା ଉପରକୁ ଏକା ଏକା ବୁଲିବାକୁ ଯାଏ । ଅପରାହ୍ନର ଆଲୁଅ ଧୂସର ହୋଇ ଆସେ । ସହରର ଉଚ୍ଚନୀଚ ନାନା ଘରର ଚୂଡ଼ା ସେପାଖରେ ଦୂର ଗଙ୍ଗାନଦୀ ଘାଟରେ ବନ୍ଧାହୋଇଥିବା ଜାହାକଗୁଡ଼ାକର ଅପର ପ୍ରାନ୍ତରେ ସୂର୍ଯ୍ୟ ଅସ୍ତ ହୋଇଯାଏ । ଦିବସର ପ୍ରାନ୍ତ-ସୀମାରେ ନାନାରଙ୍ଗର ଲମ୍ବା ଲମ୍ବା ମେଘରେଖା ବାଡ଼ ବସାଇଦିଏ । କ୍ରମେ ସେ ବାଡ଼ ଉଭେଇଯାଏ । ଗୀର୍ଜାର ଅଗ୍ରଭାଗ ଉପରେ ଜହ୍ନ ଦେଖାଦିଏ, ଅନତିସ୍ଫୁଟ ଆଲୋକରେ ସହରଟା ସ୍ୱପ୍ନର ଆକାର ଧାରଣ କରେ, ସତେ ଯେପରି ଗୋଟାଏ ଅଲୌକିକ ମାୟାପୁରୀ ! ଉର୍ମି ମନକୁ ମନ ପଚାରେ, ଜୀବନଟା କଣ ପ୍ରକୃତରେ ଏଡ଼େ ଅବିଚଳିତ, ଏଡ଼େ କଠିନ, ଏଡ଼େ କୃପଣ ? ସେ କ’ଣ କୌଣସି ଛୁଟି, କୌଣସି ରସ ଦେଇପାରିବ ନାହିଁ ? ହଠାତ ମନଟା ଉତ୍ତ୍ୟକ୍ତ ହୋଇଉଠେ, ହଠାତ୍ ଗୋଟାଏ କିଛି ଦୁଷ୍ଟାମି କରିବାକୁ ଇଚ୍ଛା ହୁଏ । ମନେମନେ ଭାବେ, ‘ମୁଁ କିଛି ମାନେ ନାହିଁ’ ବୋଲି ସେ ଚିତ୍କାର କରି ଉଠନ୍ତା କି !

Image

 

ଉର୍ମିମାଳା

 

ନୀରଦ ଯେଉଁ ବିଷୟ ନେଇ ଗବେଷଣା କରୁଥିଲା, ସେଇଟା ସରିଲା । ଇଉରୋପର କୌଣସି ଏକ ବୈଜ୍ଞାନିକ ସମାଜକୁ ସେ ଲେଖାଟା ପଠାଇଦେଲା । ସେମାନେ ଲେଖାର ପ୍ରଶଂସା କଲେ, ତା’ ସାଙ୍ଗକୁ ଗୋଟାଏ ସ୍କଲର୍‌ଶିପ୍ ମଧ୍ୟ ମିଳିଗଲା । ନୀରଦ ଠିକ୍‌କଲା, ସେଠାକାର ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିବାଲାଗି ସମୁଦ୍ର ପାରିହୋଇ ଯିବାକୁ ହେବ ।

 

ବିଦାୟ ସମୟରେ କୌଣସି ପ୍ରକାରର କରୁଣ ଆଳାପ ହେଲା ନାହିଁ । କେବଳ ଗୋଟାଏ କଥା ନୀରଦ ବାର ବାର କହିଲା, “ମୁଁ ତ ଯାଉଛି, ଏଣିକି ହୁଏତ ଆପଣାର କର୍ତ୍ତବ୍ୟ ସାଧନରେ ତୁମେ ଶିଥିଳତା ଆଚରଣ କରିବ, ମୋର ଏଇ ଆଶଙ୍କା ରହିଛି ।” ଉର୍ମି ଉତ୍ତର ଦେଲେ “କୌଣସି ଆଶଙ୍କା କରିବେ ନାହିଁ ।” ନୀରଦ କହିଲା, “କିପରି ଚଳିବ, କିପରି ପଢ଼ାପଢ଼ି କରିବାକୁ ହେବ, ସେସବୁ ବିଷୟରେ ମୁଁ ଏକ ବିସ୍ତାରିତ ନୋଟ୍ ଦେଇଯିବି ।”

 

ଉର୍ମି ହଁ ଭରିଲା, “ମୁଁ ଠିକ୍ ତାହାରି ଅନୁସାରେ ଚଳିବି ।”

 

‘‘କିନ୍ତୁ ତୁମ ଆଲମାରୀରେ ଥିବା ବହି ଗୁଡ଼ାକ ମୁଁ ମୋ’ ବସାକୁ ନେଇଯାଇ ତାଲାଦେଇ ରଖିବାକୁ ଭାବିଛି ।”

 

“ନେଇ ଯାଆନ୍ତୁ,” କହି ଉର୍ମି ନୀରଦକୁ ଚାବି ବଢ଼ାଇଦେଲା । ସିତାରଟା ଉପରେ ମଧ୍ୟ ନୀରଦର ନଜର ପଡ଼ିଥିଲା । ତଥାପି ଦ୍ୱିଧା କରି ସେ ଅଟକି ଗଲା ।

 

ଶେଷରେ ନିତାନ୍ତ କର୍ତ୍ତବ୍ୟ ଅନୁରୋଧରେ ନୀରଦକୁ କହିବାକୁ ହେଲା, “ଗୋଟାଏ କଥାକୁ କେବଳ ମୋର ଭୟ । ଯଦି ଶଶାଙ୍କ ବାବୁଙ୍କ ଘରକୁ ପୁଣି ତୁମର ଘନଘନ ଯାତାୟତ ଆରମ୍ଭ ହୁଏ, ତେବେ ତୁମ୍ଭର ନିଷ୍ଠା ଦୁର୍ବଳ ହୋଇ ପଡ଼ିବ, ଏକଥା ଠିକ୍ ଜାଣି ରଖିଥାଅ । ମୁଁ ଯେ ଶଶାଙ୍କ ବାବୁଙ୍କର ନିନ୍ଦା କରୁଛି, ତାହା ନୁହେଁ । ସେ ଖୁବ୍ ଭଲ ମଣିଷ । ବ୍ୟବସାୟରେ ଏପରି ଉତ୍ସାହ ଓ ବୁଦ୍ଧି ମୁଁ ଅତି କମ୍ ବଙ୍ଗାଳିଙ୍କଠାରେ ଦେଖିଛି । ତାଙ୍କର କେବଳ ଗୋଟିଏ ମାତ୍ର ଦୋଷ ଅଛି, ସେ କୌଣସି ପ୍ରକାର ଆଦର୍ଶକୁ ମାନନ୍ତି ନାହିଁ । ସତ କଥା କହୁଛି ତାଙ୍କରି ଲାଗି ମୁଁ ଅନେକ ସମୟରେ ନାନା ଆଶଙ୍କା କରି ବସେ ।”

 

ତାପରେ ଶଶାଙ୍କର ନାନା ଦୋଷର କଥା ପଡ଼ିଲା । ଆଜି ତା’ ଭିତରେ ଯେଉଁ ସବୁ ଦୋଷ ଚାପିହୋଇ ରହିଛି ବୟସ ବଢ଼ିବା ସଙ୍ଗେ ସଙ୍ଗେ ସେସବୁ ଯେ ଗୋଟି ଗୋଟି ହୋଇ ପ୍ରବଳଭାବେ ଫୁଟି ବାହାରିବ, ଏହିପରି ଏକ ଶୋଚନୀୟ ଦୁର୍ଭାବନାର କଥାଟି ମଧ୍ୟ ନୀରଦ ନ କହି ରହିପାରିଲା ନାହିଁ । କିନ୍ତୁ ସବୁ ଦୋଷ ସତ୍ତ୍ୱେ ଶଶାଙ୍କବାବୁ ଯେ ଖୁବ୍ ଭଲ ମଣିଷ, ସେ-କଥା ମୁକ୍ତକଣ୍ଠରେ ସ୍ୱୀକାର କରିବାରେ ନୀରଦର ଭାରି ଇଚ୍ଛା । ତା’ ସହିତ ଏକଥା ମଧ୍ୟ ସେ କହି ଦେବାକୁ ଚାହେଁ ଯେ ତାଙ୍କର ସଙ୍ଗଦୋଷ ଓ ତାଙ୍କ ପରିବାରର ଆବହାୱାରୁ ନିଜକୁ ରକ୍ଷାକରିବା ଉର୍ମିର ବିଶେଷ କର୍ତ୍ତବ୍ୟ । ସେମାନଙ୍କର ସମଭୂମିକୁ ଆପଣା ମନକୁ ଖସାଇ ନେଲେ ଉର୍ମିର ଅଧଃପତନ ସୁନିଶ୍ଚିତ ।

 

ଉର୍ମି କହିଲା, “ଆପଣ କାହିଁକି ଏତେ ଉଦ୍‌ବିଗ୍ନ ହୋଇ ପଡୁଛନ୍ତି ?”

 

‘କାହିଁକି ହେଉଛି ଶୁଣିବ, ରାଗ କରିବ ନାହିଁ ତ ?’

 

‘ସତ୍ୟକଥା ଶୁଣିପାରିବାର ଶକ୍ତି ମୁଁ ଆପଣଙ୍କଠାରୁ ଲାଭ କରିଛି । କଥାଟା ସହଜ ନୁହେଁ ଜାଣିଲେ ମଧ୍ୟ ମୁଁ ସହ୍ୟ କରିପାରିବି ।’

 

‘ତା’ହେଲେ ଶୁଣ । ମୁଁ ଲକ୍ଷ୍ୟକରି ଦେଖିଛି ଯେ ତୁମ ସ୍ଵଭାବ ସହିତ ଶଶାଙ୍କ ବାବୁଙ୍କ ସ୍ଵଭାବରେ ଗୋଟାଏ ମେଳ ରହିଛି । ତାଙ୍କ ମନଟା ବିଲ୍‌କୁଲ୍ ହାଲୁକା । ତୁମକୁ ମଧ୍ୟ ସେଇଟା ଭାରି ଭଲ ଲାଗେ । ସତ ନା ମିଛ, କହିଲ ?'

 

ଲୋକଟା ସର୍ବଜ୍ଞ ନା କ’ଣ,–ଉର୍ମି ମନେ ମନେ ଭାବେ । ଏ ଭିଣୋଇକୁ ତା’ର ଯେ ଭାରି ଭଲଲାଗେ, ଏଥିରେ ଆଦୌ ସନ୍ଦେହ ନାହିଁ । ତା’ର ପ୍ରଧାନ କାରଣ ହେଉଛି, ଶଶାଙ୍କ ଠୋ ଠୋ କରି ହସିପାରେ, ଉତ୍ପାତ କରି ଜାଣେ, ଥଟ୍ଟା କରିପାରେ । ଉର୍ମି କେଉଁ ଫୁଲ ଓ କେଉଁ ରଙ୍ଗର ଶାଢ଼ୀ ଭଲ ପାଏ, ସେକଥା ମଧ୍ୟ ସେ ଠିକ୍ ଠିକ୍ କହିଦିଏ ।

 

ଉର୍ମି ଉତ୍ତର ଦେଲା, “ହଁ ଭଲ ଲାଗେ, ସେ କଥା ମାନୁଛି ।”

 

ନୀରଦ ପୁଣି କହିଲା, “ଶର୍ମିଳା ଅପାଙ୍କର ଭଲ ପାଇବା ଅତି ସ୍ନିଗ୍‌ଧ ଗମ୍ଭୀର, ତାଙ୍କର ସେବା ଠିକ୍ ଯେପରି ପୁଣ୍ୟକର୍ମ; କେତେବେଳେ ହେଲେ ସେ କର୍ତ୍ତବ୍ୟରୁ ଛୁଟି ନେବାକୁ ଇଚ୍ଛା କରନ୍ତି ନାହିଁ; ତାଙ୍କରି ପ୍ରଭାବରୁ ଶଶାଙ୍କବାବୁ ମନ ଦେଇ କାମକରି ଶିଖିଛନ୍ତି । କିନ୍ତୁ ଯେଉଁଦିନ ତୁମେ ଭବାନୀପୁର ଯାଅ, ସେହି ଦିନ ସତେ ଯେପରି ତାଙ୍କ ମୁହଁରୁ ମୁଖା ଖସିପଡ଼େ, ତୁମ ସହିତ ଖେଳ ତାମସା ଲାଗିଯାଏ, ମୁଣ୍ଡକଣ୍ଟା ନେଇ ଯାଇ ଖୋସା ଅଲରା କରି ଦିଅନ୍ତି, ତୁମର ପଢ଼ା ବହିକୁ ନେଇ ଆଲମାରୀ ଉପରେ ରଖି ଦିଅନ୍ତି । ମୁଣ୍ଡ ଉପରେ ଅନେକ କାମ ଥିଲେ ମଧ୍ୟ ହଠାତ୍ ଟେନିସ୍‌ ଖେଳିବାକୁ ଭାରି ଉତ୍ସାହ ହୁଏ ।”

 

ମନେ ମନେ ଉର୍ମିକୁ ମାନିନେବାକୁ ପଡ଼ିଲା ଯେ ଶଶାଙ୍କ ଭାଇ ଏପରି ଦୌରାତ୍ମ୍ୟମାନ କରି ଜାଣନ୍ତି ବୋଲି ତାଙ୍କୁ ତା’ର ଏତେ ଭଲ ଲାଗେ । ତାଙ୍କ ପାଖକୁ ଗଲେ ତା’ର ପିଲାଳିଆ ଦୁଷ୍ଟାମି ଗୁଡ଼ାକ ଢେଉ ଦେଇ ଉଠେ । ସେ ମଧ୍ୟ ତାଙ୍କ ଉପରେ କମ୍ ଅତ୍ୟାଚାର କରେ ନାହିଁ । ବଡ଼ ଭଉଣୀ ଦୁହିଁଙ୍କର ଦୁଷ୍ଟାମୀ ଦେଖି କେବଳ, ଶାନ୍ତ ସ୍ନିଗ୍‌ଧ ଭାବରେ ହସୁଥାଏ । ତିରସ୍କାର ଦେବାର ଛଳନା ଦେଖାଇ ବେଳେବେଳେ ମୃଦୁ ତିରସ୍କାର ମଧ୍ୟ କରେ ।

 

ନୀରଦ ଉପସଂହାର କରି କହିଲା, “ଏପରି କାଗାରେ ରହିବାକୁ ପଡ଼ିବ ଯେଉଁଠି ଆପଣାର ସ୍ୱଭାବଟା କୌଣସି ପ୍ରକାର ପ୍ରଶୟ ପାଇ ପାରିବ ନାହିଁ । ମୁଁ ପାଖେ ପାଖେ ଥିଲେ ଭାବିବାକୁ ପଡ଼ନ୍ତା ନାହିଁ, କାରଣ ମୋର ସ୍ଵଭାବ ତୁମ ସ୍ୱଭାବର ବିଲ୍‌କୁଲ୍‌ ଓଲଟା । ତୁମ ମନରେ କଷ୍ଟ ଦେବି ନାହିଁ ବୋଲି ତୁମରି ମନକୁ ମାଟି କରିଦେବି, ମୋ ଦେଇ ସେକଥା କଦାପି ହୋଇ ପାରିବ ନାହିଁ ।”

 

ତଳକୁ ମୁହଁ ପୋତି ଉର୍ମି କହିଲା, ଆପଣଙ୍କର କଥା ମୁଁ ସର୍ବଦା ସ୍ମରଣ ରଖିଥିବି ।”

 

ନୀରଦ କହିଲା, “ତୁମ ସକାଶେ କେତେଗୁଡ଼ାଏ ବହି ରଖିଦେଇ ଯାଉଛି । ଯେଉଁସବୁ ଅଧ୍ୟାୟରେ ଦାଗ ଦେଇ ରଖିଛି ସେଗୁଡ଼ାକ ଅତି ଭଲକରି ପଢ଼ିବ, ପରେ ତୁମର ଦରକାରରେ ଆସିବ ।”

 

ଉର୍ମି ଏହି ସାହାଯ୍ୟ ହିଁ ଦରକାର କରୁଥିଲା । କାରଣ ଏବେ ବେଳେବେଳେ ତା’ର ସନ୍ଦେହ ହେଉଥିଲା ଯେ ପ୍ରଥମ ଉତ୍ସାହର ସୁଅରେ ଭାସିଯାଇ ସେ ବଡ଼ ଭୁଲ କରିଛି । ହୁଏତ ଡାକ୍ତରି ବିଦ୍ୟା ପଢ଼ିବା ତା’ ଧାତୁ ସହିତ କଦାପି ମିଳିବ ନାହିଁ । ନୀରଦର ଦାଗଦିଆ ବହି ଗୁଡ଼ାକ ଉର୍ମିଲାଗି ଶକ୍ତ ବନ୍ଧନର କାମ ଦେବ, ତାକୁ ଉଜାଣି ବାଟରେ ଟାଣିନେଇ ପାରିବ ।

 

ନୀରଦ ଚାଲିଯିବା ପରେ ଉର୍ମି ଆପଣା ଉପରେ ଆହୁରି କଠିନ ଅତ୍ୟାଚାର ଆରମ୍ଭ କରିଦେଲା । କେବଳ କଲେଜକୁ ଯାହା ଯାଏ, ବାକୀ ସମୟତକ ଘର ଭିତରେ ବନ୍ଦ ହୋଇ ରହିଲା ପରି ରହେ । ଦିନ ଶେଷରେ ଘରକୁ ଫେରି ଆସି ତା’ର ଶ୍ରାନ୍ତ ମନ ଛୁଟି ପାଇବାକୁ ଯେତିକି ହାହାକାର କରିଉଠେ, ଉର୍ମି ସେତିକି ନିଷ୍ଣୁର ହୋଇ ତାକୁ ଅଧ୍ୟୟନର ଜଞ୍ଜିର ଦ୍ୱାରା ବାନ୍ଧିରଖେ । ପଢ଼ାଶୁଣା ମୋଟେ ଆଗେଇ ପାରେ ନାହିଁ, ସେହି ଗୋଟାଏ ପୃଷ୍ଠାରେ ମନଟା ବାର ବାର ବୃଥା ଘୁରି ବୁଲୁଥାଏ, ତଥାପି ହାର ମାନିବାକୁ ଚାହେ ନାହିଁ । ନୀରଦ ପାଖରେ ନାହିଁ ବୋଲି ତା’ର ଦୂରବର୍ତ୍ତୀ ଇଚ୍ଛାଶକ୍ତି ଉର୍ମି ହାତରେ ଅଧିକ କାମ କରାଇବାରେ ଲାଗିଥାଏ ।

 

କାମ କରୁ କରୁ ଆଗର କଥାଗୁଡ଼ାକ ବାର ବାର ମନେ ପଡ଼ିଲେ ଆପଣାକୁ ଧିକ୍କାର ଦେବାକୁ ଉର୍ମିର ଇଚ୍ଛା ହୁଏ । ଯୁବକଦଳ ମଧ୍ୟରେ ତାର ଅନେକ ଭକ୍ତ ଥିଲେ । ସେତେବେଳେ ସେ କାହାକୁ ଉପେକ୍ଷା କରିଛି, କାହାପ୍ରତି ମନେ ମନେ ଆକୃଷ୍ଟ ମଧ୍ୟ ହୋଇଛି । ଭଲ ପାଇବାଟା ପରିଣତ ଅବସ୍ଥାକୁ ଆସି ନ ଥିଲେ ମଧ୍ୟ ଭଲ ପାଇବାର ଇଚ୍ଛାଟା ମୃଦୁମନ୍ଦ ବସନ୍ତ ପବନ ପରି ତା’ର ମନ ଭିତରେ ଘୁରି ବୁଲୁଥିଲା । ସେତେବେଳେ ସେ ହୁଏତ ଗୁଣ୍‌ ଗୁଣ୍‌ ହୋଇ ଗୀତ ଗାଉଥିଲା ବା ଭଲ ଲାଗିଥିବା କବିତାଗୁଡ଼ାକ ଖାତାରେ ଉତାରି ରଖୁଥିଲା । ମନ ଅତି ଚଞ୍ଚଳ ହୋଇପଡ଼ିଲେ ବସି ସିତାର ବଜାଉଥିଲା । ଆଜିକାଲି ଦିନେ ଦିନେ ସନ୍ଧ୍ୟାବେଳେ ବହିର ପୃଷ୍ଠା ଉପରେ ଆଖି ବୁଲାଉ ବୁଲାଉ ହଠାତ୍ ସେ ଚମକି ଉଠି ଜାଣିପାରେ ଯେ ଆଉ ଗୋଟାଏ କୋଉଦିନ ବା କୋଉ ମଣିଷର ଛବି ତା’ର ମନ ମଧ୍ୟରେ ନାଚୁଛି । ସେ ଦିନ ବା ସେ ମଣିଷଟିକୁ ସେ ଆଗେ କେବେହେଲେ ବିଶେଷ ଧ୍ୟାନ ଦେଇ ନ ଥିଲା । ହୁଏତ ସେହି ମଣିଷର ଅବିଶ୍ରାମ ଆଗ୍ରହରେ ସେ ସେଦିନ ବିରକ୍ତି ଅନୁଭବ କରିଥିଲା । ବୋଧହୁଏ ଆଜି ସେହି ଆଗ୍ରହଟା ତା’ର ମନ ଭିତରେ ରହିଥିବା ଅତୃପ୍ତିର ବେଦନାକୁ ସ୍ପର୍ଶ କରି ଚାଲିଯାଉଛି । ସତେ ଅବା ପ୍ରଜାପତିର କ୍ଷଣିକ ହାଲୁକା ଡେଣା ଫୁଲଦେହରେ ବସନ୍ତର ସ୍ପର୍ଶ ଦେଇଯାଉଛି ।

 

ଏସବୁ ଚିନ୍ତାକୁ ଯେତିକି ସେ ମନରୁ ଅନ୍ତର କରିବାକୁ ଚାହେଁ, ସେତିକି ଜୋର ପ୍ରତିଘାତ ଲାଗି ସେଗୁଡ଼ାକ ପୁଣି ତା’ର ମନରେ ଆଜି ବାଜେ । ମେଜ ଉପରେ ନୀରଦର ଖଣ୍ଡ ଫଟୋ ଥୁଆ ହୋଇଛି । ସେଇଆଡ଼କୁ ଉର୍ମି ଏକ ଦୃଷ୍ଟିରେ ଅନାଇ ରହେ । ସେ ମୁଖରେ ବୁଦ୍ଧିର ଦୀପ୍ତି ଅଛି ସତ, କିନ୍ତୁ ଆଗ୍ରହର କୌଣସି ଚିହ୍ନ ନାହିଁ । ସେ ତାକୁ ଆଦୌ ଡାକିପାରେ ନାହିଁ, ତେବେ ଉର୍ମିର ପ୍ରାଣ ଆଉ କାହା ଡାକର ଜବାବ ଦେବ ? ମନେ ମନେ କେବଳ ସେ ଜପ କରୁଥାଏ, ‘କି ପ୍ରତିଭା, କି ତପସ୍ୟା, କି ନିର୍ମଳ ଚରିତ୍ର, ମୋର କି ଅଭାବନୀୟ ସୌଭାଗ୍ୟ ?'

 

କିନ୍ତୁ ଗୋଟାଏ କଥାରେ ଯେ ନୀରଦ ଜିତିଛି, ସେ କଥାଟା କହି ରଖିବା ଦରକାର । ନୀରଦ ସହିତ ଉର୍ମିର ବିବାହ ପ୍ରସ୍ତାବ ଉଠିଲାବେଳେ ଶଶାଙ୍କ ଓ ସନ୍ଦିଗ୍‌ଧମନା ଆଉ କେତେକ ଲୋକ କଥାଟାକୁ ବିଦ୍ରୂପ କରି କହିଥିଲେ, ରାଜାରାମବାବୁ ସାଧାସିଧା ମଣିଷ, ଆଦର୍ଶବାଦୀ ନୀରଦ ଉପରେ ତାଙ୍କର ଦୃଷ୍ଟି ପଡ଼ିଛି । କିନ୍ତୁ ତା’ର ଆଦର୍ଶବାଦ ଯେ ଉର୍ମିର ଟଙ୍କାଥଳୀ ଭିତରେ ଚୁପ୍‌ଚାପ୍‌ ଡିମ୍ବ ଦେବାରେ ଲାଗିଛି, ସେ କଥାଟା କଣ ଲମ୍ବା ଲମ୍ବା ସାଧୁ ବାକ୍ୟରେ ଲୁଚିଯିବ ? ଆପଣାକୁ ନୀରଦ ସାକ୍ରିଫାଇସ୍(ଉତ୍ସର୍ଗ) କରିଛି ସତ, କିନ୍ତୁ ଯାହାଙ୍କ ପାଖରେ ନିଜକୁ ଉତ୍ସର୍ଗ କରିଛି, ତାଙ୍କର ମନ୍ଦିର ଯାଇ ଇମ୍ପିରିଆଲ୍ ବ୍ୟାଙ୍କରେ । ଆମେ ବାବୁ ସଫା ସଫା ଶଶୁରଙ୍କୁ କହିଦେଉ, ‘ଆମର ଟଙ୍କା ଦରକାର’-ଅବଶ୍ୟ ସେ ଟଙ୍କା ପାଣିରେ ପଡ଼ିବ ନାହିଁ, ତାଙ୍କରି କନ୍ୟାଙ୍କ ସେବାରେ ଲାଗିବ । ଇଏ ଆସିଲେ ମହତ୍ ଲୋକ, କହୁଛନ୍ତି କ’ଣ ନା ମହତ ଉଦ୍ଦେଶ୍ୟର ଅନୁରୋଧରେ ବିବାହ କରିବେ । ତା’ପରେ ଶଶୁରଙ୍କ ଚେକ୍ ବହିରେ କ୍ରମଶଃ ସେହି ଉଦ୍ଦେଶ୍ୟଟାର ତର୍ଜମା କରିବାରେ ଲାଗିଯିବେ ।

 

ଏପରି କଥା ଅନେକ ଲୋକ କହିବେ ବୋଲି ନୀରଦ ନିଶ୍ଚିତ କରି ଜାଣିଥିଲା । ଉର୍ମିକୁ କହିଲା, ବିବାହ ପୂର୍ବରୁ ମୋର ଗୋଟାଏ ସର୍ତ୍ତ ଅଛି; ତୁମ ଟଙ୍କାରୁ ମୁଁ ଗୋଟାଏ ପଇସାବି ନେବିନାହିଁ, କେବଳ ନିଜ ଉପାର୍ଜନରେ ମୁଁ ନିଜେ ଚଳିବି । ଶଶୁର ତାକୁ ଇଉରୋପ ପଠାଇବାକୁ ପ୍ରସ୍ତାବ କରିବାବେଳେ ସେ କୌଣସିମତେ ରାଜି ହୋଇ ନାହିଁ । ସେଥିଲାଗି ତାକୁ ଏତେଦିନଯାଏ ଅପେକ୍ଷା କରିବାକୁ ପଡ଼ିଲା । ରାଜାରାମ ବାବୁଙ୍କୁ ସେ ପରିଷ୍କାର କରି କହି ଦେଇଥିଲା, ‘ଡାକ୍ତରଖାନା ବସାଇବାକୁ ଆପଣ ଯେତେ ଟଙ୍କା ଦେବାକୁ ଚାହାନ୍ତି, ସେସମସ୍ତ କନ୍ୟା ନାମରେ ହିଁ ଦେବାକୁ ହେବ । ଡାକ୍ତରଖାନାର ଭାର ନେବାପରେ ମଧ୍ୟ ମୁଁ କୌଣସି ବୃତ୍ତି ଗ୍ରହଣ କରିବି ନାହିଁ । ମୁଁ ଡାକ୍ତର, ଆପେ ଚଳିବାକୁ ମୋର ଭାବନା କଣ ?”

 

ନୀରଦର ଏହି ଏକାନ୍ତ ନିଷ୍ପୃହତା ଦେଖି ରାଜାରାମବାବୁଙ୍କ ତା’ପ୍ରତି ଶ୍ରଦ୍ଧା ଆହୁରି ଦୃଢ଼ ହୋଇଗଲା । ଉର୍ମି ମଧ୍ୟ ଖୁବ୍ ଗର୍ବ ଅନୁଭବ କଲା । ଏହି ଗର୍ବର ନ୍ୟାଯ୍ୟ କାରଣ ଜାଣିବା ପରେ ଶର୍ମିଳାର ମନ ନୀରଦ ପ୍ରତି ଏକାବେଳକେ ବିରୂପ ହୋଇଗଲା । କହିଲା, “ଇସ୍, ଦେଖିବି ଏ ଦିମାକ କେତେଦିନ ରହିବ !’ ସେହିଦିନଠୁ ନୀରଦ ଅଭ୍ୟାସ ଅନୁସାରେ ଗମ୍ଭୀର ହୋଇ କିଛି କଥା କହି ବସିଲେ ଶର୍ମିଳା ହଠାତ୍ କଥା ମଝିରେ ମୁହଁ ବଙ୍କାଇ ଘରୁ ବାହାରି ଚାଲିଯାଏ । କେତେଦୂର ଯାଏ ତାର ଯିବା ଶବ୍ଦ ଶୁଣାଯାଉଥାଏ । ଉର୍ମି ପ୍ରତି ଉପ୍ରୋଧ ରଖି ସେ ଖୋଲି କିଛି କହି ନ ପାରିଲେ କ’ଣ ହେବ, ତା’ର ନ କହିବାର ବ୍ୟଞ୍ଜନାଟା ମଧ୍ୟ ଯଥେଷ୍ଟ ତେଜୋତ୍ତପ୍ତ ହୋଇଥିଲା ପରି ଲାଗୁଥିଲା ।

 

ପ୍ରଥମ କେତେଦିନ ନୀରଦ ପ୍ରତ୍ୟେକ ଡାକରେ ଚାରି ପାଞ୍ଚ ପୃଷ୍ଠାର ଚିଠିମାନ ଲେଖି ବିସ୍ତାରିତ ଉପଦେଶ ଦେବାରେ ଲାଗିଲା । କିଛିଦିନ ପରେ ହଠାତ୍ ଟେଲିଗ୍ରାମ କରି ସମସ୍ତଙ୍କୁ ଚକିତ କରିଦେଲା । ଅତି ବଡ଼ ସଂଖ୍ୟା ପରିମାଣର ଟଙ୍କା ଜରୁରୀ ପଠାଇବାକୁ ହେବ, ପାଠପଢ଼ା ଲାଗି ତା’ର ଦରକାର । ଏତେ ଦିନଯାଏ ସମ୍ବଳ ହୋଇ ରହିଥିବା ଉର୍ମିର ଗର୍ବରେ ଦାରୁଣ ଆଘାତ ଲାଗିଲେ ମଧ୍ୟ ସେ ମନେ ମନେ ଗୋଟାଏ ସାନ୍ତ୍ୱନା ପାଇଲା । ଦିନ ପରେ ଦିନ ଚାଲିଯାଏ, ନୀରଦର ଅନୁପସ୍ଥିତି କ୍ରମେ ଦୀର୍ଘ ହୋଇ ଚାଲିଥାଏ, ଉର୍ମିର ପୂର୍ବ ସ୍ଵଭାବଟା ମଧ୍ୟ କର୍ତ୍ତବ୍ୟର ଆୟତନ ମଧ୍ୟରୁ କେଉଁଠି ବାହାରକୁ ପଳାଇ ଯିବାର ବାଟ ଖୋଜି ବୁଲୁଥାଏ । ନାନାପ୍ରକାର ଛଳନାରେ ଆପଣାକୁ ଫାଙ୍କିଦେଇ ସେ ଅନୁତାପ କରେ । ଏହି ପରି ଏକ ଆତ୍ମଗ୍ଳାନି ସମୟରେ ନୀରଦକୁ ଅର୍ଥ ସାହାଯ୍ୟ ଦେବା ବ୍ୟାପାରଟା ତା’ର ପରିତପ୍ତ ମନରେ ସାନ୍ତ୍ୱନା ଦେଲାପରି ଲାଗେ-

 

ଟେଲିଗ୍ରାମଟା ମ୍ୟାନେଜରଙ୍କ ହାତକୁ ଦେଇ ଉର୍ମି ସଙ୍କୋଚ ସହକାରେ କହିଲା 'ଦାଦି, ଟଙ୍କାଟା-’

 

ମ୍ୟାନେଜର ବାବୁ କହିଲେ, “କଥାଟା କେମିତି ଟିକିଏ ଗୋଳମାଳିଆ ଥିଲାପରି ମନେ ହେଉଛି । ନୀରଦ ପକ୍ଷରେ ଟଙ୍କା ଏକାବେଳକେ ଅସ୍ପୃଶ୍ୟ, ଆଗରୁ ତ ମୁଁ ଏକଥା ଜାଣିଥିଲି ।” ମ୍ୟାନେଜର ନୀରଦକୁ ଦେଖିପାରନ୍ତି ନାହିଁ ।

 

ଉର୍ମି ପୁଣି କହେ, “କିନ୍ତୁ ବିଦେଶରେ-’ କଥାଟା ଶେଷ କରିପାରେ ନାହିଁ । ଦାଦି କହନ୍ତି, “ହୁଏତ ଏ ଦେଶର ସ୍ୱଭାବ ବିଦେଶର ମାଟି ଲାଗି ବଦଳି ଯାଇପାରେ, ମୁଁ ସେକଥା ଜାଣେ । କିନ୍ତୁ ଆମେ ତ ପୁଣି ତା’ସାଙ୍ଗକୁ ତାଳ ରଖି ପାରିଲେ ହେବ ।”

 

ଉର୍ମି କହେ, “କିନ୍ତୁ ଟଙ୍କା ନ ପାଇଲେ କାଳେ କିଛି ବିପଦ ପଡ଼ିବ ।”

 

“ଆଛା ବେଶ୍ ମୁଁ ପଠାଇ ଦେଉଛି । ତୁ ଆଉ ବେଶୀ ବ୍ୟସ୍ତ ହୁଅନା । କିନ୍ତୁ କହି ରଖୁଛି, ଏତିକିରେ ଶେଷ ହେଉ ନାହିଁ, ଏ କେବଳ ଆରମ୍ଭ ମାତ୍ର ହେଲା ।”

 

ଶେଷ ନୁହେଁ ବୋଲି ଅଳ୍ପ ଦିନ ପରେ ଆହୁରି ବଡ଼ ଅଙ୍କରେ ତା’ର ପ୍ରମାଣ ହୋଇଗଲା-। ଏଥର ପ୍ରୟୋଜନ ହେଉଛି ସ୍ୱାସ୍ଥ୍ୟର ପରିବର୍ତ୍ତନ । ଗମ୍ଭୀର ହୋଇ ମ୍ୟାନେଜର କହିଲେ, “ଶଶାଙ୍କବାବୁଙ୍କ ସହିତ ପରାମର୍ଶ କରିବା ଉଚିତ ।”

 

ଅତି ବ୍ୟସ୍ତଭାବରେ ଉର୍ମି କହିଲା, ଆଉ ପଛକେ ଯାହା କର, କିନ୍ତୁ ଅପା ହେରିକା ଯେପରି ଏକଥା ନ ଜାଣନ୍ତି ।”

 

‘‘ଏକାକୀ ଏତେ ବଡ଼ ଦାୟିତ୍ଵ ମୁଣ୍ଡାଇବାକୁ ଭଲ ଲାଗୁନାହିଁ ।”

 

“ଦିନେ ତ ପୁଣି ସବୁ ଟଙ୍କା ତାଙ୍କରି ହାତକୁ ଯିବ ।”

 

‘‘କିନ୍ତୁ ତା’ ପୂର୍ବରୁ ଦେଖିବା ଉଚିତ ଯେପରି ଟଙ୍କାଗୁଡ଼ାକ ପାଣିରେ ନ ପଡ଼େ ।”

 

‘‘କିନ୍ତୁ ତାଙ୍କ ସ୍ଵାସ୍ଥ୍ୟକଥା ତ ପୁଣି ବିଚାରିବାକୁ ହେବ !”

 

“ରୋଗ ତ ନାନା କିସମର ରହିଛି । ଏଇଟା ଠିକ୍ କୋଉ ଜାତିର ରୋଗ ମୁଁ ବୁଝିପାରୁ ନାହିଁ । ଏଠିକି ଫେରିଆସି ହାୱା ବଦଳାଇଲେ ହୁଏତ ରୋଗ ଭଲ ହୋଇ ଯାଇପାରେ । ଫେରିଆସିବାର ବ୍ୟବସ୍ଥା କରିବା ସବୁଠାରୁ ଭଲ ।”

 

ଲେଉଟି ଆସିବାର ପ୍ରସ୍ତାବ ଶୁଣି ଉର୍ମି ଅତ୍ୟନ୍ତ ବିଚଳିତ ହୋଇପଡ଼ିଲା । ଭାବିଲା, ଏପରି ହେଲେ ନୀରଦର ଉଚ୍ଚ ଉଦ୍ଦେଶ୍ୟ-ସାଧନରେ ମଝିରେ ବ୍ୟାଘାତ ପହଞ୍ଚିବ ।

 

ଦାଦି କହିଲେ, ‘‘ଏଇ ଥରକ ଟଙ୍କା ପଠାଉଛି । କିନ୍ତୁ ଯାହା ଜଣାଯାଉଛି ଏଥିରେ ଡାକ୍ତରବାବୁଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇଯିବ ।”

 

ରାଧାଗୋବିନ୍ଦ ଉର୍ମିର ନିକଟ ସମ୍ପର୍କୀୟ ଆତ୍ମୀୟ ହେବେ; ତେଣୁ ଦାଦିଙ୍କର ଇଙ୍ଗିତଟା ଉର୍ମିକୁ ବଡ଼ ବାଧିଲା, ମନେ ମନେ ସେ ଭାରି ସନ୍ଦେହ କଲା, ଅପାକୁ କହିବା ବୋଲି ଭାବିଲା । ଏଣେ ଆପଣାକୁ ବାର ବାର ଧକ୍କା ଦେଇ ପଚାରିବାକୁ ଲାଗିଲା, ‘‘କିନ୍ତୁ ମନରେ ଯଥୋଚିତ ଦୁଃଖ ହେଉ ନାହିଁ କାହିଁକି ?’’

 

ଇତ୍ୟବସରରେ ଶର୍ମିଳାର ରୋଗଟା ଗୋଟାଏ ଚିନ୍ତାର କାରଣ ହୋଇପଡ଼ିଲା । ଭାଇଟାର ରୋଗ ହୋଇ ମରିବା କଥା ମନେ ପଡ଼ି ଆଶଙ୍କା ବଢ଼ାଇ ଦେଲା । ନାନା ଦିଗରୁ ବ୍ୟାଧିର ଆବାସଗୁହାଟା ଖୋଜି ବାହାର କରିବାକୁ ଡାକ୍ତରମାନେ ଲାଗି ପଡ଼ିଲେ । ଏକପ୍ରକାର କ୍ଳାନ୍ତ ହସ ହସି ଶର୍ମିଳା କହିଲା, “ଅସଲ ଅପରାଧୀ ଗୋଇନ୍ଦାମାନଙ୍କର ହାତରୁ ଖସି ପଳାଇବ, ଆଘାତ ପାଇ ନିରପରାଧଟାହିଁ ମରିବ ।”

 

ଶଶାଙ୍କ ଚିନ୍ତିତ ଭାବରେ କହିଲା, “ଶାସ୍ତ୍ରମତ ଅନୁସାରେ ରୋଗର ଅନୁସନ୍ଧାନ କରାଯାଉ ପଛକେ, କିନ୍ତୁ ଆଘାତ କୌଣସି ପ୍ରକାରେ ଲଗାଇବାକୁ ଦିଆଯିବ ନାହିଁ ।”

 

ଏତିକିବେଳେ ଶଶାଙ୍କ ହାତକୁ ଦୁଇଟା ବଡ଼ କାମ ଆସିଥାଏ । ଗୋଟାଏ ଗଙ୍ଗାକୂଳର ଝୋଟ କାରଖାନାରେ, ଆଉ ଗୋଟାଏ ଟାଲିଗଞ୍ଜଆଡ଼େ ମୀରପୁର ଜମିଦାରଙ୍କର ନୂତନ ବଗିଚାରେ । ଝୋଟ କାରଖାନାରେ କୁଲିବସ୍ତି ତିଆରି କରିଦେବାର ମିଆଦ ଥିଲା ତିନିମାସ, ତାହା ଛଡ଼ା ଆଉ କେତେଟା ଜାଗାରେ କେତେଗୁଡ଼ାଏ ପାଣିକଳ ବସାଇବାର କାମ ମଧ୍ୟ ଥିଲା । ନିଃଶ୍ୱାସ ମାରିବାକୁ ବେଳ ମିଳୁ ନଥାଏ, ଶର୍ମିଳାର ବେମାରିଟା ଲାଗି ଅବଶ୍ୟ ତାକୁ ବେଳେ ବେଳେ ଅଟକି ଯିବାକୁ ପଡ଼େ; କିନ୍ତୁ ମନଧ୍ୟାନ ସବୁବେଳେ କାମ ପାଖରେ ଥାଏ ।

 

ବିବାହ ହେବାର ଏତେଦିନ ହୋଇଗଲାଣି; କିନ୍ତୁ ଶର୍ମିଳାର ବେମାରି ସକାଶେ ଶଶାଙ୍କକୁ କେବେ ଏପରି ଭାବିବାକୁ ପଡ଼ି ନଥିଲା; ତେଣୁ ଏଥର ରୋଗଜନିତ ଉଦ୍‌ବେଗରେ ସେ ପିଲାଙ୍କ ପରି ଅତି ଅସ୍ଥିର ହୋଇଯାଇଛି । ଚାରିଆଡ଼ର କାମ ବାକୀ ପକାଇ ବୁଲି ବୁଲି ସେ ନିରୁପାୟ ଭାବେ ଶର୍ମିଳାର ବିଛଣା ପାଖରେ ଆସି ବସେ । ମୁଣ୍ଡରେ ହାତ ବୁଲାଉ ବୁଲାଉ କିପରି ଅଛ ବୋଲି ପଚାରେ । ଶର୍ମିଳା ଜବାବ ଦିଏ, ‘ସତ କହୁଛି, ମୁଁ ଭଲ ଅଛି ।’ ଏ କଥାରେ ବିଶ୍ୱାସ କରିବା କଥା ନୁହେଁ, କିନ୍ତୁ ବିଶ୍ୱାସ କରିବାର ଏକାନ୍ତ ଇଚ୍ଛା ବଶତଃ ଶଶାଙ୍କ ଅବିଳମ୍ବେ ବିଶ୍ୱାସ କରି ଆଶ୍ୱସ୍ତ ହୁଏ ।

 

ଶଶାଙ୍କ କହିଲା, “ଢେଙ୍କାନାଳ ରାଜାର ଗୋଟାଏ ବଡ଼ କାମ ହାତକୁ ଆସିଛି, ପ୍ଲାନ୍‌ଟା ନେଇ ଦେଓ୍ୟାନ୍ ସହିତ କଥାବାର୍ତ୍ତା କରିବାକୁ ହେବ । ଯେତେ ଶୀଘ୍ର ସମ୍ଭବ ଡାକ୍ତର ଆସିବା ଆଗରୁ ନିଶ୍ଚୟ ଫେରି ଆସିବି ।”

 

ଶର୍ମିଳା ମିନତି କଲାପରି କହେ, “ମୋ ମୁଣ୍ଡଖାଅଟି ଏମିତି ଚଞ୍ଚଳ ହୋଇ କାମ ନଷ୍ଟ କରି ଦିଅ ନାହିଁ । ବୁଝି ପାରୁଛି ଯେ ତୁମକୁ ତାଙ୍କ ରାଜ୍ୟକୁ ଯିବାର ଦରକାର ପଡ଼ିବ । ନିଶ୍ଚୟ ଯିବାକୁ ହେବ । ନହେଲେ ମୋର ଦେହ ଆହୁରି ଖରାପ ହୋଇଯିବ । ମୋତେ ଦେଖିବା ଲାଗି ଢେର ମଣିଷ ଅଛନ୍ତି ।’’

 

ପ୍ରକାଣ୍ଡ ଐଶ୍ଵର୍ଯ୍ୟର ଅଧିକାରୀ ହେବାର ସଂକଳ୍ପ ଦିନ ରାତି ଶଶାଙ୍କର ମନକୁ ଚଞ୍ଚଳ କରି ରଖିଛି । କିନ୍ତୁ ଐଶ୍ୱର୍ଯ୍ୟ ଏହାର ପ୍ରଧାନ ଆକର୍ଷଣ ନୁହେଁ । ଏକମାତ୍ର ଇଚ୍ଛା, ସେ ବଡ଼ ହେବ । କିଛି ଗୋଟାଏ ଅତି ବଡ଼ ଗଢ଼ିପାରିବା ତ ପୁରୁଷର ଦାୟିତ୍ୱ । ଅର୍ଥଦ୍ୱାରା କେବଳ ଦୈନନ୍ଦିନ ଗୁଜରାଣ ମେଣ୍ଟୁଥିବା ପର୍ଯ୍ୟନ୍ତ ଅର୍ଥକୁ ତୁଚ୍ଛ ବୋଲି ଅବଜ୍ଞା କରିବା ବେଶ୍ ଚଳେ । କିନ୍ତୁ ଅର୍ଥର ଚୂଡ଼ାକୁ ସମୁଚ୍ଚ ଭାବେ ଉତ୍ତୋଳିତ କରିପାରିଲେ, ସର୍ବସାଧାରଣ ତାହାକୁ ଶ୍ରଦ୍ଧା-ଚକ୍ଷୁରେ ଦେଖିବାକୁ ଆରମ୍ଭ କରନ୍ତି । ଉପକାର ପାଆନ୍ତି ବୋଲି ଯେ ଶ୍ରଦ୍ଧା କରନ୍ତି, ତା’ନୁହେଁ, ଅର୍ଥାତ୍ ବଡ଼ତ୍ୱଟାକୁ ଦେଖିବାରେ ସେମାନେ ଯଥେଷ୍ଟ ଚିତ୍ତସ୍ଫୂର୍ତ୍ତି ଲାଭ କରନ୍ତି । ରୋଗୀ ଶର୍ମିଳାର ମୁଣ୍ଡ ପାଖରେ ଉଦ୍‌ବିଗ୍ନ ହୋଇ ବସିଥିବାବେଳେ ମଧ୍ୟ କେଉଁଠି କେଉଁ କାମରେ କି ଅନିଷ୍ଟର ଆଶଙ୍କା ରହିଗଲା, ଶଶାଙ୍କ ମନରେ ସ୍ୱଭାବତଃ ସେହିସବୁ ଭାବନା ଖେଳୁଥାଏ । ଏହା ଯେ କୃପଣର ଭାବନା ନୁହେଁ, ସ୍ଵକୀୟ ଅବସ୍ଥାର ନିମ୍ନତମ ସ୍ତରରୁ ଆପଣାର ଜୟସ୍ତମ୍ଭକୁ ଉଚ୍ଚ କରି ତୋଳିବାର ପୁରୁଷୋଚିତ ଭାବନା ଏ,-ଏକଥା ଶର୍ମିଳା ଭଲ କରି ଜାଣେ । ଶଶାଙ୍କର ଏହି ଗୌରବରେ ସେ ମଧ୍ୟ ଗୌରବ ଅନୁଭବ କରେ । ତେଣୁ ତା’ର ରୋଗର ଶୁଶ୍ରୂଷା କରୁ କରୁ ସ୍ଵାମୀ ଯେ ତାଙ୍କ କାମରେ ଅବହେଳା କରିବେ, ଏକଥା ଯେଡ଼େ ସୁଖକର ହେଲେହେଁ ତାକୁ ଭଲ ଲାଗେ ନାହିଁ । ବାର ବାର ସେ ଶଶାଙ୍କକୁ କାର୍ଯ୍ୟକ୍ଷେତ୍ରକୁ ଫେରାଇ ଦିଏ ।

 

ଏଣେ ଆପଣା କର୍ତ୍ତବ୍ୟ ବିଷୟରେ ମଧ୍ୟ ଶର୍ମିଳାର ଉତ୍କଣ୍ଠା କିଛି କମ୍ ନୁହେଁ । ସିଏ ତ ବିଛଣାରେ ପଡ଼ି ରହିଲା, ପୂଜାରୀ ଚାକରଙ୍କ କଥା କିଏ ବୁଝିବ ? ଖରାପ ଘିଅରେ ରନ୍ଧାବଢ଼ା ହେଉଥିବ, ଗାଧୁଆଘରେ ଠିକ ସମୟରେ ଗରମ ପାଣି ଦିଆ ହେଉ ନଥିବ; ବିଛଣାଚଦର ବଦଳା ହେଉ ନ ଥିବ, ନଳା ଗୁଡ଼ାକରେ ନିୟମିତ ଝାଡୁ ବାଜୁ ନଥିବ, ଏସବୁ ସେ ନିଶ୍ଚିତରୂପେ ଅନୁମାନ କରିନିଏ । ନିଜେ ଧୋବାଖାତା ଅନୁସାରେ ଲୁଗାତକ ବୁଝି ନ ରଖିଲେ ଯେଉଁ ଗୋଳମାଳ ହୁଏ, ସେ ସେକଥା ଭଲକରି ଜାଣେ । ଏସବୁ ପଡ଼ି ପଡ଼ି ସେ କେତେ ସହିବ ? ବେଳେ ବେଳେ ଲୁଚିକରି ତଦନ୍ତ କରିବାକୁ ଚାଲିଯାଏ, ବେମାରୀ ବଢ଼େ, ଜ୍ୱର ବେଶୀ ହୋଇଯାଏ, ଡାକ୍ତରମାନେ କ’ଣ ହେଲା ବୋଲି ଧନ୍ଦାରେ ପଡ଼ିଯାଆନ୍ତି ।

 

ଶେଷରେ ଉର୍ମିଳାକୁ ଖବର ଦେଇ ଆଣିବାକୁ ପଡ଼ିଲା । ଶର୍ମିଳା କହିଲା, "ଏଇ କେଇଟା ଦିନ ତୋର କଲେଜ ଯିବା ନ ହେଉ ପଛକେ, ମୋର ସଂସାରଟା ଆସି ରକ୍ଷାକର । ନ ହେଲେ ମୁଁ ମୋଟେ ନିଶ୍ଚିନ୍ତ ହୋଇ ରହି ପାରୁନାହିଁ ।’’

 

ପାଠକ ଏଇଠି ନିଶ୍ଚୟ ମୁରୁକି ହସି କହିବେ, ‘ଏଥର କଥାଟା ଜଣା ପଡ଼ିଲା’, ବୁଝିବା ଲାଗି ଖୁବ୍ ବେଶୀ ବୁଦ୍ଧି ଖରଚର ଦରକାର ନାହିଁ । ଯାହା ଘଟିବାର, ତା’ ଘଟିଯାଏ; ସେତିକି ଯଥେଷ୍ଟ । ଶର୍ମିଳା ଆଖିରେ ଧୂଳିଦେଇ ତା’ସ ଲୁଚାଇ ଯେ ଭାଗ୍ୟପରୀକ୍ଷାର ଖେଳ ଚାଲିବ, ସେପରି ଆଶଙ୍କା କରିବାର କୌଣସି କାରଣ ନାହିଁ ।

 

ବଡ଼ ଭଉଣୀର ସେବା କରିବାକୁ ଯାଉଛି ବୋଲି ଉର୍ମି ମନରେ ବେଶ୍‌ ଉତ୍ସାହ । ଏଇ କର୍ତ୍ତବ୍ୟଟି ଲାଗି ତାକୁ ଅନ୍ୟ ସମସ୍ତ କାମ ବାଦ୍ ଦେବାକୁ ହେବ । ତା’ ନକରି ଆଉ ବା ଉପାୟ କଣ ଅଛି ? ଏହାଛଡ଼ା ଏହି ଶୁଶ୍ରୂଷାର କାମ ତ ତା’ର ଭାବୀ-ଡାକ୍ତର ହେବାର କାମ ସହିତ ସଂଲଗ୍ନ, ଏକଥା ଭାବିବାକୁ ମଧ୍ୟ ସେ ଛାଡ଼ି ନାହିଁ ।

 

ଅତି ଆଡ଼ମ୍ବରରେ ବାଛି ବାଛି ସେ ଗୋଟାଏ ଚମଡ଼ା ବନ୍ଧା ଖାତା ବାହାର କଲା । ରୋଗର ଦୈନିକ ଜୁଆରଭଟ୍ଟାର ପରିମାଣକୁ ରେଖାଙ୍କିତ କରିବା ଲାଗି ସେଥିରେ ଛକି କଟା ହୋଇଛି । ଡାକ୍ତର କାଳେ ତାକୁ ଅବଜ୍ଞା କରିବେ, ସେହି ଆଶଙ୍କାରେ ଭଉଣୀର ରୋଗ ସମ୍ବନ୍ଧରେ ଯାହାକିଛି ମିଳିଲା, ସେ ଆଗରୁ ପଢ଼ି ନେବାକୁ ସ୍ଥିର କଲା । ଶରୀରତତ୍ତ୍ୱରେ ତାର ଏମ୍.ଏସ୍.ସି. ପରୀକ୍ଷା ଦେବାର କଥା, ତେଣୁ ରୋଗତତ୍ତ୍ୱର ପାରିଭାଷିକ ବୁଝିବା ତା’ପକ୍ଷରେ ମୋଟେ କଷ୍ଟକର ହେଲା ନାହିଁ । ତେଣୁ ଭଉଣୀର ସେବା କରିବାଦ୍ୱାରା ତା’ର କର୍ତ୍ତବ୍ୟସୂତ୍ର ଛିନ୍ନ ହୋଇଯିବ ନାହିଁ, ବରଂ ଅଧିକ ଏକାନ୍ତ ଭାବେ କଠିନତର ଚେଷ୍ଟାଦ୍ୱାରା ସେ ତା’ର ଅନୁସରଣ କରିପାରିବ, ମନେ ମନେ ଏଇକଥା ସ୍ଥିର କରି ପଢ଼ାବହି ଓ ଖାତାପତ୍ର ଧରି ସେ ଭବାନୀପୁର ବସାରେ ଆସି ପହଞ୍ଚିଲା-। ଅପାର ବାନ୍ତି ବିଷୟକ ରୋଗତତ୍ତ୍ୱ ସମ୍ବନ୍ଧରେ ଗୋଟାଏ ମୋଟା ବହି ଦେଖିବାର ସୁଯୋଗ ସେ ପାଇ ପାରିଲା ନାହିଁ । କାରଣ ବିଶେଷଜ୍ଞମାନେ ମଧ୍ୟ ରୋଗଟାର ସଂଜ୍ଞା ନିର୍ଣ୍ଣୟ କରିପାରିଲେ ନାହିଁ-

 

ଉର୍ମି ନିଜକୁ ମନେ ମନେ ଏକ ଶାସନକର୍ତ୍ତା ପରି ଭାବିନେଲା । ଖୁବ୍ ଗମ୍ଭୀର ହୋଇ ବଡ଼ ଭଉଣୀକୁ କହିଲା, “ଡାକ୍ତରର କଥାମତେ ଯେପରି ସବୁ ଠିକ୍ ଠିକ୍ ଚଳିବ, ସେକଥା ଦେଖିବାର ଦାୟିତ୍ୱ ମୋର । ମୂଳରୁ ମୁଁ କହିଦେଉଚି, ତୋତେ ମୋ କଥା ମାନି କରି ଚଳିବାକୁ ହେବ ।”

 

ସାନଭଉଣୀର ମୁହଁରେ ଦାୟିତ୍ୱର ଏ ଆଡ଼ମ୍ବର ଦେଖି ଶର୍ମିଳା ହସି ହସି କହିଲା, “ବାଃ, ହଠାତ୍ ଏପରି ଗମ୍ଭୀର ହୋଇ ଶିଖିଲୁ କେଉଁ ଗୁରୁଠାରୁ ? ନୂଆ ଦୀକ୍ଷା ବୋଲି ତ ଦେଖୁଛି ଭାରି ଉତ୍ସାହ ! ମୋ କଥା ତୁ ମାନି ଚଳିବୁ ବୋଲି ତ ମୁଁ ତୋତେ ଏଠିକି ଆଣିଚି । ତୋ’ର ଡାକ୍ତରଖାନା ତ ତିଆରି ହୋଇ ନାହିଁ, କିନ୍ତୁ ମୋର ଘରକରଣା ତ ଆଗରୁ ତିଆରି ହୋଇ ସାରିଚି । ଆପାତତଃ ତୁ ସେଇ ଦାୟିତ୍ୱଟା ନେ, ବଡ଼ଭଉଣୀକୁ ଟିକିଏ ଛୁଟି ଦେ ।’’

 

ଶର୍ମିଳା ଏହିପରି ନାନା ଜୋର କରି ଉର୍ମିକୁ ରୋଗଶଯ୍ୟା ପାଖରୁ ଅନ୍ତର କରିଦେଲା ।

 

ଉର୍ମି ଆଜି ଭଉଣୀର ଗୃହରାଜ୍ୟରେ ପ୍ରତିନିଧି ପଦ ପାଇଚି । ସେ କ୍ଷେତ୍ରରେ ଘଟୁଥିବା ଅରାଜକତାର ଆଶୁ ପ୍ରତିବିଧାନ ଆବଶ୍ୟକ । ଏହି ସଂସାରଟିର ସର୍ବୋଚ୍ଚ ଶିଖରରେ ବିରାଜମାନ କରୁଥିବା ଏକମାତ୍ର ପୁରୁଷ-ପୁଙ୍ଗବଙ୍କର ସେବାରେ ଯେପରି ଲେଶମାତ୍ର ତ୍ରୁଟି ନ ହୁଏ, ସେହି ମହତ୍‌ ଉଦ୍ଦେଶ୍ୟ ଲାଗି ସମ୍ପୂର୍ଣ ତ୍ୟାଗ ସ୍ୱୀକାର କରିବା ଏ ଘରର ଛୋଟ ବଡ଼ ପ୍ରତ୍ୟେକ ଅଧିବାସୀର ଏକମାତ୍ର ସାଧନାର ବିଷୟ । ସେହି ପୁରୁଷଟି ଯେ ନିରତିଶୟ ନିରୁପାୟ ଓ ଆପଣାର ଦେହଯାତ୍ରା ନିର୍ବାହ କରିବାକୁ ଅତି ଶୋଚନୀୟଭାବେ ଅକର୍ମଣ୍ୟ, ଏଇ ସଂସ୍କାରଟା ଶର୍ମିଳାର ମନରୁ କୌଣସି ପ୍ରକାରେ ଦୂର ହୋଇପାରିଲା ନାହିଁ । ଚୁରୁଟରୁ ନିଆଁ ଲାଗି ଶଶାଙ୍କ ଅଲକ୍ଷ୍ୟରେ କମିଜ ହାତର କିଛି ଅଂଶ ପୋଡ଼ି ପକାଇଛି । ଏକଥା ଦେଖିଲେ ହସ ମାଡ଼ିବା ସଙ୍ଗେ ସଙ୍ଗେ ଶର୍ମିଳାର ମନ ସ୍ନେହସିକ୍ତ ହୋଇ ଉଠେ । ସକାଳେ ମୁହଁ ଧୋଉ ଧୋଉ ହୁଏତ ଇଞ୍ଜିନିୟରଙ୍କର ତାଗିଦାପାଇ ଶୋଇବା ଘରର କଳଟାକୁ ଖୋଲା ରଖି ତରତରରେ ବାହାରି ଯାଇଛି, ଫେରିଆସି ଦେଖେ ତ ଘରଯାକ ପାଣି ଠିଆ ହୋଇଛି; ଗାଲିଚାଟା ନଷ୍ଟ ହୋଇଯାଇଛି । ଏପରି ଏକ ଜାଗାରେ କଳ ବସାଇବା ଠିକ୍ ନୁହେଁ ବୋଲି ଶର୍ମିଳା ମୂଳରୁ ଆପତ୍ତି କରିଥିଲା । ସେ ଯଥାର୍ଥ ଅନୁମାନ କରି ନେଇଥିଲା ଯେ ବିଛଣା ପାଖରେ ଘର କୋଣରେ ଏହି ପ୍ରବୀଣ ପୁରୁଷ ପ୍ରତ୍ୟହ ଜଳସ୍ଥଳର ଏକ ପଙ୍କିଳ ଅପସୃଷ୍ଟି ସଂଘଟିତ କରିବେ । କିନ୍ତୁ ଶଶାଙ୍କ ନିଜେ ଜଣେ ବଡ଼ ଇଞ୍ଜିନିୟର, ବୈଜ୍ଞାନିକ ସୁବିଧାର ଦ୍ୱାହି ଦେଇ ଯେତେ ଯାହା ଅସୁବିଧାକୁ ଆହୁରି ଜଟିଳ କରିଦେବାରେ ତା’ର ଭାରି ଉତ୍ସାହ । ହଠାତ୍ ଦିନେ ମୁଣ୍ଡରେ କି ପୋକ କାମୁଡ଼ିଲା କେଜାଣି ପୂରାପୂରି ନିଜର ଯୋଜନାରେ ଗୋଟାଏ ଷ୍ଟୋଭ୍‌ ତିଆରି କରିବାରେ ଲାଗିପଡ଼ିଲା । ଷ୍ଟୋଭ୍‌ର ଦୁଇଆଡ଼େ କବାଟ, ଦୁଇଆଡ଼େ ଚେମିଣୀ, ଏକ ଦିଗରେ ଅଗ୍ନିର ଅପବ୍ୟୟହୀନ ଉଦ୍ଦୀପନ, ଅନ୍ୟ ଦିଗରେ କ୍ରମନିମ୍ନ ପଥରେ ନିଃଶେଷ ଭାବେ ପାଉଁଶର ଅଧଃପାତନ-ତା’ଛଡ଼ା ସେକିବା, ଭାଜିବା ସିଝାଇବା ଓ ପାଣି ଗରମ କରିବା ଲାଗି ନାନା ଆକାରର ଖୋପ ଓ ଗୁହାଗହ୍ୱରର କଳାକୌଶଳ । ବ୍ୟବହାର ସକାଶେ ନୁହେଁ, ଶାନ୍ତି ଓ ସଦ୍‌ଭାବ ରଖିବା ଲାଗି ଉତ୍ସାହର ଭାଷା ଓ ଭଙ୍ଗୀ ଦ୍ଵାରା ଶର୍ମିଳା ଏହି କାରିଗରକୁ ମାନି ନେଇଥିଲା । ପ୍ରାପ୍ତବୟସ୍କ ଶିଶୁମାନଙ୍କର ଖେଳ ଇଏ । ଟିକିଏ ବାଧା ଦେବାକୁ ଗଲେ ନାନା ଅନର୍ଥ ଲଗାଇ ଦେବେ, ଅଥଚ ଦିନ ଦୁଇଟାରେ ସବୁକଥା ଭୁଲିଯିବେ । କୌଣସି ଚିରସ୍ଥାୟୀ ବ୍ୟବସ୍ଥା ଆଡ଼େ ମନ ନ ଥାଏ, ଅଦ୍‌ଭୁତ ରକମର ଗୋଟାଏ କିଛି ସୃଷ୍ଟି କରିବାରେ ହିଁ ସବୁଠାରୁ ବେଶୀ ଉତ୍ସାହ । ଆଉ ମୁହଁରେ ସେମାନଙ୍କର ମତରେ ‘ହଁ’ ମାରି କାର୍ଯ୍ୟରେ ନିଜ ମତରେ ଚଳିବା ହେଉଛି ସ୍ତ୍ରୀମାନଙ୍କର ଦାୟିତ୍ଵ । ଶର୍ମିଳା ଅତି ଆନନ୍ଦର ସହିତ ଆଜିଯାଏ ଏହି ସ୍ଵାମୀପାଳନର ଦାୟିତ୍ୱ ବହନ କରି ଆସିଛି ।

 

ଏତେଦିନ ଚାଲିଗଲା, ତଥାପି ନିଜକୁ ବାଦ୍ ଦେଇ ଶଶାଙ୍କର ଜଗତକୁ ଶର୍ମିଳା କଳ୍ପନାହିଁ କରିପାରିଲା ନାହିଁ । କିଏ ଜାଣେ ହୁଏତ ଆଜି ମୃତ୍ୟୁର ଦୂତ ଆସି ଜଗତ୍‌ ଓ ଜଗଦ୍ଧାତ୍ରୀଙ୍କ ମଧ୍ୟରେ ବିଚ୍ଛେଦ ଘଟାଇ ଦେବ । ମଲାପରେ ଯେ ଶଶାଙ୍କର ଦୈହିକ ଅଯତ୍ନ ଶର୍ମିଳାର ବିଦ୍ରୋହୀ ଆତ୍ମାର ଶାନ୍ତିଭଙ୍ଗ କରିବ, ଏପରି ଆଶଙ୍କା ମଧ୍ୟ ତା’ର ବେଳେବେଳେ ହୁଏ । ଭାଗ୍ୟକୁ ଉର୍ମି ରହିଛି । ସେ ତା’ପରି ଶାନ୍ତ ଶିଷ୍ଟ ନ ହେଲେ ମଧ୍ୟ ତା’ର ଆପଣାର ହୋଇ ସବୁ କାମ ତୁଲାଇ ନେଉଛି । ସେ କାମ ତ ମାଇପିଙ୍କର କାମ । ସେହି ସ୍ନିଗ୍‌ଧ ହାତର ସ୍ପର୍ଶ ନ ବାଜିଲେ ପୁରୁଷର ଦୈନନ୍ଦିନ ଜୀବନର ପ୍ରୟୋଜନରେ ଆଦୌ ରସ ନ ଥାଏ, ସବୁ ଖାଲି ଶ୍ରୀହୀନ ହୋଇପଡ଼େ । ସେଇଥିଲାଗି ଯେତେବେଲେ ଉର୍ମି ଆପଣାର ସୁନ୍ଦର ହାତରେ ଛୁରୀଟିଏ ନେଇ ଆପେଲ୍ ଫଳରୁ ଚୋପା ଛଡ଼ାଇ କାଟିକରି ରଖେ, ଧଳା ପଥୁରୀ ଥାଳୀର ଗୋଟିଏ ପାଖକୁ କମଳାଲେମ୍ବୁ ଖୋସାଗୁଡ଼ିକୁ ସଜାଇ ରଖେ, ବେଦାନାର ଦାନାଗୁଡ଼ିକୁ ଯତ୍ନ କରି ରଖେ, ସେତେବେଳେ ଭଉଣୀ ମଧ୍ୟରେ ଯେପରି ଶର୍ମିଳା ଆପଣାକୁହିଁ ଉପଲବ୍‌ଧି କରେ । ସେଇ ବିଛଣାଉପରୁ ସେ ନାନା କାମର ଫରମାସ ଦେଉଥାଏ,-

 

ଉର୍ମି, ତାଙ୍କର ସିଗାରେଟ୍ ଡିବାଟା ଭର୍ତ୍ତି କରିଦିଅନ୍ତୁ ;

 

ଦେଖୁନୁ, ମଇଳା ରୁମାଲଟା ବଦଳାଇବାକୁ କେମିତି ତାଙ୍କର ମନେ ନାହିଁ ;

 

ଦେଖ, ଜୋତାଟାରେ ସିମେଣ୍ଟ ଆଉ ବାଲି ଲାଗି ବୋଳ ବସିଗଲାଣି, ସଫା କରିଦେବାକୁ ସେ ଟିକିଏ ଚାକରକୁ କହନ୍ତେ ନାହିଁ !

 

ତକିଆ ଖୋଳଗୁଡ଼ାକ ଆଜି ପାଲଟାଇ ଦିଅନ୍ତୁ ଭଉଣୀ;

 

ସେ ଚିରା କାଗଜପୁଡ଼ାକ ଝୁଡ଼ି ଭିତରକୁ ଫୋପାଡ଼ି ଦେ;

 

ଟିକିଏ ଅଫିସ ଘରକୁ ଯାଇ ଦେଖିଆସିଲୁ, ମୁଁ ଠିକ୍ ଅନୁମାନ କରିପାରୁଚି, ଟଙ୍କାବାକ୍‌ସର ଚାବିଟା ଡେସ୍କ ଉପରେ ପକାଇଦେଇ ସେ ଚାଲି ଯାଇଚନ୍ତି;

 

ମନେ ଅଛିଟି, ଫୁଲକୋବି ତଳିଗୁଡ଼ାକୁ ଓପାଡ଼ି ଲଗାଇବାର ବେଳ ହୋଇଗଲାଣି,

 

ମାଳୀକୁ କହି ଗୋଲାପ ଗଛରୁ ଡାଳଗୁଡ଼ା ଭଲକରି କାଟିଦେବ;

 

ଏଇ ଦେଖିଲୁ କୋଟ ପଛଆଡ଼େ କେମିତି ଚୂନ ଲାଗିଚି;–ଏଡ଼େ ତରତର କାହିଁକି, ରହୁନା ଟିକିଏ;–ଉର୍ମି, ଟିକିଏ ବୁରୁଶ୍‌ ମାରି ଦିଅନ୍ତୁ ।

 

ଉର୍ମି ବହିପଢ଼ିବା ଝୁଅ, କାମ କରିବାର ଝୁଅ ନ ହେଲେ ମଧ୍ୟ ଏସବୁ ତାକୁ ବେଶ୍ ମଜା ଲାଗୁଛି । ଯେଉଁସବୁ କଡ଼ା ନିୟମ ଭିତରେ ସେ ଆଗରୁ ଚଳୁଥିଲା, ସେଥିରୁ ବାହାରି ଆସିବା ପରେ ଏସବୁ କାମ ତାକୁ ଅନିୟମ ପରି ଲାଗୁଛି । ଏଠି ସଂସାରର କର୍ମଧାରା ମଧ୍ୟରେ ରହିଥିବା ଉଦ୍‌ବେଗ ଓ ସାଧନା ଲେଶ ମାତ୍ର ତା' ମନରେ ନାହିଁ; କେବଳ ତା'ର ଭଉଣୀ ମଧ୍ୟରେ ସେହି ଚିନ୍ତାର ସୂତ୍ରଟି ରହିଛି । ତେଣୁ ଏଇ କାମଗୁଡ଼ିକ ତାକୁ ଖେଳପରି ଲାଗୁଛି । ସତେ ଅବା ସେ ବେଶ୍ ଛୁଟି ପାଇଚି, ଗୋଟାଏ ପ୍ରକାର ଉଦ୍ଦେଶ୍ୟ-ବିବର୍ଜିତ ଉଦ୍‌ଯୋଗରେ ସମୟ କଟାଇ ଦେଉଚି । ଆଗରୁ ସେ ଯେଉଁଠି ଥିଲା, ଏ ଯେପରି ତା’ଠାରୁ ଏକ ସ୍ୱତନ୍ତ୍ର ଜଗତ, ଏଠି କୌଣସି ଲକ୍ଷ୍ୟ ତା’ର ସମ୍ମୁଖରେ ତର୍ଜନୀ ଉତ୍ତୋଳନ କରିନାହିଁ, ଅଥଚ ଦିନସାରା ଖାଲି କାମରେ ପୂରି ରହିଛି । ଉର୍ମିକୁ ବେଶ୍ ବିଚିତ୍ର ଲାଗୁଥାଏ । ଭୁଲ୍‌ ତ୍ରୁଟି ହେଲେ ଏଠି ଜବାବଦେହୀ ଦେବାକୁ ହୁଏ ନାହିଁ । ବଡ଼ଭଉଣୀ ଟିକିଏ ତିରସ୍କାର କରିବାକୁ ଯାଉ ଯାଉ ଶଶାଙ୍କ ତାକୁ ହସରେ ଉଡ଼ାଇଦିଏ; ସତେ ଅବା ଉର୍ମିର ଭୁଲ ଭିତରେ ମଧ୍ୟ ଗୋଟାଏ ରସ ନିହିତ ରହିଚି ! ଆଜିକାଲି ଘରକରଣାରେ ଆଗର ସେ ଗାମ୍ଭୀର୍ଯ୍ୟ ଆଉ ନାହିଁ, ଭୁଲଭାଲକୁ ବେପରୁଆ ହୋଇ ଚଳିବାର ଗୋଟାଏ ଅବସ୍ଥା ସୃଷ୍ଟି ହୋଇଛି । ଏଥିରେ ଶଶାଙ୍କ ଖୁବ୍ ଆରାମ ଓ କୌତୁକ ଅନୁଭବ କରୁଛି । ତାକୁ ଲାଗୁଚି, ଯେପରି ଘରେ ଗୋଟାଏ ପିକନିକ୍ (ବଣଭୋଜୀ) ଚାଲିଚି । ଏଣେ ଉର୍ମି କୌଣସିଥିରେ ଚିନ୍ତିତ, ଦୁଃଖିତ ବା ଲଜ୍ଜିତ ନୁହେଁ, ସମସ୍ତ ଯେପରି ତା’ରି ଦ୍ୱାରା ଉଚ୍ଛସିତ ହୋଇ ରହିଛି ଏବଂ ଏହା ଶଶାଙ୍କର ମନକୁ ଆବୋରି ବସିଥିବା ଗୁରୁଭାର କର୍ମର ପୀଡ଼ନକୁ କ୍ରମେ ଲଘୁ କରି ଦେଉଛି । କାମ ସରୁ ନ ସରୁଣୁ ଘରକୁ ଫେରିଆସିବା ଲାଗି ଆଜିକାଲି ତା’ର ମନ ଉଚ୍ଛନ୍ନ ହୋଇ ଉଠୁଛି ।

 

ଉର୍ମି କାମରେ ବଡ଼ ଅପାରଗ, ଏକଥା ସ୍ୱୀକାର କରିବାକୁହିଁ ହେବ । କିନ୍ତୁ ଗୋଟାଏ ଜିନିଷ ଲକ୍ଷ୍ୟ କରିବାର କଥା ଯେ, କାମ ଦ୍ୱାରା ନ ହେଲେ ମଧ୍ୟ ଆପଣା ଦ୍ୱାରା ସେ ଏହି ଘରର ଏକ ମସ୍ତ ଅଭାବ ପୂରଣ କରିପାରିଛି । କୌଣସି ନିର୍ଦ୍ଦିଷ୍ଟ ଭାଷାରେ ସେ ଅଭାବଟାର ସଂଜ୍ଞା କରିବା ଅସମ୍ଭବ । ସେଥିପାଇଁ ଆଜିକାଲି ଘରକୁ ଆସିଲେ ଶଶାଙ୍କ ସତେ ଅବା ଛୁଟୀର ହିଲ୍ଲୋଳ ଅନୁଭବ କରେ । କିନ୍ତୁ ଘରେ ପାଉଥିବା ସେବା ବା କେବଳ ଅବସର ଏହି ଅନୁଭୂତିର କାରଣ ହୋଇ ନ ପାରେ । ଏହାର ଏକ ସ୍ଵତନ୍ତ୍ର ରସମୟ ରୂପ ରହିଛି । ବସ୍ତୁତଃ ଉର୍ମିର ଆପଣା ଛୁଟିର ଆନନ୍ଦ ଏହି ଘରର ସମସ୍ତ ଶୂନ୍ୟକୁ ପୂର୍ଣ୍ଣ କରିଦେଇଛି, ଦିନରାତିକୁ ଚଞ୍ଚଳ କରି ରଖିଛି । ସେହି ନିରନ୍ତର ଚାଞ୍ଚଲ୍ୟ କର୍ମକ୍ଳାନ୍ତ ଶଶାଙ୍କର ରକ୍ତକୁ ଦୋଳାୟିତ କରିପାରିଛି । ଅନ୍ୟ ଦିଗରୁ ଦେଖିଲେ, ଉର୍ମି ଥିବାରୁ ଶଶାଙ୍କ ଆନନ୍ଦ ପାଉଛି ବୋଲି ପ୍ରତ୍ୟକ୍ଷ ଉପଲବ୍‌ଧି କରି ଉର୍ମି ମଧ୍ୟ ଆନନ୍ଦ ଅନୁଭବ କରେ । ଆଜିଯାଏ ଯେପରି ସେ ଏ ସୁଖରୁ ବଞ୍ଚିତ ହୋଇ ରହିଥିଲା । ଆପଣା ଅସ୍ତିତ୍ୱଦ୍ୱାରା ଯେ ସେ ଜଗତରେ କାହାକୁ ଖୁସୀ କରିପାରେ, ଏହି ତଥ୍ୟଟି ଅନେକ ଦିନରୁ ତା’ଠାରେ ଆଚ୍ଛନ୍ନ ହୋଇ ରହିଥିଲା, ଏଥିରେ ତା’ର ଯଥାର୍ଥ ଗୌରବହାନି ହୋଇଥିଲା ।

 

ଶଶାଙ୍କର ଖିଆପିଆ ଠିକ୍ ମତେ ହେଉଛି କି ନାହିଁ, ଠିକ୍ ସମୟରେ ଠିକ୍‌ ଜିନିଷ ତା'ପାଖକୁ ଯୋଗାଇ ଦିଆହେଉଛି କି ନାହିଁ, ସେକଥାଟା ଏ ପରିବାରର ପ୍ରଭୁ ପାଖରେ ଅତି ଗୌଣ ହୋଇପଡ଼ିଛି, ସେ ଖାଲିଟାରେ ଅକାରଣରେ ବେଶ୍ ପ୍ରସନ୍ନ ଅଛି । ସେ ଶର୍ମିଳାକୁ ବେଳେବେଳେ ବୁଝାଇ କହେ, “ଟିକିନିଖି ବିଷୟ ନେଇ ତୁମର ଏପରି ବ୍ୟସ୍ତ ହେବା କି ଦରକାର-? ଅଭ୍ୟାସରେ ଟିକିଏ ଏପାଖ ସେପାଖ ହୋଇଗଲେ ବରଂ ବେଶ୍‌ ଭଲ ଲାଗେ; ମୋଟେ ଅସୁବିଧା ହୁଏ ନାହିଁ ।”

 

ଶଶାଙ୍କର ମନଟା ବର୍ଭମାନ ଜୁଆରଭଟ୍ଟାର ମଝି ଅବସ୍ଥାରେ ପଡ଼ିଛି । ତେଣୁ ତା’ର ବେଗଟା ଟିକିଏ ଧୀର ହୋଇ ଯାଇଛି । କୋଉଠି ଟିକିଏ ଡେରି ହୋଇଗଲେ ବା ବାଧା ପହଞ୍ଚିଲେ ଯେ କିଛି ମୁସ୍କିଲ ବା ଲୋକସାନ ହୋଇଯିବ, ଏପରି ଉଦ୍‌ବେଗଜନକ କଥା ତା’ ମୁହଁରୁ ଆଜିକାଲି ବେଶୀ ଶୁଣିବାକୁ ମିଳୁ ନାହିଁ । ସେପରି କୌଣସି ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଉର୍ମି ତା’ର ଗାମ୍ଭୀର୍ଯ୍ୟ ଭାଙ୍ଗିଦିଏ, ଫେଁ କରି ହସିଉଠେ । ଶଶାଙ୍କର ମୁହଁକୁ ଦେଖି କହେ, “ଆଜି ତୁମକୁ ଡରାଇବାକୁ ତୁମ ଭୂତ ଆସିଥିଲା କି, ସେଇ ସବୁଜ ପଗଡ଼ି ପିନ୍ଧିଥିବା କୋଉ ଦେଶର ଦଲାଲଟା । ଡରାଇଦେଇ ଯାଇଛି ବୋଧହୁଏ !”

 

ବିସ୍ମିତ ହୋଇ ଶଶାଙ୍କ ପଚାରେ, “ତୁମେ ତାକୁ କିପରି ଚିହ୍ନିଲ ? ମୁଁ ତାକୁ ଭଲ କରି ଚିହ୍ନେ, ତୁମେ ସେଦିନ କୁଆଡ଼େ ଯାଇଥିଲ, ସେ ଏକୁଟିଆ ବାରଣ୍ଡାରେ ବସିଥିଲା । ନାନା କଥା କହି ମୁଁ ତାକୁ ଭୁଲାଇ ରଖିଥିଲି ସେଦିନ । ତା’ଘର ବିକାନୀର ରାଜ୍ୟରେ, ମଶାରୀରେ ନିଆଁଲାଗି ତା’ର ସ୍ତ୍ରୀ ମରିଚି, ବର୍ତ୍ତମାନ ସେ ଆଉ ଗୋଟିଏ ବାହାହେବାର ସନ୍ଧାନରେ ଅଛି ।

 

‘‘ତେବେ ମୁଁ ବାହାରକୁ ଚାଲିଗଲେ ଏଥରକ ସେ ରୋଜ ଆସିବ । ଗୋଟାଏ ସ୍ତ୍ରୀ ଖୋଜି ନ ପାଇବା ଯାଏ ତା’ର ସ୍ଵପ୍ନଟା ଏଠି ବେଶ୍ ଜମିବ ।”

 

‘‘ତାଠାରୁ କି କାମ ହାସଲ କରିବାକୁ ହେବ, ମତେ କହିଯାଉ ନା । ତା’ର ହାବଭାବ ଦେଖି ମୋର ମନେ ହେଉଛି ଯେ ମୁଁ ନିଶ୍ଚୟ ତା’ଠାରୁ କାମ ଆଦାୟ କରି ପାରିବି ।”

 

ଆଜିକାଲି ଶଶାଙ୍କର ମୁନାଫା ଖାତାରେ ଅନେଶ୍ୱତ ସେ ପାଖରେ ଥିବା ଚଳନ୍ତି ମୋଟା ଅଙ୍କଗୁଡ଼ାକ ମଝିରେ ମଝିରେ ଟିକିଏ ଅଟକିଗଲେ ସେଥିରେ ବ୍ୟସ୍ତ ହୋଇ ଉଠିବାର ଚାଞ୍ଚଲ୍ୟ ଆଉ ଶଶାଙ୍କଠାରେ ଦେଖାଯାଏ ନାହିଁ । ସନ୍ଧ୍ୟାବେଳେ ରେଡ଼ିଓ ପାଖର କାନ ପାରି ବସି ରହିବାରେ ତାର ଉତ୍ସାହ ଆଜିଯାଏ ଅନଭିବ୍ୟକ୍ତ ହୋଇ ରହିଥିଲା । ଆଜିକାଲି ଯେତେବେଳେ ଉର୍ମି ତାକୁ ବାଧ୍ୟକରି ଟାଣିନିଏ, ସେତେବେଳେ ବ୍ୟାପାରଟାକୁ ତୁଚ୍ଛ ଓ ସମୟଟାକୁ ବ୍ୟର୍ଥ ବୋଲି ତାର ଆଉ ମନେ ହୁଏ ନାହିଁ । ଉଡ଼ାଜାହାଜ ଉଡ଼ିବା ଦେଖିବାଲାଗି ଦିନେ ସକାଳେ ଦମ୍‌ଦମ୍‌ ଯାଏ ଯିବାକୁ ହେଲା, ବୈଜ୍ଞାନିକ କୌତୁହଳ ଏହାର ପ୍ରଧାନ ଆକର୍ଷଣ ନୁହେଁ । ନିଉମାର୍କେଟରେ ସଉଦା କରିବାକୁ ଏବେ ସେ ନୂଆ ହୋଇ ଯାଉଛି । ଆଗରୁ କେବଳ ଶର୍ମିଳା ମାଛ, ମାଂସ, ଫଳ, ପନିପରିବା କିଣିବାକୁ ମଝିରେ ମଝିରେ ସେଠାକୁ ଯାଉଥିଲା । ଏ କାମଟାକୁ ସେ ତା’ର ନିଜ ବିଭାଗର କାମ ବୋଲି ଧରି ନେଇଥିଲା । ଏଥିରେ ଯେ ଶଶାଙ୍କ ଆସି ସହଯୋଗିତା କରିବ, ଏପରି କଥା ସେ କେବେହେଲେ ଭାବି ନାହିଁ, ଇଚ୍ଛା ମଧ୍ୟ କରି ନାହିଁ । କିନ୍ତୁ ଉର୍ମି ସଉଦା କିଣିବାକୁ ଯାଏ ନାହିଁ, କେବଳ ଜିନିଷପତ୍ର ଓଲଟାଇ ପାଲଟାଇ ଘଣ୍ଟା ଚକଟା କରି ବୁଲେ, ଖାଲି ଦରଦାମ୍ କରୁଥାଏ । ଶଶାଙ୍କ କିଛି କିଣିଦେବାକୁ ଇଚ୍ଛା କଲେ ତା’ର ଟଙ୍କା ବ୍ୟାଗ୍‌ଟାକୁ ନେଇ ଉର୍ମି ଆପଣା ବ୍ୟାଗ୍ ଭିତରେ ହାଜତରେ ରଖିଦିଏ ।

 

ଶଶାଙ୍କର କାମର ମୂଲ୍ୟ ଉର୍ମି ଆଦୌ ବୁଝିବାକୁ ଚାହେ ନାହିଁ । ବେଳେବେଳେ ଅତିରିକ୍ତ ବାଧାଦେଇ ସେ ଶଶାଙ୍କଠାରୁ ଗାଳି ମଧ୍ୟ ଖାଇଲାଣି । ଏହି ଗାଳି ଦେବାର ପରିମାଣ ଏପରି ଶୋକାବହ ହୋଇପଡ଼ିଥିଲା ଯେ ତା’ର ଶୋଚନୀୟତା ଅପସାରଣ କରିବାରେ ଶଶାଙ୍କର ଦୁଇଗୁଣ ସମୟ ନଷ୍ଟ ହୋଇଛି । ଏକ ଦିଗରେ ଉର୍ମିର ଚକ୍ଷୁରେ ବାଷ୍ପସଞ୍ଚାର । ଅପର ଦିଗରେ କାର୍ଯ୍ୟର ଭିଡ଼ । ଏହିପରି ଏକ ସଙ୍କଟରେ ପଡ଼ି ଅଗତ୍ୟା ସେ ବାହାରେ ବାହାରେ ଅଫିସରେ ସବୁ କାମ ସାରିଦେଇ ଆସିବାକୁ ଚେଷ୍ଟାକରେ, ଯେପରି ଘରର କୌଣସି କାମ ବାକୀ ରଖି ନ ରହେ । କିନ୍ତୁ ବେଳ ଗଡ଼ିଗଲା ମାତ୍ରକେ ଅଫିସରେ କାମ କରିବା ତା’ ପକ୍ଷରେ ଦୁଃସହ ହୋଇଉଠେ । କୌଣସି କାରଣବଶତଃ ଦିନେ ଦିନେ ଡେରି ହୋଇଗଲେ ମୌନର ଅନ୍ତରାଳରେ ଉର୍ମିର ଅଭିମାନ ସ୍ପଷ୍ଟ ଧରାପଡ଼ିଯାଏ । ରୁଦ୍ଧ ଅଶ୍ରୁ ସହିତ ଏହି କୁହେଳିକାଚ୍ଛନ୍ନ ଅଭିମାନ ଦେଖିବାକୁ ଶଶାଙ୍କକୁ ବେଶ୍ ଭଲଲାଗେ । ଭଲ ମଣିଷଙ୍କ ପରି ସେ କହେ, “କଥା ନ କହିବାର ସତ୍ୟାଗ୍ରହ ପଛେ ବଜାୟ ରଖିପାରୁ, କିନ୍ତୁ ମୋ ସାଙ୍ଗରେ ଖେଳିବୁ ନାହିଁ ବୋଲି ତ ଆଗରୁ କୌଣସି ଶପଥ କରି ନ ଥିଲୁ ।’’ ତାପରେ ଟେନିସ୍ ବ୍ୟାଟ୍‌ଟା ଧରି ସେ ବାହାରିପଡ଼େ । ଖେଳରେ ପ୍ରାୟ ଜିତିବାର ପାଖାପାଖି ଆସି ଶଶାଙ୍କ ଜାଣିଶୁଣି ହାରିଯାଏ । ଏତେଗୁଡ଼ାଏ ସମୟ ନଷ୍ଟ ହୋଇଗଲା ବୋଲି ପୁଣି ଆରଦିନ ସକାଳେ ସେ ଅନୁତାପ କରି ବସେ ।

 

ସେଦିନ ଛୁଟି ଥାଏ । ଉପରବେଳା ଶଶାଙ୍କ ଅଫିସର ଡେସ୍କରେ ବସି କୌଣସି ଗୋଟାଏ ଦୁଃସାଧ୍ୟ କାର୍ଯ୍ୟ ସାଧନରେ ଲାଗି ପଡ଼ିଛି । ଡାହାଣ ହାତରେ ନାଲି ନେଳି ପେନ୍‌ସିଲ, ବାଆଁହାତର ଆଙ୍ଗୁଠିଗୁଡ଼ାକ ଅକାରଣ ମୁଣ୍ଡର ବାଳରେ ସିଆରା କାଟିବାରେ ପ୍ରଯୁକ୍ତ । ହଠାତ୍ ଉର୍ମି ଯାଇ ସେଠି ହାଜର । କହିଲା ‘‘ତୁମର ସେ ଦଲାଲଟିକୁ କହି ଠିକ୍ କରି ରଖିଛି ଆଜି ପରେଶନାଥ ମନ୍ଦିର ଦେଖିବାକୁ ଯିବି । ତୁମେ ଆମ ସାଙ୍ଗରେ ଚାଲ ନା । ବାବୁଟିପରା !’’

 

ଶଶାଙ୍କ ମିନତି କରି କୁହେ, “ନା, ଆଜି ଥାଉ; କାମ ଛାଡ଼ି କୌଣସିମତେ ଉଠି ପାରିବି ନାହିଁ ।’’

 

କାମର ଗୁରୁତ୍ଵ କଥା ଶୁଣି ମଧ୍ୟ ଉର୍ମି ମୋଟେ ଶଙ୍କିଯାଏ ନାହିଁ । କହେ, ‘‘ଅବଳା ରମଣୀକୁ ଅରକ୍ଷିତ ଅବସ୍ଥାରେ ସବୁକ ପଗଡ଼ିଧାରୀ ହାତରେ ସମର୍ପଣ କରିଦେବାକୁ ତୁମର ଏତେ ଟିକିଏ ଭୟ ନାହିଁ, ୟାକୁଇ କହନ୍ତି ବାହାଦୁରୀ ?’’

 

ଶେଷରେ କାମ ଛାଡ଼ି ମଟର ନେଇ ଶଶାଙ୍କକୁ ଯିବାକୁ ହୁଏ । ଏପରି ଉତ୍ପାତମାନ ହେଉଛି ବୋଲି ଖବର ପାଇଲେ ଶର୍ମିଳା ଭାରି ବିରକ୍ତ ହୁଏ । ପୁରୁଷର ସାଧନାକ୍ଷେତ୍ରରେ ନାରୀର ଅନଧିକାର ପ୍ରବେଶକୁ ସେ ଆଦୌ ମାର୍ଜନା କରିପାରେ ନାହିଁ । ଶର୍ମିଳା ଆଖିରେ ଉର୍ମି ଚିରଦିନ ପିଲାଟିଏ । ଆଜିଯାଏ ମଧ୍ୟ ତାର ସେ ଧାରଣା ଯାଇ ନାହିଁ । ତା’ ହେଲେ ମଧ୍ୟ, ଅଫିସ ଘର ତ ଆଉ ପିଲାଖେଳର ଜାଗା ନୁହେଁ । ଉର୍ମିକୁ ଡାକି ସେ ବେଶ୍ ତିରସ୍କାର କରି ଦି’ପଦ ଶୁଣାଇଦିଏ । ହୁଏତ ଏହି ତିରସ୍କାରର ନିଶ୍ଚିତ ଫଳ ଫଳି ପାରୁଥାନ୍ତା, କିନ୍ତୁ ସ୍ତ୍ରୀର କ୍ରୂଦ୍ଧ କଣ୍ଠସ୍ୱର ଶୁଣି ଶଶାଙ୍କ ନିଜେ ଆସି କବାଟ ପାଖରେ ପହଞ୍ଚିଯାଏ ଓ ଉର୍ମିକୁ ଆଶ୍ୱାସ ଦେବାର ନାନା ଇଙ୍ଗିତ କରେ । ବେଳେ ବେଳେ ତାସ ଦେଖାଇ ଇସାରା ଦିଏ, କହିବାକୁ ଚାହେଁ, “ଆ, ଅଫିସରେ ତୋତେ ମୁଁ ପୋକର ଖେଳ ଶିଖାଇଦେବି ।’’ ହୁଏତ ସେତେବେଳେ ଆଦୌ ଖେଳିବାର ସମୟ ନୁହେଁ, ଶଶାଙ୍କର ମଧ୍ୟ ଖେଳିବାଲାଗି ଆଦୌ ଇଚ୍ଛା ନାହିଁ । କିନ୍ତୁ ଭଉଣୀଠାରୁ ଭର୍ତ୍ସନା ଶୁଣି ଯେ ଉର୍ମି ଆଘାତ ପାଉଥିବ, ଏ କଥାଟା ଉର୍ମିଠାରୁ ତାକୁ ଅଧିକ ବାଧେ । ହୁଏତ ସେ ନିଜେ ଅନୁନୟ ବା ଈଷତ୍‌ ତିରସ୍କାର ଦ୍ୱାରା ଉର୍ମିକୁ ତା’ର କାର୍ଯ୍ୟକ୍ଷେତ୍ରରେ ଯାଇ ବାଧାଦେବାରୁ ନିବର୍ତ୍ତାଇ ପାରନ୍ତା, କିନ୍ତୁ ଏଥିଲାଗି ଶର୍ମିଳା ଯେ ଉର୍ମିକୁ ଶାସନ କରିବ, ଏ କଥା ସେ ସହଜରେ ସହ୍ୟ କରିପାରେ ନାହିଁ-

 

ଶଶାଙ୍କକୁ ପାଖକୁ ଡାକି ଶର୍ମିଳା କହେ, “ତୁମେ ତା’ର ମୁହଁ ବଢ଼ାଇଲେ ପୁଣି ଚଳିବ କିପରି ? ସମୟ ଅସମୟର କିଛି ବାରଣ ତା’ ଠାରେ ନାହିଁ । ଏହାଦ୍ୱାରା କାମରେ କେତେ ଲୋକସାନ ହେଉ ନ ଥିବ ?’’

 

ଶଶାଙ୍କ ଉତ୍ତର ଦିଏ, ‘‘ଥାଉ, ପିଲାଟା । ଏଠି ତା’ର ସାଙ୍ଗସାଥୀ କେହି ନାହାନ୍ତି, ଟିକିଏ ଖେଳବୁଲ ନ କଲେ ହେବ କିପରି ?’’

 

ଏ’ତ ହେଲା ପିଲାଳିଆମି । ଘରର ପ୍ଲାନ ତିଆରିକରି ଶଶାଙ୍କ ବସିଥିବା ବେଳେ ଉର୍ମି ତା’ ପାଖକୁ ଚୌକିଟାଏ ଟାଣିଆଣି ବସେ ଆଉ କହେ ‘ବୁଝାଇ ଦିଅ ।’ ଖୁବ୍‌ ସହଜରେ ସେ ସବୁ ବୁଝିଯାଏ, ଗାଣିତିକ ନିୟମଗୁଡ଼ାକ ବୁଝିବାକୁ ତା’ର ମୋଟେ କଷ୍ଟ ହୁଏ ନାହିଁ । ଶଶାଙ୍କ ଖୁସୀ ହୋଇ ତାକୁ ଆହୁରି କଷ୍ଟ ଅଙ୍କମାନ ଦିଏ, ସେ କଷି ନେଇ ଆସେ । ଝୋଟ କମ୍ପାନୀର ଷ୍ଟିମ୍ ଲଞ୍ଚରେ ଶଶାଙ୍କ କାମ ତଦନ୍ତ କରିବାକୁ ବାହାରିଲେ ଉର୍ମି ମଧ୍ୟ ଯିବ ବୋଲି ଜିଦ୍ ଧରିବସେ । ଖାଲି ଯେ ଯାଏ ତାହା ନୁହେଁ, ମାପଚୁପର ହିସାବ ନେଇ ସେ ବରାବର ତର୍କକରେ, ଶଶାଙ୍କ ପୁଲକିତ ହୋଇଉଠେ । ପରିପୂର୍ଣ୍ଣ କବିତ୍ୱଠାରୁ ଯେପରି ଏହାର ରସ ଆହୁରି ବେଶୀ । ତେଣୁ ଅଫିସ କାମ ଘରକୁ ନେଇ ଆସିଲେ ଏଣିକି ଆଉ ଶଶାଙ୍କର କୌଣସି ଭୟ ନ ଥାଏ । ଲାଇନ୍ ଟାଣିବା ଓ ଅଙ୍କ କଷିବାର କାମରେ ସେ ବେଶ୍ ସଙ୍ଗୀ ଜଣେ ପାଇଛି । ଉର୍ମିକୁ ପାଖରେ ବସାଇ ବୁଝାଉ ବୁଝାଉ ତା’ର କାମ ଚାଲେ । ଅବଶ୍ୟ କାମର ବେଗ ଏହାଦ୍ୱାରା କମ୍ ହୋଇଯାଏ, କିନ୍ତୁ ତଥାପି ସମୟର ଦୀର୍ଘତା ସାର୍ଥକ ହେଲାପରି ଲାଗେ ।

 

ଠିକ୍ ଏହି କ୍ଷେତ୍ରରେହିଁ ବାରବାର ଶର୍ମିଳାର ଧକ୍‌କା ଆସି ବାଜେ । ସେ ଉର୍ମିର ପିଲାଳିଆ ପ୍ରକୃତି ବେଶ୍ ବୁଝିପାରେ, ତା’ର ଗୃହିଣୀଗିରିର ତ୍ରୁଟିମାନ ମଧ୍ୟ ସେ ସସ୍ନେହ ସହ୍ୟ କରେ । କିନ୍ତୁ ବ୍ୟବସାୟ କ୍ଷେତ୍ରରେ ସ୍ଵାମୀଠାରୁ ସ୍ତ୍ରୀ–ବୁଦ୍ଧିର ଦୂରତ୍ୱକୁ ସେ ଅନିବାର୍ଯ୍ୟ ବୋଲି ଆଗରୁ ଧରି ନେଇଥିବାରୁ ଉର୍ମିର ଏ ଅବାଧ ଗତିବିଧି ତାକୁ ମୋଟେ ଭଲ ଲାଗେ ନାହିଁ । ସେଇଟା ତାକୁ ଅତି ବେଶୀ ସ୍ପର୍ଦ୍ଧା ବୋଲି ମନେ ହୁଏ । ଆପଣା ସୀମା ମାନି ଚଳିବାକୁ ଗୀତାରେ ସ୍ଵଧର୍ମ ବୋଲି କୁହାଯାଇଛି ।

 

ମନେ ମନେ ଅତି ଅଧୀର ହୋଇ ଦିନେ ସେ ପଚାରିଲା, “ଆଚ୍ଛା ଉର୍ମି, ସତରେ କଣ ତତେ ସେସବୁ ଗାରଟଣା ଅଙ୍କକଷା ଏଡ଼େ ଭଲ ଲାଗେ ?”

 

“ଭାରି ଭଲ ଲାଗେ ଅପା !”

 

ଅବିଶ୍ୱାସ କଲାପରି ଶର୍ମିଳା କହିଲା, “ହୁଁ, ଭଲ ଲାଗେ ! ତାଙ୍କୁ ଖୁସୀ କରିବୁ ବୋଲି ତୁ ସେମିତି ଭଲ ଲାଗିଲା ପରି ଦେଖେଇ ହେଉ !”

 

ହେଲା ଏବେ ସେଇଆ । ଖୁଆଇବା, ପିନ୍ଧାଇବା, ସେବାଯତ୍ନ ଦ୍ୱାରା ଶଶାଙ୍କକୁ ଖୁସୀ କରାଇବା ଶର୍ମିଳାର ମନଃପୁତ ହୋଇ ରହିଛି । କିନ୍ତୁ ଏ ଧରଣର ଖୁସିଟା ତା’ର ଆପଣା ଖୁସୀ ସହିତ ଆଦୌ ଖାପ ଖାଏ ନାହିଁ ।

 

ଶଶାଙ୍କକୁ ସେ ବାରବାର ଚେତେଇ ଦେଇ କହେ, “ତା’ ସହିତ ଏତେଗୁଡ଼ାଏ ସମୟ କାହିଁକି ନଷ୍ଟ କରୁଛ ? ଏଥିରେ ତୁମ ନିଜ କାମରେ କ୍ଷତି ହେଉଛି ସିନା ! ସେ ପିଲାଟାଏ; ସେ କଣ ଏତେ କଥା ବୁଝିବ ?”

 

ଶଶାଙ୍କ ଉତ୍ତର ଦିଏ, “ମୋ ଠାରୁ ବୁଝିବାରେ ସେ ମୋଟେ କମ୍‌ ନୁହେଁ ।’’ ଶଶାଙ୍କ ଭାବେ ଏପରି କହି ସେ ଶର୍ମିଳାକୁ ଖୁସୀ କରାଇ ପାରୁଚି । ନିର୍ବୋଧ !

 

ଆପଣା କାର୍ଯ୍ୟକୁ ଗୁରୁ କରି ଯେତେବେଳେ ଶଶାଙ୍କ ଆପଣା ସ୍ତ୍ରୀ ପ୍ରତି ମନୋଯୋଗକୁ ଉଣା କରି ଦେଇଥିଲା, ସେତେବେଳେ ସେଇଟାକୁ ଅଗତ୍ୟା ମାନିନେବା ସଙ୍ଗେ ସଙ୍ଗେ ଶର୍ମିଳା ସେଥିରେ ଗର୍ବ ମଧ୍ୟ ଅନୁଭବ କରୁଥିଲା । ତେଣୁ ଆଜିକାଲି ନିଜର ସେବାପରାୟଣ ହୃଦୟର ଦାବୀକୁ ସେ ଅନେକ ପରିମାଣରେ କମାଇ ଦେଇଛି । ସେ କହେ, ପୁରୁଷର ଜାତି ରାଜଜାତି, ଦୁଃସାଧ୍ୟ କାର୍ଯ୍ୟର ଅଧିକାରକୁ ନିୟତ ପ୍ରଶସ୍ତ କରିବା ତା’ର କର୍ତ୍ତବ୍ୟ । ନହେଲେ ସେ ସ୍ତ୍ରୀଠାରୁ ମଧ୍ୟ ଛୋଟ ହୋଇଯିବ ! କାରଣ ଆପଣାର ସ୍ଵାଭାବିକ ମାଧୁର୍ଯ୍ୟ ଓ ଭଲପାଇବାର କନ୍ମଗତ ଐଶ୍ୱର୍ଯ୍ୟ ଦ୍ୱାରା ସ୍ତ୍ରୀ ଜାତି ଜଗତରେ ନିଜର ଆସନକୁ ସହଜରେ ସାର୍ଥକ କରି ରଖିପାରେ । କିନ୍ତୁ ପ୍ରତ୍ୟହ ସଂଗ୍ରାମ କରି କେବଳ ପୁରୁଷ ନିଜକୁ ସାର୍ଥକ କରିପାରେ । ଆଗକାଳେ ପ୍ରୟୋଜନ ନ ଥିଲେ ମଧ୍ୟ ରାଜାମାନେ ରାଜ୍ୟଜୟ କରିବାକୁ ଯାଉଥିଲେ । ଏହାର କାରଣ ରାଜ୍ୟଲୋଭ ନୁହେଁ, ନୂତନ କରି ପୌରୁଷର ଗୌରବ ପ୍ରମାଣିତ କରିବାହିଁ ତାର ଉଦ୍ଦେଶ୍ୟ । ଏହି ଗୌରବଲାଭର ସଂଗ୍ରାମରେ ନାରୀ–ଯେପରି କୌଣସି ବାଧା ନ ଦିଏ ! ଶର୍ମିଳା ଶଶାଙ୍କକୁ କୌଣସି ବାଧା ଦେଇନାହିଁ, ଜାଣିଶୁଣି ସ୍ଵାମୀକୁ ତା’ର ଲକ୍ଷ୍ୟସାଧନର ସମ୍ପୂର୍ଣ ପଥ ଛାଡ଼ିଦେଇଛି । ହୁଏତ ଦିନେ ଆପଣାର ସେବାଜାଲରେ ସେ ତାକୁ ଜଡ଼ିତ କରି ରଖିଥିଲା, କିନ୍ତୁ ମନରେ ଦୁଃଖ ପାଇଥିଲେ ମଧ୍ୟ କ୍ରମେ ସେ ଜାଲକୁ ଶର୍ମିଳା ଖର୍ବ କରି ଆଣିଛି । ବର୍ତ୍ତମାନ ଅବଶ୍ୟ ସେ ଯଥେଷ୍ଟ ସେବା କରୁଛି, କିନ୍ତୁ ସବୁ କେବଳ ଅଦୃଶ୍ୟ ନେପଥ୍ୟରେ ।

 

ହାୟ, କିନ୍ତୁ ଆଜିକାଲି ଦିନକୁ ଦିନ ସ୍ୱାମୀର ଏ କି ପରାଭବ ପ୍ରକାଶିତ ହୋଇ ପଡୁଛି ? ରୋଗଶଯ୍ୟାରେ ଥାଇ ସବୁ କଥା ସେ ଦେଖି ନ ପାରିଲେ ମଧ୍ୟ ବେଶ୍ ଆଭାସ ପାଏ । ଶଶାଙ୍କର ମୁହଁକୁ ଅନାଇଲେ ବେଶ୍ ବୁଝିପାରେ ଯେପରି ସେ ସଦା ସର୍ବଦା ଗୋଟାଏ କେଉଁଥିରେ ଆବିଷ୍ଟ ହୋଇ ରହିଛି । ଛୁଆ ବକଟେ ଏଇ ଅଳ୍ପ କେଇଦିନ ପାଇଁ ଆସି ଜଣେ କର୍ମକଠିନ ପୁରୁଷକୁ ଏଡ଼େ ବଡ଼ ସାଧନାର ଆସନରୁ ବିଚଳିତ କରିଦେଲା ! ସ୍ୱାମୀର ଏହି ଅଶ୍ରଦ୍ଧେୟତା ରୋଗର ଯନ୍ତ୍ରଣାଠାରୁ ଆଜି ଶର୍ମିଳାକୁ ଅଧିକ ଆଘାତ ଦେଉଛି ।

 

ଶଶାଙ୍କର ଆହାର ବିହାର, ବେଶଭୂଷା ପ୍ରଭୃତି ଚିରାଚରିତ ବ୍ୟବସ୍ଥାରେ ଆଜିକାଲି ଭାରି ଅବହେଳା ଦେଖାଯାଉଛି । ଯେଉଁ ପଥ୍ୟଟା ତାକୁ ସବୁଠାରୁ ଭଲ ଲାଗେ, ହଠାତ୍ ଦେଖିଲାବେଳକୁ ଖାଇବା ଥାଳୀରେ ସେଇ ପଥ୍ୟଟି ନ ଥାଏ । ତା’ର କୈଫିୟତ ଅବଶ୍ୟ ମିଳେ, କିନ୍ତୁ କୌଣସି ପ୍ରକାର କୈଫିୟତ୍‌ ଏହି ସଂସାରଟିରେ ଏ ପର୍ଯ୍ୟନ୍ତ ସହ୍ୟ ହୋଇ ନାହିଁ । ଏସବୁ ଅନବଧାନତା ଅତ୍ୟନ୍ତ ଅମାର୍ଜନୀୟ, କଠୋର ଶାସନର ଯୋଗ୍ୟ ! କିନ୍ତୁ ସେହି ବିଧିବଦ୍ଧ ସଂସାରରେ ଆଜି ଏପରି ଏକ ଯୁଗାନ୍ତର ଘଟିଗଲାଣି ଯେ ଅତି ଗୁରୁତର ତ୍ରୁଟିଗୁଡ଼ାକ ଯେପରି ପ୍ରହସନ ପରି ଉଡ଼ାଇ ଦିଆଯାଉଛି ! କାହାକୁ ସେ ଦୋଷ ଦିଅନ୍ତା ? ଭଉଣୀର ନିର୍ଦ୍ଦେଶ ଅନୁସାରେ ବେତ ମୋଡ଼ା ଉପରେ ବସି ପାକପ୍ରଣାଳୀର ପରିଚାଳନା କାର୍ଯ୍ୟରେ ଉର୍ମି ହୁଏତ ବେଶ୍‌ ନିଯୁକ୍ତ ଅଛି, ରାନ୍ଧୁଣୀ ସ୍ତ୍ରୀଟିର ପୂର୍ବ ଜୀବନର ଆଲୋଚନା ମଧ୍ୟ ଚାଲିଛି, ହଠାତ୍‌ ଶଶାଙ୍କ ଘରକୁ ପଶି ଆସି କହେ, “ଥାଉ ସେ ସବୁ ।”

 

‘‘କାହିଁକି ?”

 

‘‘ମୋର ଏ’ ଓଳିଟା କିଛି କାମ ନାହିଁ । ଚାଲ, ଭିକ୍‌ଟୋରିଆ ମେମୋରିଆଲ କୋଠାଟା ଦେଖି ଆସିବା । ସେଠାକାର ଜାକଜମକ ଦେଖିଲେ କାହିଁକି ହସ ମାଡ଼େ, ସେଇ କଥାଟା ଆଜି ତୋତେ ବୁଝାଇଦେବି ।”

 

ଏଭଳି ଏକ ପ୍ରଲୋଭନ ପାଇ କର୍ତ୍ତବ୍ୟରେ ଫାଙ୍କିଦେବାକୁ ଉର୍ମି ଚଞ୍ଚଳ ହୋଇ ଉଠେ । ଉର୍ମି ଚାଲିଗଲେ ରୋଷେଇଘରେ ଆହାରର ବ୍ୟବସ୍ଥା କଦାପି ମନୋମତ ହୋଇ ପାରିବ ନାହିଁ, ଶର୍ମିଳା ଏକଥା ଭଲକରି ଜାଣେ । କିନ୍ତୁ ସ୍ନିଗ୍‌ଧ ହୃଦୟର ଯତ୍ନଟି ଆଗ ଶଶାଙ୍କର ଆରାମକୁ ଅଳଙ୍କୃତ କରି ବସେ । କିନ୍ତୁ ଆରାମର ପ୍ରଶ୍ନ ଉଠାଇ କି ଲାଭ ? ଆରାମ ଯେତେ ସାମାନ୍ୟ ହେଲେ ମଧ୍ୟ ସ୍ଵାମୀର ଆନନ୍ଦ ଯେ ସେଥିରେ ବେଶ୍ ହେଉଛି, ଏ କଥା ପ୍ରତ୍ୟେକ ଦିନ ଅଧିକ ସ୍ପଷ୍ଟ ହୋଇ ଯାଉଛି ।

 

ଏଇଥିଲାଗି ଶର୍ମିଳା ମନରେ ବଡ଼ ଅଶାନ୍ତି । ରୋଗଶଯ୍ୟାରେ ଏକଡ଼ ସେକଡ଼ ହେଉ ହେଉ ବାର ବାର ସେ ଆପଣାକୁ କହିହୁଏ, “ମରିବା ଆଗରୁ ଗୋଟାଏ କଥା ଜାଣିକରି ଗଲି; ସବୁ କରିପାରିଲି କିନ୍ତୁ ଖୁସି କରିପାରିଲି ନାହିଁ । ଉର୍ମି ଭିତରେ ଆପଣାକୁ ଦେଖିବାକୁ ପାଇବି ବୋଲି ଭାବିଥିଲି । କିନ୍ତୁ ବୃଥା, ସେ ଯେ ଅନ୍ୟ ଜଣେ ନାରୀ !" ଝରକା ବାଟେ ବାହାରକୁ ଅନାଇ ସେ ଭାବେ, “ସେ ତ ମୋ’ ସ୍ଥାନ ମାଡ଼ି ବସିନାହିଁ, ମୁଁ ତାର ସ୍ଥାନ ମାଡ଼ିବସିବାକୁ ଯିବି କାହିଁକି ? ମୁଁ ଚାଲିଗଲେ କେବଳ କ୍ଷତି ହେବ, କିନ୍ତୁ ସେ ଚାଲିଗଲେ ସବୁ ଶୂନ୍ୟ ହୋଇଯିବ !”

 

ହଠାତ୍ ମନେ ପଡ଼ିଗଲା ଯେ ଶୀତଦିନ ଆସୁଚି; ଗରମ ପୋଷାକସବୁ ଖରାରେ ଦେବାକୁ ହେବ । ଉର୍ମି ସେତେବେଳକୁ ଶଶାଙ୍କ ସହିତ ପିଙ୍ଗ୍ ପିଙ୍ଗ୍‌ ଖେଳୁଚି । ସେ ତାକୁ ଡାକି ପଠାଇଲା । କହିଲା, “ଉର୍ମି, ଚାବି ନେଇ ଗରମ ପୋଷାକଗୁଡ଼ାକ ବାହାରକରି କୋଠା ଉପରେ ଖରାରେ ଦେଇଦେଲୁ !’’

 

ଉର୍ମି ଆଲମାରୀର କୋଲପ ଫିଟାଇବାକୁ ଯାଉଛି, ହଠାତ୍ ଶଶାଙ୍କ ଆସି କହିଲା, “ସେସବୁ ପରେ ହେବ, ତା’ଲାଗି ଢେର ସମୟ ଅଛି ।”

 

‘‘କିନ୍ତୁ ଅପା–’’

 

“ଆଚ୍ଛା, ଅପା ପାଖରୁ ମୁଁ ତୋ ପାଇଁ ଛୁଟି ନେଇ ଆସୁଛି ।”

 

ଛୁଟି ମିଳିଲା । କିନ୍ତୁ ସଙ୍ଗେ ସଙ୍ଗେ ଶର୍ମିଳା ଏକ ଦୀର୍ଘନିଶ୍ୱାସ ପକାଇଲା । ଦାସୀକୁ ଡାକି କହିଲା, ମୋ କପାଳରେ ଟିକିଏ ଥଣ୍ଡା ପାଣିର ପଟି ଆଣି ଦେଲୁ ।

 

କାଳକ୍ରମେ ବିସ୍ତୃତ ସ୍ଵାଧୀନତା ପାଇ ଆତ୍ମବିସ୍ମୃତ ହୋଇଯାଇଥିଲେ ମଧ୍ୟ ହଠାତ୍ ଦିନେ ଦିନେ ଆପଣାର କଠିନ ଦାୟିତ୍ଵର କଥା ଉର୍ମିର ମନେ ପଡ଼ିଯାଏ । ସେ ନିଜକୁ ଏପରି ସ୍ୱାଧୀନ କରିଦେଉଛି କିପରି, ସେ ଯେ ନିଜ ବ୍ରତର ବନ୍ଧନରେ ବନ୍ଧାହୋଇ ରହିଛି ! ତା’ସହିତ ଯେଉଁ ବନ୍ଧନ ତାକୁ ଏକ ବ୍ୟକ୍ତିବିଶେଷଙ୍କ ସହିତ ବାନ୍ଧି ରଖିଚି, ତାଙ୍କର ଅନୁଶାସନ ମଧ୍ୟ ତା’ର ମୁଣ୍ଡ ଉପରେ ରହିଛି । ସେଇ ତ ତା’ର ଦୈନିକ କର୍ତ୍ତବ୍ୟ ଟିକିନିଖି କରି ଦେଇଛନ୍ତି । ତା’ର ଜୀବନ ଉପରେ ଚିରଦିନ ଯେ ତାଙ୍କର ଅଧିକାର ରହିଚି, ଏ କଥା ଉର୍ମି ଆଦୌ ଅସ୍ୱୀକାର କରିପାରିବ ନାହିଁ । ନୀରଦ ଉପସ୍ଥିତ ଥିଲାବେଳେ ଉର୍ମି ମନେ ମନେ ବେଶ୍ ଶକ୍ତି ପାଉଥିଲା । ବର୍ତ୍ତମାନ ସେ ସେଦିଗକୁ ବଡ଼ ବିମୁଖ ହୋଇପଡ଼ିଛି, ତଥାପି ବେଳେ ବେଳେ କର୍ତ୍ତବ୍ୟବୁଦ୍ଧିର ଆଘାତ ଆସି ବାଜୁଛି-। ଏଥିରେ ମନଟା ଆହୁରି ତିକ୍ତ ହୋଇଯାଉଛି । ଆପଣାର ଅପରାଧକୁ ସେ ଆଉ କ୍ଷମା କରି ପାରୁନାହିଁ, ତେଣୁ ଅପରାଧ ମଧ୍ୟ ଦିନୁଁ ଦିନ ଅଧିକ ପ୍ରଶ୍ରୟ ପାଉଛି । ମନର ବେଦନା ଉପରେ ଅଫିମର ପ୍ରଲେପ ଦେବାଲାଗି ଶଶାଙ୍କ ସହିତ ଖେଳ ଓ ଆମୋଦରେ ସେ ନିଜକୁ ସର୍ବଦା ଭୁଲାଇ ରଖିବାକୁ ଚେଷ୍ଟା କରୁଛି । ଭାବୁଛି, ସମୟ ଆସିଲେ ସବୁ ପୁଣି ଆପଣା ଛାଏଁ ଠିକ୍ ହୋଇଯିବ, ବର୍ତ୍ତମାନ କେଇଟା ଦିନରେ ଛୁଟି ଭିତରେ ସେସବୁ କଥା ମନକୁ ଆଣି ଲାଭ ନାହିଁ । ପୁଣି ହଠାତ୍ ଦିନେ ଦିନେ କି ଖିଆଲ ଉଠୁଛି କେଜାଣି, ଟ୍ରଙ୍କରୁ ଖାତା ବହି ବାହାର କରି ବସିଯାଉଛି । ସେଇଠୁ ଶଶାଙ୍କର ପାଳି ପଡ଼ୁଛି । ସେ ବହି ସବୁ ଛଡ଼ାଇ ନେଇ ବାକ୍ସରେ ଭର୍ତ୍ତି କରି ବାକ୍ସ ଉପରେ ନିଜେ ଯାଇ ବସିପଡ଼େ । ଉର୍ମି ଆପତ୍ତି କରି କହେ, “ଭାରି ଅନ୍ୟାୟ, ଶଶାଙ୍କ ଭାଇ ! ମୋ ସମୟ କାହିଁକି ନଷ୍ଟ କରୁଛ କହିଲ ?”

 

ଶଶାଙ୍କ ଉତ୍ତର ଦିଏ, ‘‘ତୋ’ର ସମୟ ନଷ୍ଟ କଲେ ମୋ’ର ତ ସମୟ ନଷ୍ଟ ହେଉଛି । ଅତଏବ ବେଶ୍ କଟାକଟି ହୋଇଯାଉଛି ।”

 

କିଛି ସମୟ ଏହିପରି ଜିଗର ଲଗାଇଲା ପରେ ଶେଷରେ ଉର୍ମି ପରାସ୍ତ ହୁଏ । ପରାସ୍ତ ହେବାଟା ତାକୁ ଅତ୍ୟନ୍ତ ଆପତ୍ତିଜନକ ବୋଲି ମନେ ହୁଏ ନାହିଁ । ଏହିପରି ବାଧା ପାଇବା ସତ୍ତ୍ୱେ ମଧ୍ୟ କର୍ତ୍ତବ୍ୟର ଆଘାତ ତାକୁ ପାଞ୍ଚ ଛଅ ଦିନଯାଏ ଅସ୍ଥିର କରି ରଖେ, ତା‘ପରେ ତା’ର ଜୋର କମିଯାଏ । କହେ, “ଶଶାଙ୍କ ଭାଇ, ମୋତେ ତୁମେ ଦୁର୍ବଳ ବୋଲି ଭାବିଚ, ନା ? ମୋର ସବୁ ପ୍ରତିଜ୍ଞାକୁ ମନ ଭିତରେ ମୁଁ ଦୃଢ଼ କରି ରଖିଛି ।’’

 

‘‘ଅର୍ଥାତ୍ ?’’

 

‘‘ଅର୍ଥାତ୍‌ ଏଠୁ ଡିଗ୍ରୀ ନେଇ ମୁଁ ଡାକ୍ତରୀ ପଢ଼ିବାକୁ ୟୁରୋପ ଯିବି ।”

 

‘‘ତା’ପରେ ?”

 

‘‘ତା'ପରେ ଡାକ୍ତରଖାନା ପ୍ରତିଷ୍ଠା କରି ନିଜେ ତା’ର ଦାୟିତ୍ୱ ଗ୍ରହଣ କରିବି ।”

 

‘‘ଆଉ କାହା ଦାୟିତ୍ୱ ନେବୁ । ସେଇ ଯେଉଁ ନୀରଦ ମୁଖାର୍ଜୀ ବୋଲି ଗୋଟାଏ ଅସହ୍ୟ ରକମର ଉଦ୍ଧତ-’’

 

ଶଶାଙ୍କର ମୁହଁକୁ ହାତରେ ବନ୍ଦ ରଖି ଉର୍ମି କହେ, “ଚୁପ୍ କର । ଏସବୁ କଥା କହିଲେ ତୁମ ସାଙ୍ଗରେ ମୋର କଜିଆ ହୋଇଯିବ ।”

 

ନିଜକୁ କଠିନ କରି ଉର୍ମି ବେଳେ ବେଳେ କହେ, ମୋତେ ସତୀ ହେବାକୁ ପଡ଼ିବ, ଶପଥ ରଖିବାକୁ ପଡ଼ିବ । ବାପା ନୀରଦ ସହିତ ତା’ର ଯେଉଁ ସମ୍ବନ୍ଧ ସ୍ଥିର କରିଦେଇ ଯାଇଛନ୍ତି, ସେଥିରୁ ବିଚଳିତ ହେବାକୁ ଉର୍ମି ଅସତୀତ୍ୱ ବୋଲି ମନେ କରେ ।

 

କିନ୍ତୁ ଗୋଟାଏ ବଡ଼ ମୁସ୍କିଲ କଥା ହେଉଛି ଏଇ ଯେ ଅପର ପକ୍ଷରୁ ଉର୍ମି କୌଣସି ଦମ୍ଭ ପାଏ ନାହିଁ । ସତେ ଯେପରି ସେ ଗୋଟାଏ ଗଛ, କେବଳ ମାଟିରେ ଚେର ମଡ଼ାଇ ରହିଛି କିନ୍ତୁ ଆକାଶର ଆଲୋକରୁ ବଞ୍ଚିତ ହୋଇ ପତ୍ରଗୁଡ଼ାକ ପାଣ୍ଡୁବର୍ଣ୍ଣ ହୋଇ ଆସିଲାଣି । ବେଳେ ବେଳେ ଅତି ଅସହିଷ୍ଣୁ ହୋଇ ପଡ଼ି ସେ ଭାବେ, ଏ ଲୋକଟି ଆବଶ୍ୟକ ଅନୁସାରେ ଚିଠି ଲେଖିପାରେ ନାହିଁ କାହିଁକି ?

 

ଉର୍ମି ବେଶ୍ କେତେ ବର୍ଷ କନଭେଣ୍ଟରେ ପଢ଼ିଚି । ଆଉ କିଛି ଯାହା ହେଇଥାଉ ପଛକେ, ଇଂରାଜୀରେ ସେ ଏକାବେଳକେ ପକ୍‌କା । ନୀରଦକୁ ସେ କଥା ଭଲକରି ଜଣା । ସେଥିପାଇଁ ନୀରଦ ମନେ ମନେ ପଣ କରିଥିଲା ଯେ ଇଂରାଜୀ ଲେଖି ସେ ଉର୍ମିକୁ ଅଭିଭୂତ କରିଦେବ । ବଙ୍ଗଳାରେ ଚିଠି ଲେଖିଥିଲେ କୌଣସି ବିପଦର ଆଶଙ୍କା ନ ଥିଲା । ନିଜେ ଭଲ ଇଂରାଜୀ ଜାଣେନା ବୋଲି ନୀରଦର ଆଦୌ ଜ୍ଞାନ ନ ଥିଲା । ଚିଠିରେ ବାଛି ବାଛି ସେ ବଡ଼ ବଡ଼ ଶବ୍ଦ ଭର୍ତ୍ତି କରେ, ପୋଥିରେ ପଢିଥିବା ବଚନ–ଯୋଜନାମାନ କରି ବାକ୍ୟଗୁଡ଼ାକୁ ବସ୍ତାବୋଝାଇ ଗୋରୁଗାଡ଼ିପରି କରି ପକାଏ । ପଢ଼ିଲାବେଳେ ଉର୍ମିକୁ ବଡ଼ ହସ ମାଡ଼େ, କିନ୍ତୁ ହସିବାକୁ ତାକୁ ଲାଜ ଲାଗେ । ବଙ୍ଗଳୀର ଇଂରେଜୀ ଭାଷାରେ ଭୁଲ ହେଲେ ସେ ଭୁଲକୁ ଧରିବସିବା ଅସ୍ୱାଭାବିକ ବାହାଦୂରୀ ବୋଲି ଭାବି ନିଜକୁ ସେ ତିରସ୍କାର କରେ ।

 

ବିଦେଶକୁ ଯିବାପୂର୍ବରୁ ସାମନାସାମନି ନୀରଦ ଯେଉଁସବୁ ଉପଦେଶ ଦେଇଛି, ସେତେବେଳେ ଉର୍ମି ତାକୁ ଯଥେଷ୍ଟ ଗୁରୁତ୍ଵ ଦେଇ ଗମ୍ଭୀର ଭାବରେ ଗ୍ରହଣ କରିଛି । ନୀରଦର କଥାଗୁଡ଼ାକ କାନକୁ ଯେତେ ମୂଲ୍ୟବାନ ଶୁଣାଯାଉଥିଲା, ଉର୍ମିର ଅନ୍ଦାଜରେ ସେଗୁଡ଼ିକର ଓକନ ଯେପରି ତା’ଠାରୁ ଅଧିକ ହୋଇ ଯାଉଥିଲା । କିନ୍ତୁ ଯେତେ ଲମ୍ବା ଚିଠି ଲେଖିଲେ ମଧ୍ୟ ସେଥିରେ ଅନ୍ଦାଜ କରିବାର ସ୍ଥାନ କାହିଁ ? ଅଣ୍ଟାଭିଡ଼ା ବଡ଼ ବଡ଼ କଥାମାନ ଚିଠିରେ ବଡ଼ ହାଲୁକା ହୋଇଯାଏ, ବଡ଼ ବଡ଼ ଶବ୍ଦ–ଗାମ୍ଭୀର୍ଯ୍ୟରୁ କହିବା ବିଷୟର ଅଳ୍ପତା ଧରା ପଡ଼ିଯାଏ ।

 

ପାଖରେ ଥିବାବେଳେ ହୁଏତ ନୀରଦର ସ୍ଵଭାବ ଉର୍ମି ସହି ପାରୁଥିଲା, କିନ୍ତୁ ଦୂରରୁ ଯେପରି ତାହାହିଁ ତାକୁ ଆଘାତ ଦେଉଚି । ଲୋକଟା ଆଦୌ ହସି ଜାଣେ ନାହିଁ । ଚିଠିରେ ସେଇ ଅଭାବଟା ସବୁଠାରୁ ବେଶୀ ପ୍ରକାଶ ପାଏ । ସ୍ୱଭାବତଃ ଉର୍ମି ଶଶାଙ୍କ ସହିତ ନୀରଦର ତୁଳନା କରିବସେ ।

 

ସେଦିନ ତୁଳନା ଲାଗି ଗୋଟାଏ ବେଶ୍ ଉପଲକ୍ଷ୍ୟ ମଧ୍ୟ ଘଟିଯାଇଛି । ଲୁଗା ଖୋଜି ବାହାର କରୁ କରୁ ବାକ୍‌ସ ଭିତରୁ ଉର୍ମି ଦରବୁଣା ପଟେ ପଶମ ଚଟି ପାଇଲା । ବାର ବର୍ଷ ଆଗର ସବୁ କଥା ତାର ମନେ ପଡ଼ିଗଲା । ସେତେବେଳେ ହେମନ୍ତ ବଞ୍ଚିଥାଏ । ସେମାନେ ସମସ୍ତେ ସାଙ୍ଗହୋଇ ଦାର୍ଜିଲିଙ୍ଗ୍ ଯାଇଥାନ୍ତି, ଆମୋଦ ପ୍ରମୋଦରେ ବାକୀ ନ ଥାଏ । ହେମନ୍ତ ଆଉ ଶଶାଙ୍କ ଦୁଇଜଣ ମିଳି ଥଟ୍ଟତାମସାର ସୁଅ ବୁହାଇ ଦେଇଥାନ୍ତି । ଉର୍ମି ତା’ର ଜଣେ ମାଉସୀ ପାଖରୁ ନୂଆ କରି ପଶମରେ ବୁଣିବା ଶିଖୁଥାଏ । ଜନ୍ମଦିନ ଦିନ ଭାଇକୁ ଦେବ ବୋଲି ସେ ହଳେ ଜୋତା ବୁଣୁଥିଲା । ସେଥିପାଇଁ ଶଶାଙ୍କ ତାକୁ ସବୁବେଳେ ଥଟ୍ଟା କରେ, କହେ, “ଆଉ ଯାହା ଦେ’ ପଛକେ ବଡ଼ ଭାଇଟାକୁ ଜୋତା ଦେବା ବଡ଼ ଅସୁନ୍ଦର କଥା । ଭଗବାନ ମନୁ କହିଯାଇଛନ୍ତି ଯେ ତଦ୍ଦ୍ୱାରା ଗୁରୁଜନଙ୍କର ସମ୍ମାନ ହାନି ହୁଏ ।” କଟାକ୍ଷ କରି ଉର୍ମି କହିଲା, “ଭଗବାନ ମନୁ ତେବେ କାହାକୁ ଦେବାକୁ କହିଛନ୍ତି ?”

 

ଗମ୍ଭୀର ହୋଇ ଶଶାଙ୍କ ଉତ୍ତର ଦେଲା, “ଅସମ୍ମାନରେ ଚିରନ୍ତନ ଅଧିକାର କେବଳ ଭଗ୍ନୀପତିର । ମୋର ପ୍ରାପ୍ୟ, ଆଜିଯାଏ ବାକୀ ରହିଛି । ପ୍ରାପ୍ୟଟା କ୍ରମେ ସୁଧ ସହିତ ଅତି ଭାରି ହୋଇ ଉଠିଲାଣି ।’’

 

‘‘ମୋର ତ କାହିଁକି ମନେ ପଡ଼ୁନାହିଁ ।”

 

‘‘ନ ପଡ଼ିବା କଥା । ତୁ ତ ଖୁବ୍ ପିଲା ଥିଲୁ ସେତେବେଳେ । ସେହି କାରଣରୁ ଯେଉଁଦିନ ଶୁଭଲଗ୍ନରେ ତୋର ଅପାସାଙ୍ଗରେ ଏହି ସୌଭାଗ୍ୟବାନର ବିବାହ ହେଲା, ସେଦିନ ତୁ ବାସରରଜନୀର କର୍ଣ୍ଣଧାରପଦ ଗ୍ରହଣ କରି ପାରିନାହୁଁ । ଆଜି ସେଇ କୋମଳ କରପଲ୍ଲବର ଅରଚିତ କାନମୋଡ଼ାଟା କରପଲ୍ଲବରଚିତ ଏଇ ଜୋତା ଦୁଇଟାରେ ରୂପ ଗ୍ରହଣ କରିଛି । ସେଥିରେ ପୂରା ଦାବୀ ମୋର, ମୁଁ ଆଜିଠୁ କହିରଖୁଛି ।”

 

ଦାବୀଟାର ପରିଶୋଧ ହୋଇ ନାହିଁ, ସେ ଜୋତା ଯଥା ସମୟରେ ସେ ଉପହାର ରୂପେ ବଡ଼ ଭାଇର ଚରଣରେ ନିବେଦିତ କରିଦେଇଥିଲା । ତା’ରି କିଛି ଦିନ ପରେ ଆସିଲା ଶଶାଙ୍କର ଖଣ୍ଡେ ଚିଠି । ଚିଠି ପାଇ ସେଦିନ ସେ ଭାରି ହସିଛି । ଆଜି ବି ତାକୁ ବାକ୍‌ସରେ ସାଇତି ରଖିଛି । ପୁଣି ଆଜି ଖୋଲି ପଢ଼ିବାକୁ ଲାଗିଲା ।

 

‘‘କାଲି ତ ତୁ ଚାଲିଗଲୁ । ତୋ’ର ସ୍ମୃତି ପୁରାତନ ନ ହେଉଣୁ ତୋ’ ନାଁରେ ଏଠି ଯେଉଁ କଳଙ୍କ ରଚନା ହୋଇଗଲାଣି, ସେଇ କଥାଟା ତୋତେ ଗୋପନ କରି ରଖିବାକୁ ମୁଁ ଅକର୍ତ୍ତବ୍ୟ ବୋଲି ଭାବୁଛି ।

 

ଅନେକ ଦିନରୁ ମୋ ପାଦରେ ହଳେ ତାଳତଳୀୟ ଚଟି (Palm shoe) ଅନେକ ଲୋକ ଲକ୍ଷ୍ୟ କରିଚନ୍ତି । କିନ୍ତୁ ସେହି ଚଟିର ଛିଦ୍ର ଭେଦ କରି ମେଘମୁକ୍ତ ଚନ୍ଦମାଲ୍ୟ ପରି ଦେଖାଯାଉଥିବା ମୋର ଚରଣନଖପଂକ୍ତିକୁ ସେମାନେ ତା’ଠାରୁ ଅଧିକ ଲକ୍ଷ୍ୟ କରିଚନ୍ତି । (କବି ଭାରତଚନ୍ଦ୍ରଙ୍କର ଅନ୍ନଦାମଙ୍ଗଳ ଦ୍ରଷ୍ଟବ୍ୟ । ଉପମାର ଯଥାର୍ଥତା ବିଷୟରେ ସନ୍ଦେହ ହେଲେ ତୋର ଭଉଣୀ ପାଖରେ ମୀମାଂସନୀୟ) ଆଜି ସକାଳେ ଆମ ଅଫିସର ବୃନ୍ଦାବନ ନନ୍ଦୀ ମୋର ସପାଦୁକ ଚରଣ ସ୍ପର୍ଶକରି ପ୍ରଣାମ କଲାବେଳେ ମୋର ପଦମର୍ଯ୍ୟାଦାରେ ଯେଉଁ ବିଦୀର୍ଣ୍ଣତା ପ୍ରକାଶ ପାଇଛି, ତାହାରି ଅଗୌରବ ମୋର ମନକୁ ଖୁବ୍ ଆନ୍ଦୋଳିତ କରି ରଖିଛି । ସେବକ (Servant)କୁ ପଚାରିଲି, “ମହେଶ, ମୋର ସେଇ ନୂଆ ଚଟି ଯୋଡ଼ାକ ଅନ୍ୟ କେଉଁ ଅନଧିକାରୀର ଶ୍ରୀଚରଣକୁ ଗତିଲାଭ କରିଛି ?” ମୁଣ୍ଡ କୁଣ୍ଡାଉ କୁଣ୍ଡାଉ ସେ ଉତ୍ତର ଦେଲା, ତାଙ୍କ ଘରର ଉର୍ମିଦେଈ ହେରିକାଙ୍କ ସହିତ ଆପଣ ଦାର୍ଜିଲିଂ ଗଲାବେଳେ ଚଟିଯୋଡ଼ାକ ସାଙ୍ଗରେ ନେଇ ଯାଇଥିଲେ । ଆପଣଙ୍କ ସହିତ କେବଳ ତା’ର ପଟେ ଫେରି ଆସିଛି, ଆଉ ପଟେ-’’ ତା’ ମୁହଁ ସେତେବେଳକୁ ରଙ୍ଗା ପଡ଼ିଗଲାଣି । ଧମକ ଦେଇ ମୁଁ କହିଲି, “ଥାଉ, ଚୁପ୍‌କର ।” ସେଠି ଅନ୍ୟ ଅନେକ ଲୋକ ଥାଆନ୍ତି-। ଚଟିଯୋତା ହରଣ କରିବା ଭାରି ହୀନ କାର୍ଯ୍ୟ । କିନ୍ତୁ ମଣିଷର ମନ ବଡ଼ ଦୁର୍ବଳ, ଲୋଭ ବଡ଼ ଦୁର୍ଦ୍ଦମ, ବେଳେ ବେଳେ ସେ ଏହିପରି ହୀନକାର୍ଯ୍ୟମାନ କରିପକାଏ; ଅବଶ୍ୟ ଭଗବାନ ନିଶ୍ଚୟ ତାର ଦୋଷ କ୍ଷମା କରନ୍ତି । ତଥାପି ଅପହରଣ କାର୍ଯ୍ୟରେ ବୁଦ୍ଧିର ପରିଚୟ ଥିଲେ ଦୁଷ୍କାର୍ଯ୍ୟର ଗ୍ଳାନି ଅନେକ ପରିମାଣରେ ଊଣା ପଡ଼ିଯାଏ । କିନ୍ତୁ ଛାର ପଟେ ଜୋତା ! ଧିକ୍‌ ! !

 

ଯେ ଏ କାମଟି କରିଛି, ମୁଁ ଯଥାସାଧ୍ୟ ତା’ର ନାମଟି ଉହ୍ୟ ରଖିଛି । ସେ ଯଦି ତା’ର ସ୍ୱଭାବସିଦ୍ଧ ମୁଖରତାର ବଶବର୍ତ୍ତୀ ହୋଇ ଏ ସମ୍ବନ୍ଧରେ ଅନର୍ଥକ କଳହ କରିବାକୁ ଆସେ, ତେବେ କଥାଟା ଘଣ୍ଟା ଚକଟା ହୋଇଯିବ । ମନଟା ଖାଣ୍ଟି ହୋଇଥିଲେ ଚଟି ସକାଶେ ରଗାରଗି ବେଶ୍ ଶୋଭାପାଏ । ହଳେ ଶିଳ୍ପକାର୍ଯ୍ୟ ଖଚିତ ଚଟିର ସାହାଯ୍ୟରେ ତୁ ଇଚ୍ଛା କଲେ ନିନ୍ଦୁକ ମହେଶ୍ୱରଙ୍କ ମୁଖ ବନ୍ଦ କରିଦେଇ ପାରୁ । ତା'ର ଏଡ଼େ ବଡ଼ ଆସ୍ପର୍ଦ୍ଧା ! ଚିଠି ସହିତ ମୋର ଗୋଡ଼ର ମାପ ପଠାଇଲି ।”

 

ଚିଠିଟା ପାଇ ସେଦିନ ଉର୍ମି ସ୍ମିତ ମୁଖରେ ପଶମର ଜୋତା ବୁଣି ବସିଥିଲା, କିନ୍ତୁ ଆଜିଯାଏ ଶେଷ କରି ପାରିନାହିଁ । ପଶମ କାମ କରିବାକୁ ତାକୁ ଆଉ ଭଲ ଲାଗୁ ନ ଥିଲା । ଆଜି ହଠାତ୍ ଏଇଟାକୁ ଆବିଷ୍କାର କରି ସେ ସ୍ଥିର କଲା ଯେ ଠିକ୍ ଦାର୍ଜିଲିଂ ଯାତ୍ରାର ସାମ୍ବତ୍ସରିକ ଦିନ ସେ ଅସମାପ୍ତ ଜୋତାଟିକୁ ଶଶାଙ୍କକୁ ଉପହାର ଦେବ । ଆଉ କେତୋଟି ମାତ୍ର ସପ୍ତାହ ଗଲେ ସେଇ ଦିନଟି ପଡ଼ିବ । ସେ ଗୋଟାଏ ଗଭୀର ଦୀର୍ଘ ନିଃଶ୍ୱାସ ପକାଇଲା-ହାୟ, ହାସ୍ୟୋଜ୍ଜ୍ୱଳ ଆକାଶରେ ହାଲୁକା ଡେଣାରେ ଉଡ଼ିଯିବାର ସେ ଦିନଗୁଡ଼ିକ କୁଆଡ଼େ ଗଲା ? ସମ୍ମୁଖରେ କେବଳ ନିରବକାଶ କର୍ତ୍ତବ୍ୟ–କଠୋର ମରୁଜୀବନ ପ୍ରସାରିତ ହୋଇ ରହିଚି ।

 

ଆଜି ଫାଲ୍‌ଗୁନ ମାସର ୨୬ ଦିନ-ହୋଲି ଖେଳର ଦିନ ଆଜି । ମଫସଲ ସଂକ୍ରାନ୍ତୀୟ ନାନା କାମ ପଡ଼ିବାରୁ ଏ ଉତ୍ସବ ଲାଗି ଶଶାଙ୍କର ସମୟ ନ ଥିଲା, ସମସ୍ତେ ଯେପରି ଉତ୍ସବଟିକୁ ଭୁଲି ଯାଇଚନ୍ତି । ଆଜି ଉର୍ମି କେବଳ ଶଯ୍ୟାଗତ ବଡ଼ ଭଉଣୀର ଚରଣରେ ଅବିର ଟିପା ଲଗାଇ ପ୍ରଣାମ ଜଣାଇ ଆସିଛି ! ତାପରେ ସନ୍ଧାନ କରି କରି ଯାଇ ଦେଖିଲା ଅଫିସ ଘରେ ଟେବୁଲ ଉପରେ ନଇଁ ପଡ଼ି ଶଶାଙ୍କ ଏକ ମନରେ କାମ କରିବାରେ ଲାଗିଛି, ପଛରୁ ଯାଇ ସେ ମୁଠାଏ ଅବିର ତା’ ମୁଣ୍ଡରେ ବୋଳି ଦେଲା, କାଗଜପତ୍ର ସବୁ ଲାଲ ହୋଇଗଲା । ତା’ପରେ ଦୁହେଁ ମାତି ଉଠିଲେ । ଡେସ୍କ ଉପରେ ଦୁଆତଭରା ନାଲି କାଳି ଥିଲା, ଶଶାଙ୍କ ଉର୍ମିର ଶାଢ଼ୀରେ ଢାଳିଦେଲା । ହାତକୁ ଜୋର କରି ଧରି ତା’ର ଶାଢ଼ୀରୁ ଅବିର ନେଇ ଉର୍ମିର ମୁହଁଯାକ ବୋଳି ଦେଲା । ତାପରେ ଦୌଡ଼ାଦୌଡ଼ି ଠେଲାଠେଲି ଓ ପାଟି ତୁଣ୍ଡରେ ବାକୀ ରହିଲା ନାହିଁ । ବେଳ ଗଡ଼ିଗଲା, ଗାଧୁଆ ଓ ଖିଆର ସମୟ ଡେରି ହୋଇଗଲା, ତଥାପି ଉର୍ମିର ଉଚ୍ଚ ହାସ୍ୟର ସ୍ଵରୋଚ୍ଛ୍ୱାସରେ ସମସ୍ତ ଘର ମୁଖରିତ ହୋଇ ଉଠୁଛି । ଶେଷରେ ଶଶାଙ୍କର ସ୍ୱାସ୍ଥ୍ୟହାନି ହେବାର ଆଶଙ୍କାରେ ଦୂତ ପରେ ଦୂତ ପଠାଇ ଶର୍ମିଳା ସେମାନଙ୍କୁ ନିବୃତ୍ତ କଲା ।

 

ଦିନ ଯାଇ ରାତି ଅନେକ ହେଲାଣି । ପୁଷ୍ପିତ କୃଷ୍ଣଚୂଡ଼ାର ଶାଖାଜାଲି ଭିତରୁ ପୂର୍ଣ୍ଣ ଶଶୀ ଅନାବୃତ ଆକାଶକୁ ବାହାରି ଆସିଲାଣି । ଫଗୁଣର ଚଞ୍ଚଳ ପବନର ଝରଝର ଶବ୍ଦରେ ବଗିଚାର ଗଛଗୁଡ଼ାକ ହଠାତ୍ ଆନ୍ଦୋଳିତ ହୋଇ ପଡ଼ିଛନ୍ତି, ଭୂମି ଉପରେ ଛାୟାର ଜାଲ ମଧ୍ୟ ସେଥିରେ ଯୋଗ ଦେଇଛି । ଝରକା ପାଖରେ ଚୁପହୋଇ ଉର୍ମି ବସିଛି, ମୋଟେ ନିଦ ମାଡୁନାହିଁ । ଛାତି ଭିତରେ ରକ୍ତର ଚଞ୍ଚଳତା ଏପର୍ଯ୍ୟନ୍ତ ଶାନ୍ତ ହୋଇ ନାହିଁ । ଆମ୍ବବଉଳର ସୁବାସରେ ମନ ଭରି ଉଠିଛି । ଆଜିର ଏଇ ବସନ୍ତ ରଜନୀରେ ମାଧବୀ ଲତାର ମଜ୍ଜା ଭିତରେ ରହିଥିବା ଫୁଲ ଫୁଟାଇବାର ବେଦନା ସତେ ଅବା ଉର୍ମିର ସମସ୍ତ ଦେହଟାକୁ ଭିତରୁ ଉତ୍ସୁକ କରି ପକାଇଛି । ଗାଧୁଆଘରୁ ସେ ମୁଣ୍ଡ ଧୋଇ ଆସିଲା, ଓଦା ତଉଲିଆରେ ଦେହହାତ ପୋଛିପାଛି ହେଲା । ବିଛଣା ଉପରେ ଏକଡ଼ ସେକଡ଼ ହେଉ ହେଉ କିଛି ସମୟ ପରେ ସ୍ଵପ୍ନ-ଜଡ଼ିତ ନିଦ୍ରାରେ ଆବିଷ୍ଟ ହୋଇପଡ଼ିଲା ।

 

ରାତି ତିନିଟା ବାଜିବ, ହଠାତ୍ ନିଦ ଭାଙ୍ଗିଗଲା । ସେତେବେଳକୁ ଝରକା ପାଖକୁ ଆଉ ଜହ୍ନ ଦିଶୁ ନାହିଁ । ଘରଟାଯାକ ଅନ୍ଧାର, ବାହାରେ ଆଲୁଅର ଛାଇରେ ଜଡ଼ିତ ହୋଇ ରହିଥିବା ଧାଡ଼ି ଧାଡ଼ି ଗୁଆଗଛ ଗୁଡ଼ାକ । ହଠାତ୍ ଯେପରି ଉର୍ମିର ଛାତି ତଳୁ କିଏ କାନ୍ଦି ଉଠିଲା, ସେ ସମ୍ଭାଳି ପାରିଲା ନାହିଁ । ତକିଆ ଉପରେ ମୁହଁ ମାଡ଼ିଦେଇ ସେ କାନ୍ଦିବାକୁ ଲାଗିଲା । ଏ କାନ୍ଦ ପ୍ରାଣର କାନ୍ଦ, ଭାଷାରେ ଏହାର ଶବ୍ଦ ନାହିଁ କି ଅର୍ଥନାହିଁ । କେଉଁଠୁ ଯେ ଏଇ ବେଦନାର ଜୁଆର ତାର ଦେହ ଓ ମନରେ ଉଦ୍‌ବେଳିତ ହୋଇ ଉଠି ଦିନର କର୍ମତାଲିକା ଓ ରାତ୍ରିର ସୁଖନିଦ୍ରାକୁ ଭସାଇ ନେଇ ଚାଲିଯାଏ, ଏ ପ୍ରଶ୍ନର କି ଉତ୍ତର ସେ ଦେଇ ପାରିବ ?

 

ସକାଳେ ନିଦ ଭାଙ୍ଗିଲା ବେଳକୁ ଘର ଭିତରେ ଖରା ପଡ଼ିଗଲାଣି । ସକାଳର କୌଣସି କାମ ସେ କରିପାରିଲା ନାହିଁ, କାଲିକାର କ୍ଳାନ୍ତି କଥା ଭାବି ଶର୍ମିଳା ତାକୁ କ୍ଷମା ଦେଇଛି । ହଠାତ୍ କେଉଁ ଅନୁତାପର ବଶବର୍ତ୍ତୀ ହୋଇ ଉର୍ମି ବଡ଼ ଅବସନ୍ନ ହୋଇ ପଡ଼ିଛି । ସତେ ଯେପରି ସେ ପରାସ୍ତ ହୋଇଗଲା ପରି ତା’ର ମନେ ହେଉଛି ।

 

ଭଉଣୀକୁ ଯାଇ କହିଲା, ‘‘ଅପା, ମୁଁ ତ ତୋର କୌଣସି କାମ ଠିକ୍‌ମତେ କରିପାରୁ ନାହିଁ । କହନ୍ତୁ ଯଦି ମୁଁ ଘରକୁ ଚାଲିଯିବି ।”

 

‘ନା ଯାଆ ନାହିଁ’ ବୋଲି ଶର୍ମିଳା ଆଜି କହି ପାରିଲା ନାହିଁ । ଉତ୍ତର ଦେଲା, ‘‘ଆଚ୍ଛା, ତୁ ଯା । ତୋର ପଢ଼ାଶୁଣାରେ କ୍ଷତି ହେଉଛି । ବେଳେ ବେଳେ ସମୟ ପାଇଲେ ଆସି ଦେଖିଶୁଣି ଯାଉଥିବୁ ।”

 

ଶଶାଙ୍କ ସେତେବେଳକୁ ଗୋଟାଏ କାମରେ ବାହାରି ଯାଇଥାଏ । ସେହି ଅବକାଶରେ ସେଇଦିନ ଉର୍ମି ଘରକୁ ଚାଲିଗଲା ।

 

ଯାନ୍ତ୍ରିକ ଛବି ଆଙ୍କିବାର ସାଜ ସରଞ୍ଜାମ କିଣି ଶଶାଙ୍କ ଘରକୁ ଫେରିଲା । ସେଗୁଡ଼ିକୁ ଉର୍ମିକୁ ଦେଇ ଏହି ବିଦ୍ୟାଟା ଶିଖାଇବ ବୋଲି ଆଗରୁ ଜବାବ ଥିଲା । ଘରେ ତାକୁ ଦେଖିବାକୁ ନ ପାଇ ଆସି ଶର୍ମିଳାକୁ ପଚାରିଲା, ‘‘ଉର୍ମି କୁଆଡ଼େ ଗଲା ?’’ ଶର୍ମିଳା ଉତ୍ତର ଦେଲା, “ଏଠି ତା’ର ପଢ଼ାପଢ଼ିରେ ଅସୁବିଧା ହେଉଚି ବୋଲି ଘରକୁ ଚାଲିଗଲା ।’’

 

“କିଛିଦିନ ଅସୁବିଧା ହେବ ବୋଲି ପ୍ରସ୍ତୁତ ହୋଇ ତ ସେ ଆସିଥିଲା । ହଠାତ୍‌ ଆଜି ସେ କଥାଟା ମନେ ପଡ଼ିଗଲା କାହିଁକି ?’’

 

କଥାର ହାବଭାବରୁ ଶର୍ମିଳା ବେଶ୍ ବୁଝିପାରିଲା ଯେ ଶଶାଙ୍କ ତାକୁହିଁ ସନ୍ଦେହ କରୁଛି । ସେ ବିଷୟରେ କୌଣସି ବୃଥା ତର୍କ ନ କରି ସେ କହିଲା, “ମୋ’ ନା କହି ତୁମେ ତାକୁ ଡାକି ନେଇଆସ, ସେ କୌଣସି ଆପତ୍ତ କରିବ ନାହିଁ ।’’

 

ଘରକୁ ଆସି ଉର୍ମି ଦେଖିଲା ନୀରଦ ପାଖରୁ ତା ନାମରେ ଖଣ୍ଡେ ଚିଠି ଅନେକ ଦିନରୁ ପଡ଼ି ରହିଛି । ଡରରେ ସେ ହଠାତ୍‌ ଚିଠି ଖଣ୍ଡକ ଖୋଲିପାରିଲା ନାହିଁ । ବେଶ୍‌ ଅନୁଭବ କରି ପାରୁଥିଲା ଯେ ନିଜଆଡ଼ୁ ସେ ଭୟଙ୍କର ଅପରାଧ କରିଛି । ନିୟମଭଙ୍ଗର କୈଫିୟତ ଦେବାକୁ ଯାଇ ଏହା ପୂର୍ବରୁ ସେ ବଡ଼ ଭଉଣୀର ରୋଗର କାରଣ ଦର୍ଶାଇଥିଲା । କେତେଦିନ ହେଲା ସେହି କୈଫିୟତଟା ମିଛ ବୋଲି ପ୍ରମାଣିତ ହୋଇଛି । ବିଶେଷ ଜିଦ୍ କରି ଶଶାଙ୍କ ଶର୍ମିଳା ଲାଗି ଦିନରେ ଜଣେ ଓ ରାତିରେ ଜଣେ ନର୍ସ ନିଯୁକ୍ତ କରି ଦେଇଛି । ଡାକ୍ତରଙ୍କର ବିଧାନ ଅନୁସାରେ ରୋଗୀ ଘରକୁ ଆତ୍ମୀୟମାନେ ସର୍ବଦା ଆସିବାକୁ ସେମାନେ ବାରଣ କରି ଦେଇଛନ୍ତି । ଉର୍ମି ଭଲ କରି ଜାଣେ ଯେ ଭଉଣୀର ରୋଗକୁ ନୀରଦ ଗୁରୁତର କୈଫିୟତ ବୋଲି ଗ୍ରହଣ କରିବା ନାହିଁ, ସେଇଟା ଆଦୌ ଗୋଟାଏ କାମ ନୁହେଁ ବୋଲି ଉଡ଼ାଇ ଦେବ । ପ୍ରକୃତରେ ମଧ୍ୟ ସେଇଟା ଆଦୌ କାମ ନୁହେଁ । ତାର ଉପସ୍ଥିତି ସେଥିଲାଗି ଆଦୌ ଦରକାର ନୁହେଁ । ଅନୁତପ୍ତ ମନରେ ଉର୍ମି ଠିକ୍ କଲା ଏଥର ଦୋଷ ସ୍ୱୀକାର କରି କ୍ଷମା ପ୍ରାର୍ଥନା କରିବ । କହିବ, ଆଉ ଏପରି ତ୍ରୁଟି କଦାପି ହେବ ନାହିଁ, କଦାପି ନିୟମ ଭଙ୍ଗ କରିବ ନାହିଁ ।

 

ଚିଠି ଖୋଲିବା ଆଗରୁ ଅନେକ ଦିନ ପରେ ସେ ସେହି ଫଟୋଖଣ୍ଡିକ ବାହାର କରି ଟେବୁଲ ଉପରେ ରଖିଲା । ବେଶ୍ ଜାଣିଥିଲା ଯେ ଏହି ଛବିଟା ଦେଖିଲେ ଶଶାଙ୍କ ନିଶ୍ଚୟ ବିଦ୍ରୂପ କରିବ । ତଥାପି ସେ କଦାପି ସେଥିରେ କୁଣ୍ଠିତ ହେବ ନାହିଁ, ଏହାହିଁ ତାର ପ୍ରାୟଶ୍ଚିତ୍ତ । ନୀରଦ ସହିତ ଯେ ତାର ବିବାହ ହେବ, ଏ କଥାଟା ଭଉଣୀଘରେ ସେ ଚପାଇ ରଖୁଥିଲା । ଏହି ପ୍ରସଙ୍ଗ ସେ ଘରେ ସମସ୍ତଙ୍କର ଅପ୍ରିୟ ବୋଲି କେହି ଏ କଥା ପକାଉ ନଥିଲେ । ଆଜି କିନ୍ତୁ ଦୃଢ଼ ଭାବରେ ଉର୍ମି ଶପଥ କଲା ଯେ ଏଥର ସକଳ ବ୍ୟବହାରରେ ସେ ଏହି ସମ୍ବାଦଟା ଶକ୍ତ କରି ଘୋଷଣା କରିବ । ବିବାହ ପ୍ରସ୍ତାବର ମୁଦିଟିକୁ ସେ ଆଜିଯାଏ ଲୁଚାଇ ରଖିଥିଲା । ଆଜି ତାକୁ ବାହାର କରି ପୁଣି ପିନ୍ଧିଲା । ମୁଦିଟା ଖୁବ୍‌ ବେଶୀ ଦାମିକା ନୁହେଁ । ନିଜର ସ୍ପଷ୍ଟ ସ୍ତ୍ୱୀକୃତ ଦାରିଦ୍ର୍ୟର ଗର୍ବଦ୍ଵାରା ନୀରଦ ଏହି ଶସ୍ତା ମୁଦିଟିକୁ ହୀରାଠାରୁ ଅଧିକ ମୂଲ୍ୟବାନ କରିଦେଇ ଥିଲା । “ମୁଦିର ଦାମ ମୋର ଦାମ୍ ନୁହେଁ, ମୋର ଦାମ୍‌ହିଁ ମୁଦିର ଦାମ୍‌’’–ନୀରଦର ମୁଖରେ ଯେପରି ଏହି ଭାବଟି ପ୍ରକାଶିତ ହେଉଥିଲା ।

 

ଆଗ ନିଜକୁ ଯଥାସାଧ୍ୟ ଶୋଧନ କରି ଉର୍ମି ଲଫାପାଟା ଫିଟାଇଲା । ଚିଠିଟା ପଢ଼ି ହଠାତ୍‌ ସେ ଆନନ୍ଦରେ ଡେଇଁ ପଡ଼ିଲା । ନାଚିବାକୁ ହଠାତ୍ ମନ ହେଲା, କିନ୍ତୁ ସେ ନାଚି ଜାଣେ ନାହିଁ । ବିଛଣା ଉପରେ ସିତାରଟା ଉଠାଇ ସ୍ୱର ନ ବସାଇ ଝନ୍‌ଝନ୍ କରି ମନଇଚ୍ଛା ଯାହା ତାହା ବଜାଇବାକୁ ଲାଗିଲା ।

 

ଠିକ୍‌ ଏତିକିବେଳେ ଘରକୁ ପଶି ଆସି ଶଶାଙ୍କ ପଚାରିଲା, “କଥା କଣ ? ବିବାହର ଦିନ ଠିକ୍ ହୋଇଗଲା କି ?”

 

“ହଁ ଶଶାଙ୍କଭାଇ, ଠିକ୍ ହୋଇଗଲା ।

 

“କଣ ଦିନେ ହେଲେ ଆଗ ପଛ ହେବ ନାହିଁ ?’’

 

‘‘କଦାପି ନୁହେଁ ।”

 

‘‘ତା'ହେଲେ ଏଇଓଳି ଯାଇ ମୁଁ ବାଜାର ବଇନାଟା ଦେଇ ଆସୁଛି । ଆଉ ଭୀମନାଗ ଦୋକାନର ସନ୍ଦେଶ ?”

 

‘‘ତୁମକୁ କୌଣସି ଚେଷ୍ଟା କରିବାକୁ ପଡ଼ିବ ନାହିଁ ।”

 

“ନିଜେ ନିଜେ ସବୁ କରିବୁ ? ଧନ୍ୟ ବୀରାଙ୍ଗନା ! ଆଉ ବୋହୂ ବନ୍ଦାଣ ?”

 

‘‘ବନ୍ଦାଣ ଟଙ୍କାଟା ମୁଁ ନିଜେ ଦେଇ ଦେଇଛି ।”

 

“କଣ ? ମାଛ ତେଲରେ ମାଛଭଜା । କଥାଟା ଭଲ କରି ବୁଝି ହେଲା ନାହିଁ ।”

 

‘‘ଏଇ ନିଅ, ବୁଝ ।” ଏତକ କହି ଉର୍ମି ଚିଠି ଖଣ୍ଡକ ଶଶାଙ୍କ ହାତକୁ ଦେଲା । ଚିଠି ପଢ଼ି ଶଶାଙ୍କ ହୋ ହୋ କରି ହସି ଉଠିଲା ।

 

ଲେଖାଅଛି, “ଯେଉଁ ଗବେଷଣାର ଦୂରୁହ କାର୍ଯ୍ୟରେ ନୀରଦ ଆତ୍ମ-ନିବେଦନ କରିବାକୁ ଚାହେଁ, ଭାରତବର୍ଷରେ ତାହା ସମ୍ଭବ ହୋଇ ପାରିବ ନାହିଁ । ସେଥିଲାଗି ଜୀବନରେ ତାକୁ ଆଉ ଗୋଟିଏ ମସ୍ତ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିଲା । ଉର୍ମି ସହିତ ହୋଇଥିବା ବିବାହର ସମ୍ବନ୍ଧଟା ବିଚ୍ଛିନ୍ନ ନ କଲେ ଆଉ ଉପାୟ ନାହିଁ । ଜଣେ ୟୁରୋପୀୟ ମହିଳା ତାକୁ ବିବାହ କରି ତା’ର କାର୍ଯ୍ୟରେ ଆତ୍ମଦାନ କରିବାକୁ ରାଜି ଅଛନ୍ତି । କିନ୍ତୁ ଭାରତବର୍ଷରେ ହେଉ ବା ବିଦେଶରେ ହେଉ, କାର୍ଯ୍ୟଟା ସେହି ଏକ କାର୍ଯ୍ୟ । ରାଜାରାମବାବୁ ଯେଉଁ କାର୍ଯ୍ୟଲାଗି ଅର୍ଥ ସାହାଯ୍ୟ କରିବାକୁ ଚାହିଁଥିଲେ, ତା’ର କିୟଦଂଶ ସେଠାରେ ନିଯୁକ୍ତ କଲେ ଅନ୍ୟାୟ ହେବ ନାହିଁ । ତଦ୍ଦ୍ୱାରା ମୃତ ବ୍ୟକ୍ତିଙ୍କୁ କେବଳ ସମ୍ମାନ ହିଁ ପ୍ରଦର୍ଶନ କରାଯିବ ।’’

 

ଶଶାଙ୍କ କହିଲା, “କିଛି କିଛି ଦେଇ ଯଦି ଜୀବିତ ବ୍ୟକ୍ତିଟାକୁ ସେଇ ଦୂର ଦେଶରେ ଜୀଆଇ ରଖିପାରୁ, ତେବେ ମୋଟେ ମନ୍ଦ ହେବ ନାହିଁ । କିନ୍ତୁ ଟଙ୍କା ପଠାଇବା ବନ୍ଦ କଲେ କାଳେ କ୍ଷୁଧା କଷ୍ଟରେ ପୀଡ଼ିତ ଓ ମ୍ରିୟମାଣ ହୋଇ ଏଠି ଆସି ହାଜର ହୋଇ ପଡ଼ିବ, ମୋତେ ସେଇଥି ସକାଶେ ଡର ମାଡୁଛି ।”

 

ଉର୍ମି ହସି ହସି ପଚାରିଲା, “ତୁମର ଯଦି ସେଭଳି ଭୟ ହେଉଛି, ତେବେ ତୁମେ ଟଙ୍କା ଦିଅ; ମୁଁ ଗୋଟାଏ ପଇସା ବି ଦେବି ନାହିଁ ।”

 

ଶଶାଙ୍କ କହିଲା, ‘‘କିନ୍ତୁ ଆଉ ମନ ବଦଳିବ ନାହିଁ ତ ? ମାନିନୀର ଅଭିମାନ ଅଟଳ ରହି ପାରିବ ତ ?”

 

‘‘ବଦଳିଲେ ସେଥିରେ ତୁମର କଣ ଅଛି ?’’

 

‘‘ପ୍ରଶ୍ନଟିର ଠିକ୍ ଉତ୍ତର ଦେଲେ ଅହଙ୍କାର ବଢ଼ିଯିବ, ତେଣୁ ତୋ’ର ହିତ ଦୃଷ୍ଟିରୁ ନୀରବ ରହିଲି । କିନ୍ତୁ ମୁଁ ଭାବୁଚି, ଲୋକଟାର ‘ଗଣ୍ଡଦେଶ’ ତ ସାମାନ୍ୟ ନୁହେଁ, ଇଂରେଜୀରେ ଯାହାକୁ ‘ଚୀକ’ (Cheek) ବୋଲି କହନ୍ତି ।”

 

ଉର୍ମି ଉପରୁ ଅନେକ ଦିନର ଏକ ପ୍ରକାଣ୍ଡ ବୋଝ ଚାଲିଗଲା । ମୁକ୍ତିର ଆନନ୍ଦରେ ହଠାତ୍ କଣ କରିବ ଭାବିପାରିଲା ନାହିଁ । କାର୍ଯ୍ୟର ଫର୍ଦ୍ଦଟା ଚିରି ଫୋପାଡ଼ି ଦେଲା । ଗଳି ଭିତରେ ଠିଆ ହୋଇ ଭିକାରୀଟାଏ ଭିକ ମାଗୁଥିଲା; ଝରକା ବାଟେ ମୁଦିଟା ତାହାରି ଆଡ଼କୁ ପକାଇଦେଲା-

 

ପଚାରିଲା, “ପେନ୍‌ସିଲ ଦାଗ ଦିଆହୋଇଥିବା ଏଇ ମୋଟା ବହିଗୁଡ଼ାକ କେହି ଫେରିବାଲା କିଣିବାକୁ ମଙ୍ଗିବ ତ ?”

 

‘‘କେହି ନ କିଣିଲେ, ତାର ଫଳାଫଳଟା କଣ ହେବ ଟିକିଏ ଶୁଣେ ।’’

 

“କାଳେ ସେଗୁଡ଼ାକ ଭିତରେ ସେଇ ପୁରୁଣା ଭୁତଟା ବସା କରିଥାଏ । କାଳେ ଦିନେ ଦିନେ ରାତି ଅଧରେ ତର୍ଜନୀ ଦେଖାଇ ମୋ ବିଛଣା ପାଖରେ ଆସି ଠିଆ ହୁଏ ?”

 

‘‘ସେପରି ଆଶଙ୍କା କିଛି ଥିଲେ, ଫେରିବାଲାକୁ ଦେବା ଅପେକ୍ଷା ବରଂ ମୁଁ ସେଗୁଡ଼ାକୁ କିଣିନେଉଛି ।’’

 

‘‘ତୁମେ ସେଗୁଡ଼ାକ କିଣି କଣ କରିବ ?’’

 

‘‘ହିନ୍ଦୁଶାସ୍ତ୍ର ଅନୁସାରେ ଅନ୍ତ୍ୟେଷ୍ଟିସତ୍କାର କରିବି । ତୋ’ର ମନକୁ ସାନ୍ତ୍ୱନା ଦେବାକୁ ହେଲେ ତାକୁ ନେଇ ଗୟାଯାଏ ଯିବାକୁ ତିଆର ଅଛି ।”

 

‘‘ନା-ଏତେଦୂର ଅତିରିକ୍ତ ହେବା ଭଲ ନୁହେଁ ।’’

 

‘‘ଆଚ୍ଛା, ମୋ’ ଲାଇବ୍ରେରୀ କଣରେ ପିରାମୀଡ଼ ତିଆରି କରି ସେ ଗୁଡ଼ାକୁ ମମୀ (Mummy) କରି ରଖିଦେବି ।”

 

‘‘ଆଜି କିନ୍ତୁ ତୁମେ କାମକୁ ଯାଇପାରିବ ନାହିଁ ।”

 

‘‘ଦିନଟା ଯାକ ?”

 

‘‘ହଁ, ଦିନଟା ଯାକ ।”

 

‘‘କାମ କଣ ଶୁଣେ ।”

 

‘‘ମୋଟର ନେଇ ଆଜି ଅନେକ ଦୂରକୁ ଚାଲିଯିବା ।”

 

‘‘ଅପାଠାରୁ ଆଗ ଅନୁମତି ନେଇଆ ।”

 

‘‘ନା ଫେରି ଆସି କହିବି, ତା’ଠାରୁ ଗାଳି ଖାଇବି । ବେଶ୍ ଭଲ ଲାଗିବ ମୋତେ ।’’

 

“ଆଚ୍ଛା, ମୁଁ ମଧ୍ୟ ତୋ’ ଭଉଣୀର ଗାଳି ହଜମ କରିବାକୁ ରାଜି ଅଛି, ଟାୟାର ଫାଟିଗଲେ ମଧ୍ୟ ଦୁଃଖିତ ହେବି ନାହିଁ । ଘଣ୍ଟାକୁ ୪୫ ମାଇଲ ମଟର ଦଉଡ଼ାଇ ଦୁଇ ଚାରିଜଣଙ୍କ ସହିତ ଧକ୍‌କା ଲଗାଇ ଜେଲଖାନା ଯିବାକୁ ମଧ୍ୟ ଆପତ୍ତି ନାହିଁ । କିନ୍ତୁ ମୋଟର ରଥରେ ଯାତ୍ରା ସମାପ୍ତ କରି ଆମ ଘରକୁ ତୋତେ ଯିବାକୁ ହେବ, ତ୍ରିବାର ସତ୍ୟ କର ।”

 

‘‘ଯିବି, ଯିବି, ଯିବି ।”

 

ମୋଟରଯାତ୍ରା ପରେ ଦୁହେଁ ଭବାନୀପୁର ବସାରେ ପହଞ୍ଚିଲେ, କିନ୍ତୁ ଘଣ୍ଟାରେ ୪୫ ମାଇଲ ବେଗଟା ଏପର୍ଯ୍ୟନ୍ତ ରକ୍ତରୁ କମି ନାହିଁ । ସଂସାରର ସମସ୍ତ ଦାବୀ, ସମସ୍ତ ଲଜ୍ଜା ଓ ଭୟ ଏଇ ବେଗ ଆଗରେ ବିଲୁପ୍ତ ହୋଇଗଲା ।

 

ଏଇ କେତେଦିନ ଶଶାଙ୍କର ସବୁ କାମ ଆଉଳାବାଉଳା ହୋଇଗଲା । ଏପରି କରି ଭଲ ହେଉ ନାହିଁ ବୋଲି ସେ ବେଶ୍ ମନେ ମନେ ବୁଝିପାରୁଛି । କାର୍ଯ୍ୟରେ ଖୁବ୍ ଗୁରୁତର କ୍ଷତି ହୋଇଯିବା ମଧ୍ୟ ଅସମ୍ଭବ ନୁହେଁ । ରାତିରେ ବିଛଣାରେ ପଡ଼ି ସେ ନାନା ଦୁର୍ଭାବନା ଦ୍ୱାରା ଦୁଃସମ୍ଭାବନାକୁ ବଡ଼ ବଡ଼ କରି ଦେଖେ । କିନ୍ତୁ ତା’ ଆରଦିନ ପୁଣି ସ୍ଵାଧିକାରପ୍ରମତ୍ତ ହୋଇପଡ଼େ, ଠିକ୍ ମେଘଦୂତର ଯକ୍ଷପରି । ଯିଏ ଥରେ ମଦଖାଏ, ତଜ୍ଜନିତ ପରିତାପକୁ ଘୋଡ଼ାଇବାକୁ ଯାଇ ତାକୁ ପୁଣି ମଦ ଖାଇବାକୁ ପଡ଼େ ।

Image

 

ଶଶାଙ୍କ

 

ଏମିତି କିଛିଦିନ କଟିଗଲା । ଆଖି ନିଶାରେ ଝିମେଇ ଆସିଲା, ମନ କ୍ରମଶଃ ଆବିଳ ହୋଇ ଉଠିଲା ।

 

ନିଜକୁ ପରିଷ୍କାର କରି ବୁଝିବାକୁ ଉର୍ମିର ଅନେକ ସମୟ ଲାଗିଲା, କିନ୍ତୁ ଦିନେ ହଠାତ୍ ଯେପରି ଚମକି ଉଠି ସେ ସବୁ ବୁଝି ପାରିଲା ।

 

ମଥୁର ଭାଇଙ୍କୁ ସେ ଭାରି ଭୟ କରେ, ତାଙ୍କ ପାଖରୁ ଦୂରଛଡ଼ା ହୋଇ ରହିବାକୁ ସେ ସବୁବେଳେ ଚେଷ୍ଟା କରେ । ସେଦିନ ସକାଳେ ମଥୁର ଭଉଣୀ ଘରକୁ ଆସି ଦି’ପହର ପର୍ଯ୍ୟନ୍ତ କ’ଣ ସବୁ କଥାବାର୍ତ୍ତା ହୋଇଗଲେ ।

 

ତା'ପରେ ଭଉଣୀ ପାଖରୁ ଡାକରା ଆସିଲା । ମୁଖ କଠୋର ଅଥଚ ଶାନ୍ତ । କହିଲା, “ଜାଣୁ ଉର୍ମି, ପ୍ରତିଦିନ ତାଙ୍କ କାମରେ ବ୍ୟାଘାତ ଘଟାଇ ତୁ କି କାଣ୍ଡ କରିବସିଚୁ ?”

 

ଉର୍ମିକୁ ଭାରି ଡର ମାଡ଼ିଲା । ପଚାରିଲା, “କଣ ହୋଇଚି ଅପା ?”

 

ଶର୍ମିଳା ଉତ୍ତର ଦେଲା, “ମଥୁରଭାଇ କହିଗଲେ, ଏଇ କେତେଦିନ ହେଲା ତୋର ଭିଣୋଇ ଆଦୌ କାମ ଦେଖିବାକୁ ଯାଇନାହାନ୍ତି । ଜହରଲାଲ ଉପରେ କାମ ଜିମା ଦେଇ ଆସିଥିଲେ ଯେ ସେ ସ୍ଵଇଚ୍ଛାରେ ହାତସଫେଇ କରି ମାଲମସଲା ଚୋରି କରିଛି, ବଡ଼ ବଡ଼ ଗୋଦାମଘରର ଛାତଗୁଡ଼ାକରେ ବଡ଼ ଖଇଚା କାମ ହୋଇଚି; ସେଦିନ ବର୍ଷା ହୋଇ ସବୁ ଧରା ପଡ଼ିଯାଇଚି । ମାଲ ଗୁଡ଼ାକ ନଷ୍ଟ ହୋଇ ଯାଉଛି । ଆମ କମ୍ପାନୀର ଆଗରୁ ଭଲ ନାଁ ଅଛି, ତେଣୁ ସେମାନେ ପରୀକ୍ଷା କରି ନାହାନ୍ତି । ବର୍ତ୍ତମାନ ସମସ୍ତ ଅଖ୍ୟାତି ଓ ଲୋକସାନର କଳଙ୍କ ଆସି ମୁଣ୍ଡଉପରେ ଜମା ହେଲାଣି । ମଥୁରଭାଇ ବ୍ୟବସାୟରୁ ଅଲଗା ହୋଇଯିବେ ।”

 

ଉର୍ମିର ଛାତି ଧକ୍ ଧକ୍ କରି ଉଠିଲା, ମୁହଁ ପାଉଁଶ ପରି ଶେତା ପଡ଼ିଗଲା । ଏକ ମୁହୂର୍ତ୍ତରେ ବିଜୁଳି ଆଲୁଅରେ ଯେପରି ତା’ର ଆପଣା ମନର ପ୍ରଚ୍ଛନ୍ନ ରହସ୍ୟ ପ୍ରକାଶ ପାଇଲା । ସେ ସ୍ପଷ୍ଟ ବୁଝିପାରିଲା ଯେ ଅଜ୍ଞାତସାରରେ ତା’ର ମନ ଭିତରଟା ମାତାଲ ହୋଇ ପଡ଼ିଥିଲା, ଭଲ ମନ୍ଦ କିଛି ବିଚାର କରିବାକୁ ତାର ବଳ ରହିଲା ନାହିଁ । ସତେ ଯେପରି ଶଶାଙ୍କର କାମଟା ତା’ର ଏକମାତ୍ର ପ୍ରତିଯୋଗୀ ଥିଲା, ତେଣୁ ତାକୁଇ ନେଇ ସବୁପ୍ରକାର ଆକଟ କରିବାକୁ ସେ ଏତେ ଉଚ୍ଛନ୍ନ ହୋଇପଡ଼ିଥିଲା । ଶଶାଙ୍କକୁ ସମସ୍ତ କାର୍ଯ୍ୟରୁ ଅପସରାଇ ନେଇ ତାକୁ ସର୍ବଦା ସମ୍ପୂର୍ଣ୍ଣ ନିକଟରେ ପାଇବାକୁ ଉର୍ମିର ମନ ଯେପରି ସବୁବେଳେ ଛଟପଟ ହେଉଥିଲା । ଦିନେ ଦିନେ ଏପରି ଘଟିଛି,-ହୁଏତ ଶଶାଙ୍କ ଗାଧୋଉଥିବା ବେଳେ କାମସଂକ୍ରାନ୍ତୀୟ କୌଣସି ଖବର ନେଇ ଲୋକ ଦେଖା କରିବାକୁ ଆସିଚି, ‘ବର୍ତ୍ତମାନ ଦେଖା ହୋଇ ପାରିବ ନାହିଁ’ ବୋଲି ଖବର ଦେଇ ଉର୍ମି ଲୋକକୁ ଫେରାଇ ଦେଇଛି ।

 

ମତଲବଟା ହେଉଛି କାଳେ ଗାଧୋଇସାରିବା ମାତ୍ରକେ ଶଶାଙ୍କ ଆଉ ଅବକାଶ ପାଇବ ନାହିଁ, କାଳେ ସେ ସଙ୍ଗେ ସଙ୍ଗେ କାମରେ ଜଡ଼ିତ ହୋଇପଡ଼େ, ତା’ହେଲେ ଉର୍ମିର ଦିନଟା ବ୍ୟର୍ଥ ହୋଇଯିବ । ସେଇ ଦିନଗୁଡ଼ାକର ଦୁରନ୍ତ ନିଶାର ସାଂଘାତିକ ଛବିଗୁଡ଼ାକ ହଠାତ୍ ତା’ର ଆଖିଆଗରେ ନାଚିଗଲା । ତତ୍‌କ୍ଷଣାତ୍ ସେ ଭଉଣୀର ଗୋଡ଼ତଳେ ପଡ଼ି ରୁଦ୍ଧପ୍ରାୟ କଣ୍ଠରେ କହିବାକୁ ଲାଗିଲା, “ମୋତେ ତୋ ଘରୁ ବାହାର କରିଦେ ଅପା ! ବର୍ତ୍ତମାନ ମୋତେ ବାହାର କରି ଦେ !”

 

ଶର୍ମିଳା ପଣ କରିଥିଲା କୌଣସିମତେ ଆଜି ସେ ଉର୍ମିକୁ କ୍ଷମା କରି ପାରିବ ନାହିଁ । କିନ୍ତୁ ତା’ର ମନଟା ତରଳିଗଲା ।

 

ଧୀରେ ଧୀରେ ଉର୍ମିର ମୁଣ୍ଡରେ ହାତ ବୁଲାଉ ବୁଲାଉ ସେ କହିଲା, ତୁ ସେଥିଲାଗି ଚିନ୍ତା କରନା ଉର୍ମି । ଯାହା ହେବାର ଗୋଟାଏ କିଛି କରାଯିବ ।

 

ଉର୍ମି ଉଠି ବସିଲା । ତୁମର କ୍ଷତି କାହିଁକି ହେବ ଅପା ! ମୋର ତ ଟଙ୍କା ରହିଛି ।

 

ଶର୍ମିଳା କହିଲା, “ପାଗଳ ହେଲୁ ? ଭାବିଚୁ ମୋର ଆଉ କିଛି ନାହିଁ ବୋଲି ? ମଥୁରଭାଇଙ୍କୁ କହିଛି ସେ ଯେପରି ଏ କଥା ନେଇ କୌଣସି ପାଟିତୁଣ୍ଡ ନ କରନ୍ତି । କ୍ଷତିଟା ମୁଁ ପୂରଣ କରିଦେବି । ହଁ, ତୋତେ କହି ରଖୁଚି, ମୁଁ ଯେ ଏ ବିଷୟରେ କୌଣସି କଥା ଜାଣିଛି, ଏ ବିଷୟରେ ତୋର ଭିଣୋଇ ଯେପରି କିଛି ଟେର ନ ପା’ନ୍ତି ।

 

"ମତେ କ୍ଷମାକର ଅପା !” କହୁ କହୁ ଉର୍ମି ପୁଣି ଥରେ ଭଉଣୀର ଗୋଡ଼ଉପରେ ମୁଣ୍ଡ ଲଗାଇଦେଲା ।

 

ଆଖିରୁ ଲୁହ ପୋଛୁ ପୋଛୁ କ୍ଳାନ୍ତ କଣ୍ଠରେ ଶର୍ମିଳା କହିଲା, କିଏ କାହାକୁ କ୍ଷମା କରିବ ଭଉଣୀ ? ସଂସାର ବଡ଼ ଜଟିଳ । ମଣିଷ ଯାହା ଇଚ୍ଛା କରେ, ଏ ସଂସାରରେ ତାହା ହୁଏ ନାହିଁ; ଯାହା ଲାଗି ପ୍ରାଣ ପଣ କରିଥାଏ, ତାହା ଚୁରମାର ହୋଇଯାଏ । ଉର୍ମି ଅପା ପାଖରୁ ଦଣ୍ଡେ ହେଲେ କୁଆଡ଼େ ଛାଡ଼ି ଯାଇପାରେ ନାହିଁ । ଓଷଦ ଦେବା, ଗାଧୁଆ, ଖିଆ, ଶୁଆଇବା ସବୁକାମ ଗୋଟି ଗୋଟି କରି ସେ ନିଜେ କରିଦିଏ । ଏବେ ପୁଣି ସେ ବହିପଢ଼ା ଆରମ୍ଭ କରିଛି, ତାହା ମଧ୍ୟ ସେଇ ଅପାର ବିଛଣା ପାଖରେ ବସି । ନିଜକୁ ଆଉ ସେ ବିଶ୍ୱାସ କରିପାରେ ନାହିଁ, ଶଶାଙ୍କକୁ ମଧ୍ୟ ନୁହେଁ ।

 

ଏହା ଫଳରେ ଶଶାଙ୍କ ବାର ବାର ରୋଗୀ ଘରକୁ ଆସେ । ପୁରୁଷସୁଲଭ ଅନ୍ଧତାବଶତଃ ସେ ବୁଝିପାରେ ନାହିଁ ଯେ ତା’ର ଅସ୍ଥିରତାର ତାତ୍ପର୍ଯ୍ୟଟି ସ୍ତ୍ରୀ ବେଶ୍‌ ବୁଝିପାରିଛି, ବିଚାରୀ ଉର୍ମି ଲାଜରେ ମରୁଛି । ମୋହନବାଗାନ୍‌ର ଖେଳ ଅଛି ବୋଲି କହି ଶଶାଙ୍କ ପ୍ରଲୋଭନ ଦେଖାଏ, କିନ୍ତୁ ସବୁ ବ୍ୟର୍ଥ ହୁଏ । ପେନ୍‌ସିଲ୍‌ ଦାଗ ଦିଆହୋଇଥିବା ଖବରକାଗଜ ଖୋଲି ବିଜ୍ଞାପନରେ ଚାର୍ଲିଚାପ୍‌ଲିନ୍‌ର ନାଁଟା ଦେଖାଏ, କିଛି ଫଳ ହୁଏ ନାହିଁ । ଉର୍ମି ଏପରି ଦୁର୍ଲଭ ନ ଥିଲା ବେଳେ ହୁଏତ ନାନା ବାଧା ସତ୍ତ୍ୱେ ଶଶାଙ୍କ କିଛି କିଛି କାମ କରିବାର ଚେଷ୍ଟା କରୁଥିଲା । କିନ୍ତୁ ବର୍ତ୍ତମାନ ସେତକ ମଧ୍ୟ ଅସମ୍ଭବ ହୋଇ ଉଠିଲା ।

 

ହତଭାଗାର ଏହି ନିରର୍ଥକ ନିପୀଡ଼ନ ଦେଖି ମନରେ ଯେତେ ଦୁଃଖ ହେଲେ ମଧ୍ୟ ଶର୍ମିଳାକୁ ବେଶ୍ ଭଲ ଲାଗୁଥିଲା । କିନ୍ତୁ ଶଶାଙ୍କର ଯନ୍ତ୍ରଣା କ୍ରମେ ପ୍ରବଳ ହୋଇ ଉଠିଲା, ମୁହଁ ଶୁଖିଗଲା, ଆଖିପତା କଳା ପଡ଼ିଗଲା । ତା’ର ଖାଇବା ସମୟରେ ଉର୍ମି ଆଉ ପାଖରେ ବସେ ନାହିଁ; ସେହି କାରଣରୁ ଶଶାଙ୍କର ଖାଇବାର ଉତ୍ସାହ ଓ ପରିମାଣ ଯେ କମି ଯାଉଛି, ତାକୁ ଦେଖିଲା ମାତ୍ରକେ ଏଇ କଥାଟି ପରିଷ୍କାର ଧରା ପଡ଼ିଯାଏ । ସମ୍ପ୍ରତି ଘରେ ରହୁଥିବା ପ୍ରବଳ ଆନନ୍ଦବନ୍ୟାର ସ୍ରୋତ ଯେପରି ହଠାତ୍ ନିଶୁଷ୍କ ହୋଇଯାଉଛି, ଅଥଚ ଆଗର ସେହି ସହଜ ଦିନଯାତ୍ରାଟି ମଧ୍ୟ ନଷ୍ଟ ହୋଇଯାଇଛି ।

 

ଆଗେ ଆପଣା ଚେହେରାର ଚର୍ଚ୍ଚା ବିଷୟରେ ଶଶାଙ୍କ ଖୁବ୍ ଉଦାସୀନ ଥିଲା, ପ୍ରାୟ ନଣ୍ଡା ହେଲା ପରି ଭଣ୍ଡାରୀ ପାଖରେ ସେ ବାଳ କଟାଏ । ତେଣୁ ମୁଣ୍ଡ କୁଣ୍ଡାଇବାର ଆଦୌ ପ୍ରୟୋଜନ ନ ଥାଏ କହିଲେ ଭୁଲ ହେବ ନାହିଁ । ଏଥିଲାଗି ଅନେକ ବାର ବାଗ୍‌-ବିତଣ୍ଡା କରି ଶର୍ମିଳାକୁ ପରାସ୍ତ ହେବାକୁ ପଡ଼ିଛି । କିନ୍ତୁ ଇଦାନୀଂ ଉର୍ମିର ଉଚ୍ଚହାସ୍ୟ-ସଂଯୁକ୍ତ ସଂକ୍ଷିପ୍ତ ଆପତ୍ତି ଆଦୌ ନିଷ୍ଫଳ ହୋଇ ନାହିଁ । ନୂତନ ସଂସ୍କରଣର କେଶୋଦ୍‌ଗମ ସହିତ ସୁଗନ୍ଧ ତୈଳର ସଂଯୋଗସାଧନ ଶଶାଙ୍କର ମୁଣ୍ଡରେ ଏବେ ନୂଆ ହୋଇ ଘଟିଛି । କିନ୍ତୁ ତା’ପରେ ପୁଣି ଆଜିକାଲି କେଶୋନ୍ନତିବିଧାନର ଅନାଦରରୁ ତା’ର ଅନ୍ତର୍ବେଦନା ଜଣାପଡ଼ି ଯାଉଛି । ଏପରିକି ଏ ବିଷୟ ନେଇ ପ୍ରକାଶ୍ୟ ବା ଅପ୍ରକାଶ୍ୟରେ ତୀବ୍ର ହାସ୍ୟ ଆଉ ଚଳିପାରୁ ନାହିଁ । ଏସବୁ ଦେଖି ଶର୍ମିଳାର ଉତ୍କଣ୍ଠା ତା’ର କ୍ଷୋଭକୁ ଅତିକ୍ରମ କରି ଯାଇଛି । ସ୍ୱାମୀପ୍ରତି କରୁଣା ଓ ଆପଣାପ୍ରତି ଧିକ୍‌କାର ଦ୍ୱାରା ତାର ଛାତି ଭିତରଟା ସବୁବେଳେ ଟଣ୍ ଟଣ୍ କରୁଛି, ରୋଗର ଯନ୍ତ୍ରଣା ବଢ଼ିଯାଉଛି ।

 

ମଇଦାନରେ କିଲ୍ଲା ଫଉଜର ଯୁଦ୍ଧ ଖେଳ ହେବ । ଶଶାଙ୍କ ଅତି ସଙ୍କୋଚ ସହିତ ପଚାରିବାକୁ ଆସିଲା, “ଦେଖିବାକୁ ଯିବୁ ଉର୍ମି ? ଭାରି ଭଲ ଜାଗା ମୁଁ ଠିକ୍ କରି ରଖିଛି ।’’

 

‘‘ଊର୍ମି କୌଣସି ଉତ୍ତର ନ ଦେଉଣୁ ଶର୍ମିଳା କହି ଉଠିଲା, “ନିଶ୍ଚୟ ଯିବ । ଟିକିଏ ବାହାରକୁ କୁଆଡ଼େ ବୁଲିଯିବ ବୋଲି ସେ ଭାରି ଛଟ୍‌ପଟ୍‌ ହେଉଛି ।”

 

ପ୍ରଶ୍ରୟ ପାଇ ତା’ର ଦୁଇଦିନ ନ ଯାଉଣୁ ଶଶାଙ୍କ ପଚାରିଲା, “ସର୍କସ’ ଏ ପ୍ରସ୍ତାବରେ ଉର୍ମି ବେଶ୍ ଉତ୍ସାହ ପ୍ରକାଶ କରିଥିଲା । ତାପରେ, “ବୋଟାନିକାଲ ଗାର୍ଡନ୍’ ?

 

ଏଥର ଉର୍ମି ଟିକିଏ କୁଣ୍ଠିତ ହେଲା । ଅପାକୁ ଛାଡ଼ି ବେଶି ସମୟ ବାହାରେ ରହିବାକୁ ତା’ର ମନ ଯେପରି ସମ୍ମତ ହୋଇପାରିଲା ନାହିଁ ।

 

କିନ୍ତୁ ଅପା ସ୍ଵୟଂ ଶଶାଙ୍କର ପକ୍ଷ ଗ୍ରହଣ କଲା । ରାଜ୍ୟଗୋଟାକର ରାଜମିସ୍ତ୍ରୀମାନଙ୍କ ସହିତ ଦି’ ପହରଯାକ ବୁଲି ବୁଲି ଖଟି ଖଟି ମଣିଷଟା ବ୍ୟତିବ୍ୟସ୍ତ ହୋଇପଡ଼ିଲାଣି–ଦିନମାନ କେବଳ ଧୂଳି ମାଟି ଭିତରେ କଟୁଛି । ଟିକିଏ ହାଉଆ ଖାଇ ନ ଆସିଲେ ଶରୀର ଭାଙ୍ଗିପଡ଼ିବ ନାହିଁ ତ ଆଉ କଣ ?

 

ଏହି ଯୁକ୍ତି ଅନୁସାରେ ରାଜଗଞ୍ଜ ପର୍ଯ୍ୟନ୍ତ ଷ୍ଟୀମର୍‌ରେ ଯାଇ ବୁଲି ଆସିବା ଅସଙ୍ଗତ ହେଲା ନାହିଁ ।

 

ଶର୍ମିଳା ମନେ ମନେ ଭାବେ, ଯାହାଲାଗି ସେ ସମସ୍ତ କାମ ବନ୍ଦ କରିବାକୁ ପ୍ରସ୍ତୁତ ଅଛି ତାକୁ ହରାଇ ବସିବା ତା’ର ବଡ଼ ଅସହ୍ୟ ହୋଇପଡ଼ିବ ।

 

ସ୍ପଷ୍ଟକରି ଶଶାଙ୍କକୁ କେହି କିଛି ନ କହିଥିଲେ ମଧ୍ୟ ସେ ଯେପରି ଚାରିଆଡୁ ଗୋଟାଏ ଅବ୍ୟକ୍ତ ସମର୍ଥନ ପାଉଛି । ସେ ଅନୁମାନ କରିନେଇଛି ଯେ ଶର୍ମିଳାର ମନରେ ଆଉ ବିଶେଷ କିଛି ଦୁଃଖ ନାହିଁ, ସେମାନଙ୍କର ଖୁସି ଦେଖିଲେ ହିଁ ତାର ଖୁସି । ଅବଶ୍ୟ ସାଧାରଣ ନାରୀ ପକ୍ଷରେ ଏହା ସମ୍ଭବ ହୋଇ ପାରନ୍ତା ନାହିଁ, କିନ୍ତୁ ଶର୍ମିଳା ଯେ ଅସାଧାରଣ । ଶଶାଙ୍କ ଚାକିରୀ କରୁଥିବାବେଳେ ଜଣେ ଶିଳ୍ପୀ ରଙ୍ଗ ପେନ୍‌ସିଲରେ ଶର୍ମିଳାର ଏକ ଛବି ଆଙ୍କି ଦେଇଥିଲେ । ଆଜିଯାଏ ସେଇଟା ପୋର୍ଟଫୋଲିଓ ଭିତରେ ବନ୍ଧାହୋଇ ପଡ଼ିଥିଲା । ତାକୁ କୌଣସି ବିଲାତି ଦୋକାନରେ ବେଶ୍ ଦାମୀ ଫେସନରେ ବନ୍ଧାଇ ଆଣି ଶଶାଙ୍କ ଅଫିସ ଘରେ ଠିକ୍ ଆଖି ସାମନାରେ ଟଙ୍ଗାଇ ଦେଲା । ଆଗରେ ଥିବା ଫୁଲଦାନୀରେ ମାଳୀ ପ୍ରତିଦିନ ଫୁଲ ସଜାଇ ଦେଇ ଯାଉଥାଏ ।

 

ସୂର୍ଯ୍ୟମୁଖୀ ଫୁଲ କିପରି ଫୁଟିଛି, ବଗିଚାରେ ଦିନେ ସେଇକଥା ଦେଖାଉ ଦେଖାଉ ଶଶାଙ୍କ ଉର୍ମିର ହାତ ଯାବୁଡ଼ି ଧରି କହିଲା, “ମୁଁ ତୋତେ ଭଲ ପାଏ ବୋଲି ତ ନିଶ୍ଚୟ ଜାଣୁ । ଆଉ ତୋ’ର ଭଉଣୀ, ସେ’ତ ଦେବୀ । ତାଙ୍କ ପରି ମୁଁ ଜୀବନରେ ଆଉ କାହାକୁ ଏତେ ଭକ୍ତି କରେ ନାହିଁ-। ସେ ଏ ପୃଥିବୀର ମଣିଷ ନୁହନ୍ତି, ସେ ଆମର ଅନେକ ଉପରେ ।”

 

ଅନେକ ଥର ଉର୍ମିକୁ ଶର୍ମିଳା ପରିଷ୍କାର କରି ବୁଝାଇ ଦେଇଛି ଯେ ସେ ସଂସାରରୁ ଚାଲିଗଲେ କେବଳ ଉର୍ମିହିଁ ତାକୁ ସାନ୍ତ୍ୱନା ଦେଇପାରିବ । ତା’ର ସଂସାରରେ ଅନ୍ୟ ଜଣେ ନାରୀର ଆବିର୍ଭାବ ଶର୍ମିଳା କଳ୍ପନା ହିଁ କରିପାରେ ନାହିଁ, ଅଥଚ ଶଶାଙ୍କର ଯତ୍ନନେବାକୁ କେହି ଜଣେ ନାରୀ ତା’ ପାଖରେ ରହିବ ନାହିଁ, ଏପରି ଏକ ଲକ୍ଷ୍ମୀଛଡ଼ା ଅବସ୍ଥା ଶର୍ମିଳାର ଅସହ୍ୟ ବୋଧହୁଏ । ବ୍ୟବସାୟ ବିଷୟରେ ମଧ୍ୟ ଭଉଣୀ ଉର୍ମିକୁ ସବୁ ବୁଝାଇ ଦେଇଛି; କହିଛି ‘ଭଲପାଇବାରେ ବାଧା ପହଞ୍ଚିଲେ ସେଇ ଆଘାତରେ ଶଶାଙ୍କର କାର୍ଯ୍ୟକ୍ରମ ସବୁ ନଷ୍ଟ ହୋଇଯିବ । କେବଳ ତା’ର ମନ ତୃପ୍ତ ହୋଇପାରିଲେ ପୁଣି ତା’ର କାମରେ ସ୍ୱଭାବତଃ ଶୃଙ୍ଖଳା ସମ୍ଭବ ହୋଇପାରିବ ।’

 

ଶଶାଙ୍କର ମନ ମତୁଆଲା ହୋଇପଡ଼ିଛି । ଯେପରି ସେ ଏକ ଚନ୍ଦ୍ରଲୋକରେ ବାସ କରୁଛି ଯେଉଁଠି ସଂସାରର ସକଳ ଦାୟିତ୍ୱ କେବଳ ସୁଖତନ୍ଦ୍ରାରେ ନିମଗ୍ନ ରହିଛି । ବିଶୁଦ୍ଧ ଖ୍ରୀଷ୍ଟିଆନ୍ ପରି ଆଜିକାଲି ସେ ଅସ୍ଖଳିତ ନିଷ୍ଠାରେ ରବିବାର ପାଳନ କରେ । ଦିନେ ଶର୍ମିଳାକୁ ଯାଇ କହିଲା, ‘ଝୋଟକଳର ସାହେବମାନଙ୍କ ପାଖରୁ ଷ୍ଟିମ୍‌ ଲଞ୍ଚ୍‌ ମିଳିଛି । ଆଜି ରବିବାର, ଭାବିଛି ସକାଳୁ ଉର୍ମିକୁ ନେଇ ଡାୟମଣ୍ଡ୍‌ ହାର୍ବୋର ଯାଏ ଯିବି, ସଞ୍ଜ ବୁଡ଼ିବା ପୂର୍ବରୁ ଫେରିଆସିବି ।’

 

ଶର୍ମିଳାର ଛାତିତଳେ ଶିରାଗୁଡ଼ାକୁ କିଏ ଯେପରି ଟାଣି ମୋଡ଼ି ପକାଇଲା, ବେଦନାରେ କପାଳର ଚମଡ଼ା କୁଞ୍ଚିତ ହୋଇ ଉଠିଲା । ଶଶାଙ୍କ ତାହା ଲକ୍ଷ୍ୟ କରି ନାହିଁ । ଶର୍ମିଳା କେବଳ ଗୋଟିଏ କଥା ପଚାରିଲା; ‘‘ଖାଇବା ପିଇବା କିପରି ହେବ ?” ଶଶାଙ୍କ ଉତ୍ତର ଦେଲା, “ହୋଟେଲରେ ଠିକ୍‌ କରି ରଖିଛି ।”

 

ଏକଦା ଏହିସବୁ ଠିକ୍ କରିବାର ଦାୟିତ୍ୱ ଶର୍ମିଳା ଉପରେହିଁ ନ୍ୟସ୍ତ ଥିଲା, ଶଶାଙ୍କ ଥିଲା ସେତେବେଳେ ବଡ଼ ଉଦାସୀନ । ଆଜି ସବୁ ଓଲଟିଗଲା ।

 

‘ଆଚ୍ଛା, ଯାଅ’ ଶର୍ମିଳା ଏତିକି କହିବା ମାତ୍ରକେ ମୁହୂର୍ତ୍ତେ ଅପେକ୍ଷା ନ କରି ଶଶାଙ୍କ ଛୁ’ କରି ପଳାଇଲା । ଶର୍ମିଳାର ଚିତ୍କାର କରି କାନ୍ଦିବାକୁ ମନହେଲା । ତକିଆ ଉପରେ ମୁହଁମାଡ଼ି ଦେଇ ବାର ବାର ସେ କହିବାକୁ ଲାଗିଲା ‘‘ମୁଁ କାହିଁକି ବଞ୍ଚିଛି, କେଜାଣି ?”

 

କାଲି ରବିବାର ଦିନ ସେମାନଙ୍କ ବିବାହର ସାମ୍ବତ୍ସରିକ ଦିବସ । ଆଜିଯାଏ ଏହି ଅନୁଷ୍ଠାନଟିରେ କୌଣସି ବ୍ୟତିକ୍ରମ ଘଟିନାହିଁ । ଏଥର ମଧ୍ୟ ସ୍ୱାମୀକୁ କିଛି ନ କହି ସେ ବିଛଣାରେ ପଡ଼ି ମଧ୍ୟ ସବୁ ଆୟୋଜନ କରି ରଖିଥିଲା । ବେଶୀ କିଛି ନୁହେଁ, ବିବାହ ଦିନ ଶଶାଙ୍କ ଯେଉଁ ଲାଲରଙ୍ଗର ବନାରସ ଯୋଡ଼ ପିନ୍ଧିଥିଲା, ସେଇଟିକୁ ତାକୁ ପିନ୍ଧାଇବ, ଆପେ ବାହାଘର ଖଣ୍ଡୁଆ ପକାଇବ, ସ୍ଵାମୀ ବେକରେ ମାଳା ଦେଇ ନିଜ ଆଗରେ ତାକୁ ଖୁଆଇ ବସାଇବ, ଧୂପବତୀ ଜଳିବ, ଆରଘରେ ଗ୍ରାମୋଫୋନ ରେକର୍ଡରେ ମହୁରୀ ବାଜୁଥିବ । ଅନ୍ୟ ବରଷ ତାକୁ ଆଗରୁ କିଛି ନ କହି ଶଶାଙ୍କ ତା’ଲାଗି କୌଣସି ସୌକିନ୍ ଜିନିଷ କିଣି ଆଣେ । ଶର୍ମିଳା ଭାବିଥିଲା, ଏବର୍ଷ ମଧ୍ୟ ନିଶ୍ଚୟ ସେହିପରି କିଛି ଜିନିଷ ସେ ପାଇବ, କାଲି ସେସବୁ ଜାଣିପାରିବ ।

 

ଆଜି ସେ କିଛି ସହ୍ୟ କରିପାରିଲା ନାହିଁ । ଘରେ କେହି ନାହାନ୍ତି, କେବଳ ବେଳେ ବେଳେ ସେ ଚିତ୍କାର କରିଉଠୁଛି, ‘ମିଥ୍ୟା, ମିଥ୍ୟା, ମିଥ୍ୟା, କି ଲାଭ ଅଛି ଏଇ ଖେଳ ଖେଳି ?

 

ରାତିରେ ଆଉ ନିଦ ହେଲା ନାହିଁ । ସକାଳେ ଦୁଆର ପାଖରୁ ମଟରଗାଡ଼ି ଚାଲିଯିବାର ଶବ୍ଦ ଶୁଣିପାରିଲା । ଶର୍ମିଳା ହଠାତ୍ କାନ୍ଦି ପକାଇ କହିଲା, ‘ହେ ଭଗବାନ, ତୁମେ ବି କେବଳ ମିଥ୍ୟା !’

 

ରୋଗଟା ମଧ୍ୟ ସେହିଦିନଠାରୁ ବଢ଼ିବାକୁ ଲାଗିଲା । ଅତି ପ୍ରବଳ ହୋଇ ପଡ଼ିବାରୁ ଦିନେ ଶର୍ମିଳା ସ୍ଵାମୀଙ୍କୁ ଡାକି ପଠାଇଲା । ସେତେବେଳକୁ ସଞ୍ଜ ବୁଡ଼ିଗଲାଣି, ଘରେ କ୍ଷୀଣ ଆଲୋକ ପଡ଼ିଛି, ଶର୍ମିଳା ନର୍ସକୁ ଚାଲିଯିବାକୁ ସଙ୍କେତ ଦେଲା । ସ୍ଵାମୀଙ୍କୁ ପାଖରେ ବସାଇ ହାତଧରି କହିଲା, ‘ଭଗବାନଙ୍କଠାରୁ ଜୀବନରେ କେବଳ ବରରୂପେ ତୁମକୁ ପାଇଥିଲି, ସେଥିଲାଗି ଯୋଗ୍ୟ ଶକ୍ତି ସେ ମୋତେ ଦେଇ ନାହାନ୍ତି । ମୋର ଯଥାସାଧ୍ୟ ମୁଁ କରିଛି । ଅନେକ ତ୍ରୁଟି ହୋଇଛି, ମତେ କ୍ଷମା କର ।’

 

ଶଶାଙ୍କ କଣ କହିବାକୁ ଯାଉଥିଲା, ବାଧାଦେଇ ଶର୍ମିଳା କହିଲା,‘ନା–କିଛି କହ ନାହିଁ ବର୍ତ୍ତମାନ । ଉର୍ମିକୁ ତୁମ ହାତରେ ଦେଇଗଲି । ଆପଣାର ଭଉଣୀ ସେ । ତା’ ମଧ୍ୟରେ ତୁମେ ମୋତେହିଁ ପାଇବ, ମୋ'ଠାରୁ ନ ପାଇଥିବା ଆହୁରି ଅନେକ ବେଶୀ ମଧ୍ୟ ତା’ଠାରୁ ପାଇବ । ନା, ତୁମେ ଚୁପ୍‌ ରହ, କିଛି କହ ନାହିଁ । ତୁମକୁ ସୁଖୀ କରି ପାରିଲି, ଏହାରି ଦ୍ୱାରାହିଁ ମରିବାବେଳେ ମୋର ସୌଭାଗ୍ୟ ପୂର୍ଣ୍ଣ ହେଲା ।’

ବାହାରୁ ନର୍ସ ଡାକି କହିଲା, ‘ଡାକ୍ତରବାବୁ ଆସିଛନ୍ତି ।’

ଶର୍ମିଳା କହିଲା, ଡାକି ଦିଅ ।

କଥାଟା ସେଇଠି ବନ୍ଦ ରହିଗଲା ।

ଯେତେ ରକମର ଅଶାସ୍ତ୍ରୀୟ ଚିକିତ୍ସା ସଂସାରରେ ଅଛି, ସେସବୁ ସନ୍ଧାନକରି ବୁଲିବାରେ ଶର୍ମିଳାର ମାମୁଁ ବଡ଼ ଉତ୍ସାହୀ । ସମ୍ପ୍ରତି ଜଣେ ସନ୍ୟାସୀଙ୍କର ସେବାରେ ସେ ନିଯୁକ୍ତ ଅଛନ୍ତି । ଯେତେବେଳେ ଡାକ୍ତରମାନେ ଶର୍ମିଳା ଉପରୁ ଆଶା ଛାଡ଼ି ବସିଲେ, ସେତେବେଳେ ସେ ଆସି ହିମାଳୟ-ଫେରନ୍ତା ବାବାଜୀଙ୍କର ଔଷଧ ପରୀକ୍ଷା କରିବାକୁ ଜିଦ୍ ଲଗାଇଲେ । କେଉଁ ତିବ୍‌ବତୀ ଚେରର ଗୁଣ୍ଡ ଆଉ ପ୍ରଚୁର ଦୁଧ, ଏଇ ହେଲା ଔଷଧ ।

ଶଶାଙ୍କ ମୋଟେ ଏହି ଜଡ଼ିବୁଟି ପ୍ରୟୋଗ ସହ୍ୟ କରିପାରେ ନାହିଁ । ତାର ଏଥିରେ ବଡ଼ ଆପତ୍ତି । ଶର୍ମିଳା ବୁଝାଇ କହିଲା, ‘‘କିଛି ଫଳ ତ ହେବ ନାହିଁ, ଅନ୍ତତଃ ମାମୁଙ୍କର ମନବୋଧ ହେବ-।”

କିନ୍ତୁ ପ୍ରକୃତରେ ଫଳ ଫଳିଲା । ନିଶ୍ୱାସ ମାରିବାରେ ଆଉ ଆଗପରି କଷ୍ଟ ହେଲା ନାହିଁ-। ରକ୍ତ ମଧ୍ୟ ବନ୍ଦ ହୋଇଗଲା ।

ଏମିତି ସାତ ଦିନ ଗଲା, ପନ୍ଦର ଦିନ ଗଲା, ଶର୍ମିଳା ସୁସ୍ଥ ହୋଇ ଉଠିଲା । ଡାକ୍ତର କହିଲେ, ମୃତ୍ୟୁର ଧକ୍‌କାରେ ଅନେକ ସମୟରେ ଶରୀର ଏହିପରି ହୋଇଉଠେ ଓ ଶେଷ ଧକ୍‌କାରେ ନିଜେ ନିଜକୁ ଜୀଆଇ ଉଠାଏ ।

ଶର୍ମିଳା ଜୀଇ ଉଠିଲା । ଭାବିଲା, “କି ବିପଦ ! ଶେଷକୁ କଣ ବଞ୍ଚି ଉଠିବାଟା ମରିବାଠାରୁ ବଡ଼ ମୁଦେଇ ହୋଇ ଠିଆ ହେବ ?” ତେଣେ ଉର୍ମି ଜିନିଷପତ୍ର ବାନ୍ଧିବାରେ ଲାଗିଛି । ଏଇଠି ତା’ର ପାଳି ଶେଷ ହେଲା ।

ଶର୍ମିଳା ଆସି କହିଲା, “ତୁ ଯାଇପାରିବୁ ନାହିଁ ।”

“ତାର ଅର୍ଥ ?’’

‘‘ହିନ୍ଦୁ ସମାଜରେ କଣ ଭଉଣୀର ସଉତୁଣୀ ହୋଇ କୌଣସି ସ୍ତ୍ରୀ ଘର କରିନାହିଁ ?”

‘‘ଛି !”

‘‘ଲୋକନିନ୍ଦା ହେବ ବୋଲି ଭାବୁଛୁ ? ବିଧାତାର ବିଧାନଠାରୁ କଣ ଲୋକଙ୍କର ମୁହଁର କଥାଟା ବଡ଼ ହୋଇଯିବ ?’’

ଶଶାଙ୍କକୁ ଡାକି କହିଲା, “ଚାଲ, ଆମେ ନେପାଳ ଚାଲିଯିବା । ସେଠାକାର ରାଜଦରବାରରେ ତୁମର ଚାକିରୀ ପାଇବାର କଥା ଥିଲା, ଚେଷ୍ଟା କଲେ ନିଶ୍ଚୟ ମିଳିବ । ସେ ଦେଶକୁ ଗଲେ ଆଉ କୌଣସି କଥା ଶୁଣିବାକୁ ପଡ଼ିବ ନାହିଁ ।”

କାହାକୁ କୌଣସି ପ୍ରକାର ଦ୍ଵିଧା କରିବା ଲାଗି ଶର୍ମିଳା ଆଦୌ ଅବକାଶ ଦେଲା ନାହିଁ । ଯିବାର ଆୟୋଜନ ଆରମ୍ଭ ହୋଇଗଲା । ତଥାପି ଉର୍ମି ବଡ଼ ବିମର୍ଷ ମନରେ ଏ କଣ ସେ କଣ ଲୁଚି ବୁଲୁଥାଏ ।

 

ଶଶାଙ୍କ ତାକୁ ଡାକି କହିଲା, “ତୁ ମୋତେ ଛାଡ଼ି ଚାଲିଗଲେ ମୋ ଦଶା ଯେ କଣ ହେବ, ସେ କଥା ଭାବି ଦେଖିଛୁ ଉର୍ମି ?’’

 

ଉର୍ମି ଉତ୍ତର ଦେଲା, “ମତେ କିଛି ଭାବି ଆସେ ନାହିଁ । ତୁମେ ଦୁଇଜଣ ଯାହା ଠିକ୍‌ କରିବ, ମୋର ସେଇଥିରେ ରାଜି ।”

 

ସବୁ ବନ୍ଧାବନ୍ଧି ସଜାସଜିରେ କିଛିଦିନ ଗଲା । ସମୟ ଅତି ପାଖେଇ ଆସିଲା । ଉର୍ମି ହଠାତ୍ କହିଲା, “ଆଉ ସାତଟା ଦିନ ଅପେକ୍ଷା କରିବାକୁ ହେବ । ଦାଦିଙ୍କ ସାଙ୍ଗରେ ସବୁ କଥାବାର୍ତ୍ତା କରି ଆସେ ।”

 

ଉର୍ମି ଚାଲିଗଲା ।

 

ଏତିକିବେଳେ ମୁହଁ ଲଦି ମଥୁର ଆସି ଶର୍ମିଳା ପାଖରେ ପହଞ୍ଚିଲା । କହିଲା, ‘‘ଉଚିତ ବେଳରେ ତୁମେ ସବୁ ଚାଲିଯାଉଛ । ସେଦିନ ତୋ’ ସହିତ କଥାବାର୍ତ୍ତା ହେବା ପରେ ମୁଁ ଶଶାଙ୍କ ସହିତ କାମର ବଣ୍ଟୁଆରା କରି ଦେଇଥିଲି । ଲାଭ କ୍ଷତି ହେଲେ ଆଉ ମୋତେ ତା ସହିତ ଭାଗୀଦାର ହେବାକୁ ପଡ଼ିବ ନାହିଁ । କାମ ବନ୍ଦ କରିଦେବା ଉଦ୍ଦେଶ୍ୟରେ ଏଇ କେତେ ଦିନ ହେଲା ଶଶାଙ୍କ ସମସ୍ତ ହିସାବ ବୁଝି ନେଉଥିଲା । ଦେଖାଗଲା ଯେ ତାର ଟଙ୍କା ସମୁଦାୟ ବୁଡ଼ି ସାରିଲାଣି-। ତା ଉପରେ ମଧ୍ୟ ଯେଉଁ କରଜ ହୋଇଚି ସେଥିଲାଗି ବୋଧହୁଏ କୋଠା ବିକ୍ରୀ କରିବାକୁ ପଡ଼ିବ-।”

 

ଶର୍ମିଳା ପଚାରିଲା, “ଏତେଦୂର ସର୍ବନାଶ ହୋଇଯାଇଛି, ସେ କିଛି ଜାଣି ପାରି ନାହାନ୍ତି-?” ମଥୁର ଉତ୍ତର ଦେଲେ “ସର୍ବନାଶ ଠିକ୍ ବଜ୍ର ପଡ଼ିଲା ପରି ଆସେ, ଆସିବାର ପୂର୍ବ ମୁହୁର୍ତ୍ତ ପର୍ଯ୍ୟନ୍ତ ତା’ର କୌଣସି ଇଙ୍ଗିତ ମିଳେ ନାହିଁ । ଆପଣାର କ୍ଷତି ହେଉଛି ବୋଲି ଶଶାଙ୍କ ଆଗରୁ ଜାଣିଥିଲା । ସେତେବେଳେ ଇଚ୍ଛା କରିଥିଲେ ସହଜରେ ସବୁ ସମ୍ଭାଳି ନେଇପାରିଥାନ୍ତା । କିନ୍ତୁ ତା ମୁଣ୍ଡରେ ଦୁର୍ବୁଦ୍ଧି ଆସି ଘୋଟିଲା, ବ୍ୟବସାୟର ଦୋଷଟାକୁ ଶୀଘ୍ର ସୁଧାରି ନେବାର ମତଲବରେ ମୋତେ କିଛି ନ ଜଣାଇ ପଥରକୋଇଲାର ବଜାରରେ ଖେଳ ଆରମ୍ଭ କରିଦେଲା । ଚଢ଼ାବଜାରରେ କିଣିଥିବା କୋଇଲାକୁ ଶସ୍ତା ବଜାରରେ ବିକିବାକୁ ପଡ଼ିଲା । ହଠାତ୍ ଆଜି ଦେଖିଲା ଯେ ଭୂତପରି ସବୁ କୁଆଡ଼େ ଉଡ଼ି ପଳାଇଛି, କେବଳ ପାଉଁଶ ପଡ଼ିଛି । ଏଥର ଭଗବାନଙ୍କ କୃପାରୁ ନେପାଳରେ କାମ ମିଳିଗଲେ ତୁମମାନଙ୍କର କୌଣସି କଷ୍ଟ ପଡ଼ିବ ନାହିଁ ।”

 

ଦୈନ୍ୟକୁ ଶର୍ମିଳା ଭୟ କରେ ନାହିଁ । ବରଂ ସେ ଭଲ କରି ଜାଣେ ଯେ ଅଭାବ ବେଳ ଆସିଲେ ସ୍ଵାମୀର ସଂସାରରେ ତାର ସ୍ଥାନ ଆହୁରି ଉଚ୍ଚକୁ ଉଠିଯିବ । ଦାରିଦ୍ର୍ୟର କଠୋରତାକୁ ମୃଦୂ କରି ଆଣି ସଂସାର ଚଳାଇ ପାରିବା ଲାଗି ତାର ଯଥେଷ୍ଟ ବିଶ୍ୱାସ ରହିଛି । ବିଶେଷତଃ ହାତରେ ଥିବା ଗହଣା ଗୁଡ଼ାକରେ ତ ଦିନା କେତେ ଦୁଃଖକୁ ଏଡ଼ାଇ ଦିଆଯାଇ ପାରିବ । ଉର୍ମି ସହିତ ବିବାହ ହେଲେ ସ୍ଵାମୀ ଯେ ତା’ର ସମ୍ପତ୍ତିର ମଧ୍ୟ ଅଧିକାରୀ ହେବ, ସଙ୍କୋଚର ସହିତ ଏ କଥାଟା ମଧ୍ୟ ସେ ବେଳେ ବେଳେ ଭାବିଛି । କିନ୍ତୁ ଖାଲି ଜୀବନଯାତ୍ରା ତ ଯଥେଷ୍ଟ ନୁହେଁ । ଆଜିଯାଏ ଆପଣା ଶକ୍ତିରେ ଆପଣା ହାତରେ ସ୍ଵାମୀ ଯେଉଁ ସମ୍ପଦ ଗଢ଼ି ପାରିଥିଲା, ଯାହାର ବୁଦ୍ଧି କାମନା କରି ନିଜ ହୃଦୟର ଅନେକ ପ୍ରବଳ ଦାବୀକୁ ଶର୍ମିଳା ଇଚ୍ଛା କରି ଅବରୁଦ୍ଧ କରି ରଖିଥିଲା, ଉଭୟଙ୍କର ସମ୍ମିଳିତ ଜୀବନର ସେହି ମୂର୍ତ୍ତିମାନ ଆଶା ଆଜି ମରୀଚିକା ପରି ମିଳାଇଗଲା । ଏହି ଅଗୌରବର କଥାଟା ଶର୍ମିଳାକୁ ଯେପରି ମାଟିରେ ମିଶାଇଦେଲା । ମନେ ମନେ ଭାବିଲା, ସେତେବେଳେ ମରିଯାଇଥିଲେ ଅନ୍ତତଃ ଏହି ଧିକ୍କାରଟା ସହିବାକୁ ପଡ଼ି ନଥାନ୍ତା । ଭାଗ୍ୟରେ ଯାହା ଘଟିବାର କଥା, ତାହା ତ ଘଟିଗଲା; କିନ୍ତୁ ଦୈନ୍ୟ ଓ ଅପମାନଜନିତ ଏହି ନିଦାରୁଣ ଶୂନ୍ୟତା କଣ ଭବିଷ୍ୟତରେ ସ୍ଵାମୀ ମନରେ କେବେ ପରିତାପ ଆଣି ଦେବ ନାହିଁ ? ଯାହାର ମୋହରେ ପଡ଼ି ସ୍ୱାମୀର ଏହି ଦୁର୍ଦ୍ଦଶା ଘଟିଲା ହୁଏତ ଦିନେ ସେ ତାକୁ ଆଉ କ୍ଷମା ଦେଇ ପାରିବେ ନାହିଁ, ତାର ହାତରେ ବାଢିଲା ଭାତ ତାଙ୍କୁ ବିଷ ପରି ଲାଗିବ ! ସେଦିନ ଅବଶ୍ୟ ନିଜର ମାତଲାମୀ ସକାଶେ ସେ ନିଜେ ଲଜ୍ଜିତ ହେବେ, କିନ୍ତୁ ଦୋଷ ଦେବେ ମାତଲାମୀ ଘଟାଇଥିବା ମଦକୁ । ଯଦି ଶେଷରେ ଉର୍ମିର ସମ୍ପତ୍ତି ଉପରେ ନିର୍ଭର କରିବା ଅତ୍ୟାବଶ୍ୟକ ହୋଇପଡ଼ିବ, ତେବେ ସେହି ଆତ୍ମାବମାନନାର କ୍ଷୋଭଦ୍ୱାରା ସେ ଉର୍ମିକୁ ପ୍ରତିମୁହୂର୍ତ୍ତରେ ପୋଡ଼ାଇ ମାରିବେ ।

 

ଏଣେ ମଥୁର ସହିତ ସମସ୍ତ ହିସାବ ଛିଣ୍ଡାଇଲାବେଳେ ଶଶାଙ୍କ ଜାଣି ପାରିଛି ଯେ ଶର୍ମିଳାର ସମସ୍ତ ଟଙ୍କା ତା’ର ବ୍ୟବସାୟରେ ବୁଡ଼ିଯାଇଛି । ଏ ଖବର ଏତେଦିନ ଶର୍ମିଳା ଲୁଚାଇ ରଖିଛି, ମଥୁର ସହିତ ଗୋଟାଏ ଆପୋଷ ବୁଝାମଣା କରିନେଇଛି ।

 

ଶଶାଙ୍କ ଭାବିବାକୁ ଲାଗିଲା, ଚାକିରୀ ଛାଡ଼ି ଦିନେ ସେ ଶର୍ମିଳାର ଟଙ୍କା ଧାରିନେଇ ବ୍ୟବସାୟ ଖୋଲିଥିଲା । ଆଜି ବ୍ୟବସାୟ ନଷ୍ଟ ହୋଇଯିବା ପରେ ମୁଣ୍ଡରେ ଋଣର ବୋଝ ଲଦି ସେ ପୁଣି ଚାକିରୀ କରିବାକୁ ଯାଉଛି । ଆଉ ଏ ଋଣ ସୁଝି ହେବ ନାହିଁ । ଚାକିରୀର ଟଙ୍କାରେ ଋଣ ଶୋଧ କରିବାର ବାଟ କାହିଁ !

 

ନେପାଳ ଯିବାକୁ ଆଉ ପ୍ରାୟ ଦଶଦିନ ବାକି । ସାରାରାତି ଶଶାଙ୍କର ଆଖି କଷା ପଡ଼ିନାହିଁ । ସକାଳୁ ଧଡ଼ପଡ଼ ହୋଇ ବିଛଣାରୁ ଉଠି ଆରସି-ଟେବୁଲ ଉପରେ ହାତ କଚାଡ଼ି ଶଶାଙ୍କ ଚିତ୍କାର କରି ଉଠିଲା “ନା ନେପାଳ ଯିବି ନାହିଁ ।” ଦୃଢ଼ପଣ କଲା, ‘‘ଆମେ ଦୁଇଜଣ ଉର୍ମିକୁ ନେଇ କଲିକତାରେ ରହିବୁ, ଭ୍ରୂକୁଟି-କୁଟିଳ ସମାଜର କ୍ରୂର ଦୃଷ୍ଟିର ସମ୍ମୁଖରେ । ଏଇ କଲିକତାରେ ଭଙ୍ଗା ବ୍ୟବସାୟକୁ ମୁଁ ପୁଣି ସଚଳ କରି ଉଠାଇବି ।”

 

କଣ କଣ ସାଙ୍ଗରେ ଯିବ, କଣ କଣ ରହିବ, ବସି ବସି ଶର୍ମିଳା ତାରି ଗୋଟାଏ ଚିଠା କରୁଥିଲା । ହଠାତ୍ ଡାକ ଆସିଲା, ‘ଶର୍ମଳା, ଶର୍ମିଳା !’ ଖାତା ଫୋପାଡ଼ି ଦେଇ ସେ ଶୀଘ୍ର ସ୍ୱାମୀ ପାଖକୁ ଦଉଡ଼ିଗଲା । ଅକସ୍ମାତ୍ ଅନିଷ୍ଟର ଆଶଙ୍କା କରି କମ୍ପିତ ହୃଦୟରେ ପଚାରିଲା, “କଣ ହେଲା କି ?’’

 

ଶଶାଙ୍କ କହିଲା, “ନେପାଳ ଯିବା ବନ୍ଦ । ସମାଜକୁ ମୁଁ ଗ୍ରାହ୍ୟ କରିବି ନାହିଁ । ଏଇ କଲିକତାରେ ହିଁ ମୋତେ ରହିବାକୁ ହେବ ।”

 

ଶର୍ମିଳା ପଚାରିଲା, “କାହିଁକି, କଣ ହେଲା କି ?’’

 

ଶଶାଙ୍କ ଉତ୍ତର ଦେଲା, କାମ ଅଛି ।

 

ପୁଣି ସେଇ ପୁରୁଣା କଥା । କାମ ଅଛି । ଶର୍ମିଳାର ଛାତି କମ୍ପି ଉଠିଲା ।

 

‘‘ଶର୍ମିଳା, ମୋତେ କାପୁରୁଷ ବୋଲି ମନେ କର ନା । ଦାୟିତ୍ୱ ଫୋପାଡ଼ି ଦେଇ ମୁଁ କେବେହେଲେ ପଳାଇବି ନାହିଁ । ମୋର କ’ଣ ଏତେଦୂର ଅଧଃପତନ ହୋଇଛି ବୋଲି ଭାବିଛ ?”

 

ପାଖକୁ ଯାଇ ହାତ ଧରି ଶର୍ମିଳା ପଚାରିଲା, “କ’ଣ ହେଲା ମୋତେ ସ୍ପଷ୍ଟକରି କହୁନା କାହିଁକି ?” ଶଶାଙ୍କ କହିଲା, “ମୁଁ ପୁଣି ତୁମଠାରୁ କରଜ କରିଛି, ସେଇ କଥାଟାକୁ ଘୋଡ଼ାଇ ରଖିଲେ ଚଳିବ ନାହିଁ ।”

 

ଶର୍ମିଳା କହିଲା, “ଆଚ୍ଛା, ସେଇକଥା ହେଲା ପଛକେ ।”

 

ଶଶାଙ୍କ କହିଲା, “ସେଦିନ ପରି ଆଜିଠାରୁ ପୁଣି ମୁଁ ଋଣ ସୁଝିବାର ପଣ ନେଉଛି । ଯେତେ ଟଙ୍କା ବୁଡ଼ାଇ ଦେଇଛି, ପୁଣି ତାକୁ ନିଶ୍ଚୟ ଉଦ୍ଧାର କରିବି । ଏହି ବାଜି ରହିଲା । ଦିନେ ତୁମେ ମତେ ଯେମିତି ବିଶ୍ୱାସ କରିଥିଲ, ଆଜି ପୁଣି ସେହିପରି ବିଶ୍ୱାସ କର ।”

 

ସ୍ଵାମୀର ଛାତି ଉପରେ ମୁଣ୍ଡ ରଖି ଶର୍ମିଳା ଉତ୍ତର ଦେଲା, “ତୁମେ ମଧ୍ୟ ମୋତେ ବିଶ୍ୱାସ କର । ମୋତେ ତୁମର ସମସ୍ତ କାମ ବୁଝାଇ ଦିଅ, ମୋତେ ତିଆରି କରି ନିଅ, ଯେପରି ତୁମର କାମଲାଗି ଯୋଗ୍ୟ ହୋଇ ପାରିବି; ଆଜିଠାରୁ ମୋତେ ସେହି ଶିକ୍ଷା ଦିଅ ।”

 

ଦାଣ୍ଡ ଦୁଆରୁ ପିଅନ ଡାକିଲା, ‘ଚିଠି' ।

 

ଉର୍ମି ହାତର ଲେଖା ଚିଠି ଦି’ ଖଣ୍ଡ । ଖଣ୍ଡେ ଶଶାଙ୍କ ନାମରେ,–‘‘ବର୍ତ୍ତମାନ ମୁଁ ବମ୍ବେଇ ଯିବା ରାସ୍ତାରେ ବିଲାତ ଯାଉଛି । ବାପାଙ୍କର ଆଦେଶ ପାଳନ କରି ଡାକ୍ତରୀ ଶିଖି ଆସିବି । ବୋଧହୁଏ ଛ’ ସାତ ବରଷ ଲାଗିବ । ତୁମ ଦୁହିଁଙ୍କର ସଂସାରରେ ପଶି ଯାହା ଭାଙ୍ଗିରୁଜି ଦେଇଯାଇଛି, ଇତି–ମଧ୍ୟରେ କାଳହାତରେ ଆପେ ସବୁ ଯୋଡ଼ା ଲାଗିଯିବ । ମୋ ଲାଗି ଚିନ୍ତା କରିବ ନାହିଁ । ତୁମରି ଲାଗିହିଁ ମୋର ମନରେ ଚିନ୍ତା ରହିଲା ।’’

 

ଆଉ ଗୋଟାଏ ଚିଠି ଶର୍ମିଳାର–‘‘ଅପା, ତୋ ଚରଣ ତଳେ ଶତସହସ୍ର ପ୍ରଣାମ । ଅଜ୍ଞାନରେ ଅପରାଧ କରିଛି, ଦୋଷ ଧରିବୁ ନାହିଁ । ସେଇଟାକୁ ତୁ ଅପରାଧ ବୋଲି ଗ୍ରହଣ କରିନାହୁଁ ବୋଲି ଜାଣିଲେ ଖୁସି ହେବି । ତା’ଠାରୁ ଅଧିକ ସୁଖୀ ହେବାର ଆଶା ମୁଁ କେବେ କରିବି ନାହିଁ । କୋଉଥିରେ ସୁଖ ମିଳେ, ସେ କଥା ବା ନିଶ୍ଚିତ କରି ମୁଁ କ’ଣ କାଣିଚି । ଭାଗ୍ୟରେ ସୁଖ ନ ଥିଲେ ମଧ୍ୟ ଆପତ୍ତି ନାହିଁ । କେବଳ ଭୁଲ କରିବାକୁହିଁ ମତେ ବେଶୀ ଡର ମାଡ଼େ ।”

Image